କନ୍ଧମାଳ ୦୨।୧୧ : ଆସୁଛି ବାତ୍ୟା ମୁରାସୁ । ସଜାଗ ଜିଲ୍ଲା ପ୍ରଶାସନ । ବାତ୍ୟାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, କିଛି ଦିନ ତଳେ ବାତ୍ୟା ଅର୍ଣ୍ଣବ ଯାଇଛି । ଯାହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଅନେକ ଜିଲ୍ଲା ବେଶ୍ ପ୍ରଭାବିତ ହୋଇଛି । ଖାସ୍ କରି ଗଞ୍ଜାମରେ ବନ୍ୟା, ଗଜପତି ଓ କନ୍ଧମାଳରେ ଭୂସ୍ଖଳନ ପରି ସ୍ଥିତି ଦେଖାଦେଇଛି । ଏହାବ୍ୟବତୀ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ଗୋଟିଏ ବାତ୍ୟାର କ୍ଷତ ସୁଖିନଥିବା ବେଳେ ଆସୁଛି ଆଉ ଏକ ବାତ୍ୟା । ନାଁ ତାର ମୁରାସୁ । ଆନ୍ଧ୍ରରେ ମୁରାସୁ ଲ୍ୟାଣ୍ଡଫଲ କରିବା ନେଇ ଆଇଏମଡି ସୂଚନା ଦେଇଛି । ତେବେ ବାତ୍ୟା ପୂର୍ବରୁ ଆକ୍ସନକୁ ଆସିଛି କନ୍ଧମାଳ ଜିଲ୍ଲା ପ୍ରଶାସନ । ବାତ୍ୟା ଆସୁଥିବାର କନ୍ଧମାଳ ଜିଲ୍ଲାପାଳ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ଆଗାମୀ ୨ ଦିନ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନଓ୍ୱାଡି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆସନ୍ତା ୩ ଓ ୪ ତାରିଖ ବନ୍ଦ ରହିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବାତ୍ୟା ମୁରାସୁ ପ୍ରଭାବରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଏହି ସବୁ ସ୍କୁଲକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ରହିଛି ।

Also Read:-ମାଡ଼ିଆସୁଛି ମୁରାସୁ, ଓଡ଼ିଶାରେ ଆରମ୍ଭ ହୋଇଗଲାଣି ବର୍ଷା, ଗେମ ଚେଞ୍ଜର ହେବ ପୂର୍ବଘାଟ ପର୍ବତମାଳା