ସନାତନ ଧର୍ମରେ ଏକାଦଶୀ ତିଥିର ବିଶେଷ ଗୁରୁତ୍ୱ ରହିଛି। ଏହି ଦିନ ବିଷ୍ଣୁ ଓ ଲକ୍ଷ୍ମୀଙ୍କ ଆରାଧନା କରିବାର ବିଧାନ ରହିଛି। ବୈଦିକ ପଞ୍ଚାଙ୍ଗ ଅନୁସାରେ ପ୍ରତିବର୍ଷ ଆଶ୍ୱିନମାସର କୃଷ୍ଣପକ୍ଷ ଏକାଦଶୀ ତିଥିରେ ଇନ୍ଦିରା ଏକାଦଶୀ ପାଳିତ ହୁଏ। ମାନ୍ୟତା ରହିଛି ଏହି ଏକାଦଶୀ ବ୍ରତ କଲେ ସାଧାକଙ୍କୁ ସବୁ ପାପରୁ ମୁକ୍ତି ମିଳେ ଓ ସୁଖ ସମୃଦ୍ଧିରେ ବୃଦ୍ଧି ହୁଏ। ଏହି ବ୍ରତର ପୂଣ୍ୟ ଫଳ ଯୋଗୁ ସାଧକଙ୍କ ସବୁ ମନୋକାମନା ପୂରଣ ହୁଏ। ଏହି ଏକାଦଶୀ ପିତ୍ରୁପକ୍ଷରେ ପଡେ, ଏଣୁଏହାର ଗୁରୁତ୍ୱ ଆହୁରି ବଢି ଯାଏ।

ଏଥର ଏକାଦଶୀରେ ସର୍ବାର୍ଥ ସିଦ୍ଧି ଯୋଗ ପଡୁଛି, ଏହା ସକାଳ ୬ଟା ୨୫ ମିନିଟରୁ ଆରମ୍ଭ ହୋଇ ରାତି ୧୦ଟା ୧୭ ମିନିଟ୍ ପର୍ଯ୍ୟନ୍ତ ରହିବ। ତେବେ ଆସନ୍ତୁ ଜାଣିବା ଚଳିତବର୍ଷ ଇନ୍ଦିରା ଏକାଦଶୀ କେବେ ପାଳନ ହେବ। ଆଶ୍ୱିନ ମାସର କୃଷ୍ଣ ପକ୍ଷ ଏକାଦଶୀ ତିଥିର ପ୍ରାରମ୍ଭ ୬ ଅକ୍ଟୋବର ରାତି ୨ଟା ୦୭ ମିନିଟ୍ ରୁ ଆରମ୍ଭ ହେବ ଓ ଏକାଦଶୀର ସମାପନ ତିଥି ୭ ଅକ୍ଟୋବର ରାତି ୧୨ଟା ବାଜି ୩୪ ମିନିଟ୍ ରେ ହେବ। ଉଦୟ ତିଥି ଅନୁସାରେ ଚଳିତ ବର୍ଷ ଅକ୍ଟୋବର ୬ ତାରିଖରେ ଇନ୍ଦିରା ଏକାଦଶୀ ପାଳନୀୟ ହେବ।

ଏହି ଏକାଦଶୀର ପାରଣ ଆଗାମୀ ଦିନ ଅର୍ଥାତ ଦ୍ୱାଦଶୀ ତିଥିରେ କରାଯାଏ। ଏହି ଏକାଦଶୀର ପାରଣ ଅକ୍ଟୋବର ୭ ତାରିଖରେ ହେବ। ସକାଳ ୬ଟା ୧୭ ମିନିଟ୍ ରୁ ୮ଟା ୩୮ ମିନିଟ୍ ମଧ୍ୟରେ ବ୍ରତ ଖୋଲା ଯାଇ ପାରିବ। ବ୍ରତ ପାରଣ କରିବା ପୂର୍ବରୁ ମନ୍ଦିରରେ ଅଥବା ଦୁଃଖି ରଙ୍କିଙ୍କୁ ଅନ୍ନ,ବସ୍ତ୍ର ଓ ଧନଦାନ ଅବଶ୍ୟ କରନ୍ତୁ। ମାନ୍ୟତା ରହିଛି ଦାନ କଲେ ଧନଧାନ୍ୟ ବୃଦ୍ଧି ହେବ।

ଇନ୍ଦିରା ଏକାଦଶୀର ଧାର୍ମିକ ମହତ୍ୱ
ପିତୃପକ୍ଷରେ ପଡୁଥିବା ଇନ୍ଦିରା ଏକାଦଶୀର ବିଶେଷ ମହତ୍ୱ ରହିଛି। ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନ ଭଗବାନ ବିଷ୍ଣୁଙ୍କ ବିଧିବଦ୍ ଭକ୍ତି ଓ ପୂଜା କଲେ ଏକାଦଶୀ କରୁଥିବା ବ୍ୟକ୍ତିଙ୍କ ସହିତ ତାଙ୍କ ପୂର୍ବଜଙ୍କୁ ମଧ୍ୟ ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହି ବ୍ରତର ପୂଣ୍ୟ ପ୍ରଭାବରେ ଜମ ଲୋକରେ କଷ୍ଟ ଭୋଗ କରୁଥିବା ପିତରଙ୍କୁ ମଧ୍ୟ ବୈକୁଣ୍ଠ ଧାମରେ ସ୍ଥାନ ପ୍ରାପ୍ତ ହୁଏ।