ଭୁବନେଶ୍ୱର, ୧/୧୧ : ଘର କାନ୍ଥରେ ଝିଟିପିଟି ଦେଖିଲେ କିଏ ତାକୁ ଦେଖି ଅଣଦେଖା କରିଦିଏ, ତ ଆଉ କିଏ ଭୟରେ ଚିତ୍କାର କରିଥାଏ । କିଛି ଲୋକଙ୍କ ହୃଦସ୍ପନ୍ଦନ ମଧ୍ୟ ବଢ଼ିଯାଏ, ଦେହରୁ ଝାଳ ବାହାରିବା ସହ ସେଠାରୁ ତୁରନ୍ତ ଦୌଡ଼ି ପଳାନ୍ତି । ବିଶେଷକରି ଝିଟିପିଟି ଦେଖିଲେ ଅଧିକାଂଶ ଝିଅମାନେ ହିଁ ଭୟଭୀତ ହୋଇପଡ଼ନ୍ତି। କିନ୍ତୁ ଆପଣ ଜାଣନ୍ତି କି, ମଣିଷ ପ୍ରତି କିଛି ବିପଦ ନଥିବା ଝିଟିପିଟିକୁ ଦେଖିଲେ କାହିଁକି ଝିଅମାନେ ବେଶୀ ଡରିଥାନ୍ତି ? ଏହା ପଛରେ ରହିଛି ମନସ୍ତାତ୍ତ୍ୱିକ କାରଣ।

ଭୟର କାରଣ କ'ଣ?ମନସ୍ତତ୍ତ୍ୱବିତଙ୍କ ମତରେ, କୌଣସି ଜିନିଷକୁ ଦେଖି ଭୟ ଲାଗିବା କେବଳ ତାହା କେତେ ବିପଜ୍ଜନକ, ତା' ଉପରେ ନିର୍ଭର କରେ ନାହିଁ। ବରଂ ଆମ ମସ୍ତିଷ୍କ ସେହି ଜିନିଷକୁ କିପରି ଗ୍ରହଣ କରୁଛି, ତାହା ମଧ୍ୟ ଗୁରୁତ୍ୱ । ଅର୍ଥାତ୍, ଆମ ମସ୍ତିଷ୍କ ସବୁବେଳେ ବାସ୍ତବ ବିପଦ ଏବଂ ଅନୁଭୂତ ହେଉଥିବା ବିପଦ ମଧ୍ୟରେ ତୁରନ୍ତ ପାର୍ଥକ୍ୟ ବୁଝିପାରେ ନାହିଁ। କୌଣସି ଜିନିଷକୁ ନେଇ ଥରେ ଭୟ ସୃଷ୍ଟି ହୋଇଗଲେ, ଅନେକ ସମୟରେ ଚିନ୍ତା କରିବା ପୂର୍ବରୁ ହିଁ ଶରୀର ପ୍ରତିକ୍ରିୟା ଦେବା ଆରମ୍ଭ କରିଦିଏ। ଝିଟିପିଟିର ଚଳପ୍ରଚଳ, ହଠାତ୍ ଦୌଡ଼ିବା ଏବଂ ଅପ୍ରତ୍ୟାଶିତ ଭାବେ ସାମ୍ନାକୁ ଆସିଯିବା ଅନେକଙ୍କ ମନରେ ଭୟ ସୃଷ୍ଟି କରିପାରେ। ଝିଟିପିଟିର ଶରୀରର ଗଠନ, ଲମ୍ବା ଲାଞ୍ଜ, ଚାରିଟି ଗୋଡ଼ ଏବଂ ଦ୍ରୁତ ଗତି କିଛି ଲୋକଙ୍କୁ ଅସହଜ ଅନୁଭବ କରାଇଥାଏ । ଏହାକୁ ଦେଖି ଅଧିକାଂଶ ମହିଳାଙ୍କ ମନରେ ଘୃଣା କିମ୍ବା ଭୟ ଭଳି ପ୍ରତିକ୍ରିୟା ଆସିଥାଏ ।

Also Read:-ମରଣ ରୂପରେ ମାଡ଼ି ଆସିଲା ଘରୋଇ ବସ୍, ୨ ମୃତ ଓ ୨ ଗୁରୁତର

ଛିଟିପିଟିକୁ ନେଇ ସମସ୍ତଙ୍କ ମନରେ ଗୋଟିଏ ପ୍ରକାରର ଭୟ ରହିନଥାଏ। କିଛି ଲୋକଙ୍କ କ୍ଷେତ୍ରରେ ଏହି ଭୟ ପିଲାଦିନର କୌଣସି ଖରାପ ଅନୁଭୂତି ସହ ଜଡ଼ିତ ହୋଇପାରେ। ସେହିପରି ଅନେକ ଲୋକ ନିଜ ପରିବାର କିମ୍ବା ଆଖପାଖର ଲୋକଙ୍କ ବ୍ୟବହାର ଦେଖି ମଧ୍ୟ ଭୟଭୀତ ହୋଇପଡ଼ିଥାନ୍ତି । ଯଦି କୌଣସି ପିଲା ନିଜ ବାପା-ମାଆ କିମ୍ବା ପରିବାରର ଅନ୍ୟ ସଦସ୍ୟଙ୍କୁ ଛିଟିପିଟି ଦେଖିବା ମାତ୍ରେ ଡରିଯାଉଥିବା କିମ୍ବା ସେଠାରୁ ଦୌଡ଼ି ପଳାଉଥିବା ଦେଖେ, ତେବେ ତା' ମନରେ ମଧ୍ୟ ଏହି ଜୀବକୁ ନେଇ ଭୟ ସୃଷ୍ଟି ହୋଇଥାଏ । ଧୀରେ ଧୀରେ ଏହା ମନରେ ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଯାଏ । ଯଦି ଝିଟିପିଟିକୁ ଦେଖିବା ମାତ୍ରେ ଅତ୍ୟଧିକ ଭୟ, ହୃଦସ୍ପନ୍ଦନ ବଢ଼ିବା, ଝାଳ ବାହାରିବା କିମ୍ବା ଆତଙ୍କିତ ହେବା ଭଳି ଲକ୍ଷଣ ଦେଖାଯାଏ, ତେବେ ଏହା ଫୋବିଆର ଲକ୍ଷଣ ହୋଇପାରେ। ତେବେ କେବଳ ଝିଟିପିଟିକୁ ଦେଖି ଡରିଯିବା ମାନେ ଫୋବିଆ ନୁହେଁ। ଭୟ ଯଦି ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି, ତେବେ ମନସ୍ତତ୍ତ୍ୱବିତଙ୍କ ପରାମର୍ଶ ନେବା ଜରୁରୀ। ତେଣୁ ଝିଟିପିଟିକୁ ଦେଖି ଡରିବା ପଛରେ କେବଳ ମଣିଷର ମନ, ଅନୁଭୂତି ଓ ପୂର୍ବ ଅଭିଜ୍ଞତାର ବଡ଼ ଭୂମିକା ରହିଛି। ଆପଣ ମଧ୍ୟ ଝିଟିପିଟିକୁ ଦେଖି କେବେ ନା କେବେ ଡ଼ରିଥିବେ । ତେବେ ଏହାକୁ ଦେଖି ଭୟ କରିବା ପରିବର୍ତ୍ତେ ଏହାର ସାମ୍ନା କରନ୍ତୁ ଦେଖିବେ ମନର ଭୟ ମଧ୍ୟ ଧୀରେ ଧୀରେ କମିଯିବ ।