ନୂଆଦିଲ୍ଲୀ: ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥଳୀ ଅଯୋଧ୍ୟା ଏବଂ ମାତା ଜାନକୀଙ୍କ ଜନ୍ମସ୍ଥଳୀ ନେପାଳର ଜନକପୁର ଧାମ ମଧ୍ୟରେ ସିଧାସଳଖ ରେଳ ଚଳାଚଳ ଆରମ୍ଭ ହୋଇଛି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର 'ବାଲେନ' ଶାହ ଭର୍ଚୁଆଲ୍ ମାଧ୍ୟମରେ ‘ସରଯୂ-କମଲା ଏକ୍ସପ୍ରେସ୍’କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସାପ୍ତାହିକ ଭାବେ ଚାଲିବାକୁ ଥିବା ଏହି ଟ୍ରେନର ନିୟମିତ ଯାତ୍ରୀବାହୀ ସେବା ଆସନ୍ତା ନଭେମ୍ବର ୨୮ ତାରିଖରୁ ଆରମ୍ଭ ହେବ ।

ଅଯୋଧ୍ୟା କ୍ୟାଣ୍ଟ୍‌ରୁ ଜନକପୁର ଧାମ ପ୍ରାୟ ୬୦୪ କିଲୋମିଟର ଦୂରତାକୁ ଏହି ଟ୍ରେନ୍ ପାଖାପାଖି ୧୯ ଘଣ୍ଟା ମଧ୍ୟରେ ଅତିକ୍ରମ କରିବ । ସପ୍ତାହକୁ ଗୋଟିଏ ଦିନ ଚାଲିବାକୁ ଥିବା ଏହି ଟ୍ରେନ ପ୍ରତି ସୋମବାର ସନ୍ଧ୍ୟା ୫ଟା ୫୦ରୁ ଅଯୋଧ୍ୟା କ୍ୟାଣ୍ଟ୍‌ରୁ ବାହାରିବ ଏବଂ ମଙ୍ଗଳବାର ଅପରାହ୍ନ ୧୨ଟା ୪୦ (ନେପାଳ ସମୟ)ରେ ପହଞ୍ଚିବ । ସେହିଭଳି ଜନକପୁର ଧାମରୁ ଅଯୋଧ୍ୟା କ୍ୟାଣ୍ଟ ପ୍ରତି ଶନିବାର ଅପରାହ୍ନ ୧ଟା ୧୦ ବାହାରି ରବିବାର ସକାଳ ୮ଟା ୧୦ରେ ଅଯୋଧ୍ୟା ପହଞ୍ଚିବ ।

Also Read: ଭାରତ-ନେପାଳ ସମ୍ପର୍କରେ ନୂଆ ଅଧ୍ୟାୟ: ମୋଦି- ବାଲେନ ଶାହ ଆଲୋଚନାରେ ହେଲା ୮ଟି ଚୁକ୍ତି

କେଉଁ କେଉଁ ଷ୍ଟେସନରେ ରହିବ ଟ୍ରେନ୍ ?

ଅଯୋଧ୍ୟା କ୍ୟାଣ୍ଟରୁ ବାହାରିବା ପରେ ଏହି ଟ୍ରେନ୍ ଉତ୍ତର ପ୍ରଦେଶ ଏବଂ ବିହାରର ପ୍ରମୁଖ ସହର ଦେଇ ନେପାଳରେ ପ୍ରବେଶ କରିବ। ରାସ୍ତାରେ ଏହା ମୋଟ ୧୦ଟି ପ୍ରମୁଖ ଷ୍ଟେସନ ଅଯୋଧ୍ୟା ଧାମ, ମନକାପୁର, ବସ୍ତି, ଗୋରଖପୁର, ନରକଟିଆଗଞ୍ଜ, ରକ୍ସୌଲ, ସୀତାମଢ଼ୀ, ଶିଶୋ, ମଧୁବନୀ, ଜୟନଗରରେ ଅଟକିବ । ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ୧୭ଟି ଏଲଏଚବି (LHB) କୋଚ୍ ବିଶିଷ୍ଟ ଏହି ଟ୍ରେନରେ ଏକାସାଙ୍ଗରେ ୧,୧୫୮ ଜଣ ଯାତ୍ରୀ ଯାତ୍ରା କରିପାରିବେ।