ନୂଆଦିଲ୍ଲୀ: ଗୁରୁ ନାନକ ଦେବଙ୍କ ଜୟନ୍ତୀ ଅବସରରେ ପଞ୍ଜାବରେ ଏକ ବଡ଼ ରାଜନୈତିକ ଘଟଣାକ୍ରମ ଦେଖିବାକୁ ମିଳିଛି । ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏବଂ ଶିରୋମଣି ଅକାଳୀ ଦଜଳ ମଧ୍ୟରେ ପୁଣି ଥରେ ମେଣ୍ଟ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ଶିରୋମଣି ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ ସାମ୍ୱାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି । ତେବେ ଆସନ ବୁଝାମଣାର ଫର୍ମୁଲା ଏବେ ସ୍ଥିର ହୋଇନାହିଁ । ଏବେ ସମସ୍ତଙ୍କ ନଜର ବିଜେପି କେତେ ଆସନରେ ନିର୍ବାଚନ ଲଢ଼ିବ । ସୂତ୍ରକୁ ନେଇ କିଛି ରିପୋର୍ଟ ଅନୁସାରେ ବିଜେପି ୫୦ ଆସନରେ ଏବଂ ଅକଳୀ ଦଳ ୬୭ ଆସନରେ ନିର୍ବାଚନ ଲଢ଼ିପାରନ୍ତି ।

Also read: ଛଅ ବର୍ଷ ବିଚ୍ଛେଦରେ ପଡ଼ିଲା ପୂର୍ଣ୍ଣଛେଦ, SAD-BJP ମଧ୍ୟରେ ହେଲା ମେଣ୍ଟ

ଆଜିର ଘୋଷଣାରେ ଅମିତ୍ ଶାହ ସ୍ପଷ୍ଟ କରିଛନ୍ତି ଯେ ଅକାଳୀ ଦଳ ହିଁ ପଞ୍ଜାବରେ ବଡ଼ ଭାଇ ଭୂମିକାରେ ରହିବ । ମୁଖ୍ୟମନ୍ତ୍ରୀ ଚେହେରା କେଉଁ ପାର୍ଟିର ହେବ ପ୍ରଶ୍ନର ଜବାବରେ ଶାହ କହିଛନ୍ତି, ଯିଏ ବଡ଼ ଭାଇ ହେବ, ତାହାରି ମୁଖ୍ୟମନ୍ତ୍ରୀ ହେବ । ସେ କହିଛନ୍ତି, ବିଜେପି ଏବଂ ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲାଏନ୍ସର ସବୁଠାରୁ ବଡ଼ ଶକ୍ତି ହେଉଛି ଯେ ଏନଡିଏ ସରକାର ଯେଉଁଠାରେ କ୍ଷମତାରେ ରହିଛି, ସେଠାରେ ଶୃଙ୍ଖଳିତ ଆଇନ ବ୍ୟବସ୍ଥା ରହିଛି । ଆମେ ଦୁଇ ଦଳ ପଞ୍ଜାବ ସହିତ ଜଡ଼ିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଏବଂ ଆମେ ସେଗୁଡ଼ିକ ଉପରେ ଏକମତ । ଆମର ସର୍ବୋଚ୍ଚ ପ୍ରାଥମିକତା ହେବ ପଞ୍ଜାବକୁ ନିଶାମୁକ୍ତ କରିବା, ସୀମାନ୍ତ ରାଜ୍ୟରେ ସୁରକ୍ଷା ପାଇଁ ଆଇନ ଶୃଙ୍ଖଳାରେ ଉନ୍ନତି ଆଣିବା ଏବଂ ଏହି ଗ୍ୟାଙ୍ଗଗୁଡ଼ିକୁ ନିପାତ କରିବା । ଏହା ଆମର ସର୍ବୋଚ୍ଚ ପ୍ରାଥମିକତା ଏବଂ ଉଭୟ ଦଳର ଘୋଷଣାପତ୍ରରେ ଏକ ପ୍ରମୁଖ ପ୍ରସଙ୍ଗ ହେବ ।

 

ବିଜେପି ଏବଂ ଶିରୋମଣି ଅକାଳୀ ଦଳ ମଧ୍ୟରେ ମେଣ୍ଟ ଦୁଇ ଦଶନ୍ଧିରୁ ଅଧିକ ପୁରୁଣା । ୧୯୯୦ ଦଶକର ମଧ୍ୟଭାଗରେ ଉଭୟ ଦଳ ଏକାଠି ହୋଇ ପଞ୍ଜାବ ରାଜନୀତିରେ ଏକ ଦୃଢ଼ ନିର୍ବାଚନୀ ଭାଗୀଦାରୀ ଗଠନ କରିଥିଲେ । ଏହି ମେଣ୍ଟରେ, ଅକାଳୀ ଦଳ ମୁଖ୍ୟତଃ ଗ୍ରାମୀଣ ଏବଂ ଶିଖ ବହୁଳ ଅଞ୍ଚଳରେ ଏହାର ରାଜନୈତିକ ପ୍ରଭାବକୁ ଆଧାର କରି ନିର୍ବାଚନ ଲଢ଼ିଥିଲା, ଯେତେବେଳେ ବିଜେପିର ଆଧାର ସହରାଞ୍ଚଳ ଏବଂ ହିନ୍ଦୁ ବହୁଳ ଅଞ୍ଚଳରେ ରହିଥିଲା । କିନ୍ତୁ ସେପ୍ଟେମ୍ବର ୨୦୨୦ରେ, କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ନେଇ ଦୁଇ ଦଳ ଅଲଗା ହୋଇଗଲେ । ଏହି ନିଷ୍ପତ୍ତି ବିଜେପି ଏବଂ ଅକାଳୀ ଦଳ ମଧ୍ୟରେ ପ୍ରାୟ ୨୪ ବର୍ଷର ସଂପର୍କକୁ ଶେଷ କରିଥିଲା ।