କଟକ ୧୩।୪: କଟକ ବଡ଼ ମେଡିକାଲ ଟ୍ରମା କେୟାର ଆଇସିୟୁ ଅଗ୍ନିକାଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ । ଜଣେ ପୂର୍ବତନ ବିଚାରପତିଙ୍କ ଦ୍ବାରା ଆଜି ଠାରୁ ଆରମ୍ଭ ହେଲା ତଦନ୍ତ । SCB ପରିସରରେ ପହଞ୍ଚିଲେ ତଦନ୍ତକାରୀ ଟିମ୍ । ମେଡିକାଲ ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟରେ ପହଞ୍ଚି କର୍ମଚାରୀଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି । ଗତ ମାର୍ଚ୍ଚ ମାସ ୧୬ ତାରିଖରେ SCB ମେଡିକାଲ ଟ୍ରମା କେୟାର ଆଇସିୟୁରେ ଅଗ୍ନିକାଣ୍ଡ ଘଟି ୧୨ ଜଣ ରୋଗୀଙ୍କ ଜୀବନ ଯାଇଥିଲା । ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।

ପୂର୍ବରୁ କଟକ SCB ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାର କାରଣ ଖୋଜିଥିଲେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ । କିନ୍ତୁ କ୍ୟାମେରା ଆଗରେ ଧାଡ଼ିଟିଏ କହିନଥିଲେ ଟିମ୍ ସଦସ୍ୟ । ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂଙ୍କ ନେତୃତ୍ୱରେ ଏହି ଟିମ୍ ଏସସିବି ମେଡିକାଲ ପରିସରରେ ପହଞ୍ଚି ତଦନ୍ତ କରିଥିଲେ । ପ୍ରଥମେ ଟ୍ରମା ଆଇସିୟୁ ବୁଲି ଦେଖିବା ପରେ ଅନ୍ୟ ବିଭାଗ ଗୁଡିକର ନିରୀକ୍ଷଣ କରିଥିଲା ଟିମ୍ । ହେଲେ କ୍ୟାମେରା ଆଗରେ ଧାଡ଼ିଏ ବି କହିନଥିଲେ ଉନ୍ନୟନ କମିଶନର । ସେପଟେ କିନ୍ତୁ ଅଗ୍ନିଶମ ଆଇଜି ଉମାଶଙ୍କର ଦାସ କହିଥିଲେ, ତଦନ୍ତ ଚାଲିଛି, କିଛି କହିବାଟା ଠିକ୍ ହେବନାହିଁ ।

Also Read:- Odisha News : ରାଜ୍ୟସଭା ଅଧ୍ୟକ୍ଷଙ୍କୁ ବିଜେଡି ସୁପ୍ରିମୋଙ୍କ ଚିଠି, ମାନସ ମଙ୍ଗରାଜଙ୍କୁ ସଂସଦୀୟ ଦଳ ନେତାର ଦାୟିତ୍ୱ

ଏହି ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୪ ଜଣ ଅଧିକାରୀ ନିଲମ୍ବିତ ହୋଇଥିଲେ । କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ କୁମାର ଜେନା, କଟକ ସର୍କଲର ଆସିଷ୍ଟାଣ୍ଟ ଫାୟାର ଅଫିସର ସଂଜୀବ କୁମାର ବେହେରା, SCB ମେଡିକାଲ କଲେଜ ଓ ହସ୍ପିଟାଲର ଷ୍ଟେସନ ଅଫିସର ଅଭିନବ ପୃଷ୍ଟି ଏବଂ କଟକ GED ଅନ୍ତର୍ଗତ SCB ସବ୍ ଡିଭିଜନ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଂଜିନିୟର ରଞ୍ଜନ କୁମାର ବିଶ୍ବାଳ ସସ୍‌ପେଣ୍ଡ ହୋଇଥିଲେ । ଉନ୍ନୟନ କମିଶନରଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟରେ ଅବହେଳା କରିଥିବା ଏହି ଅଧିକାରୀ ମାନଙ୍କୁ ସସ୍‌ପେଣ୍ଡ କରାଯାଇଛି ।