ତିରୁଅନନ୍ତପୁରମ : କେରଳମର ମୁଖ୍ୟମନ୍ତ୍ରୀ ପଦ ଲାଗି ନାମିତ ଭି.ଡି.ସତୀଶନ ରବିବାର ତାଙ୍କ ନୂଆ ମନ୍ତ୍ରୀମଣ୍ଡଳ ନାମ ଘୋଷଣା କରିଛନ୍ତି। ସୋମବାର ଅନୁଷ୍ଠିତ ହେବାକୁଥିବା ଶପଥ ଗ୍ରହଣ ଉତ୍ସବରେ ଏହି ମନ୍ତ୍ରୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ନୂଆ କ୍ୟାବିନେଟ୍ ରେ ବଡ଼ ଓ ଅଭିଜ୍ଞ ନେତାଙ୍କୁ ସ୍ଥାନ ଦିଆଯାଇଛି। ଏଥିରେ ରମେଶ ଚେନ୍ନିଥାଲା, କେରଳମ କଂଗ୍ରେସ କମିଟି ସଭାପତି ସନି ଜୋସେଫ ଓ ବରିଷ୍ଠ କଂଗ୍ରେସ ନେତା ମୂରଲୀଧରନ ପ୍ରମୁଖଙ୍କ ନାମ ରହିଛି।

ଏହା ଛଡା ଭି.ଡି.ସତୀଶନ ଏହା ବି ଘୋଷଣା କରିଛନ୍ତି ଯେ ତିରୱଞ୍ଚୁର ରାଧାକୃଷ୍ଣନଙ୍କୁ କେରଳମ ବିଧାନସଭାର ବାଚସ୍ପତି କରାଯିବ, ସେହିପରି ଶାନିମୋଲ ଉସ୍ମାନ ଉପବାଚସ୍ପତି ହେବେ। କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟର ମୁଖ୍ୟ ସହଯୋଗୀ ଦଳ ଇଣ୍ଡିଆନ ୟୁନିୟନ ମୁସ୍ଲିମ ଲିଗ୍ ମଧ୍ୟ ନୂଆ ସରକାର ଲାଗି ନିଜର ୫ ଜଣ ନେତାଙ୍କ ନାମ ଚୂଡ଼ାନ୍ତ କରିଛି। ଏହି ଘୋଷଣା ଏପରି ସମୟରେ ହୋଇଛି ଯେତେବେଳେ ବିଧାନସଭା ନିର୍ବାଚନରେ ମେଣ୍ଟର ବିଜୟ ପରେ ନୂଆ ସରକାର ଗଠନ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ସୋମବାର ଶପଥଗ୍ରହଣ ପରେ ନୂଆ ମନ୍ତ୍ରୀମଣ୍ଡଳ ଔପଚାରିକ ରୂପେ କାମ ଆରମ୍ଭ କରିବ। ରାଜନୈତିକ ମହଲରେ ଏହି କ୍ୟାବିନେଟ୍ କୁ ସନ୍ତୁଳିତ ଓ ଅନୁଭବୀ ଟିମ୍ ମନେ କରାଯାଉଛି,ଯେଉଁଥିରେ କଂଗ୍ରେସ ଓ ସହଯୋଗୀ ଦଳ ଉଭୟଙ୍କ ପ୍ରତିନିଧିତ୍ୱ ରହୁଛି। ନୂଆ ସରକାରରେ ସତୀଶନଙ୍କ ବ୍ୟତୀତ ପି.କେ.କୁହ୍ନାଲୀ କୁଟ୍ଟି, ରମେଶ ଚେନ୍ନିଥଲା, ସନି ଜୋସେଫ, କେ.ମୂରଲୀଧରନ, ମାନ୍ସ ଜୋସେଫ, ଶିବୁ ବେବି ଜନ, ଅନୂପ ଜ୍ୟାକବ, ସି.ପି.ଜନ, ଏ.ପି. ଅନିଲ କୁମାର, ଏନ.ଶମସୁଦ୍ଦିନ, ପି.ସି.ବିଷ୍ଣୁ ନାଥ, ରୋଜି ଏମ.ଜନ, ବିନ୍ଦୁ କୃଷ୍ଣା, ଏମ.ଲିଜ୍ଜୁ , କେ.ଏମ.ସାଜୀ, ପି.କେ.ବଶିର, ଅବଦୁଲ ଗଫୁର ଓ ସି.ଟି.ସିଦ୍ଦିକିଙ୍କୁ ମନ୍ତ୍ରୀ କରାଯାଇଛି।