ନୂଆଦିଲ୍ଲୀ: ନୋରା ଫତେହି ଓ ସଞ୍ଜୟ ଦତ୍ତଙ୍କ ଅଭିନୀତ ‘ସରକେ ଚୁନର ତେରୀ ସରକେ’ ଗୀତକୁ ବ୍ୟାନ୍  । ଫିଲ୍ମ କେଡି -ଦ ଡେଭିଲର ଏହି ଆଇଟମ୍ ଗୀତକୁ ନେଇ ବିବାଦ ତୀବ୍ର ହୋଇଥିଲା । ଏହି ମାମଲା ସଂସଦରେ ପହଞ୍ଚିଥିଲା ଏବଂ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଥିଲା । ଗୀତ ଉପରେ ବ୍ୟାନ ଲଗାଇବାକୁ ବିରୋଧୀ ସାଂସଦ ଦାବି କରିଥିଲେ । ଏହା ଉପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଙ୍ଗଳବାର ସଂସଦରେ ଜବାବ ରଖିଥିଲେ । ସେ କହିଥିଲେ, ସରକାର ଏହି ଗୀତ ଉପରେ ବ୍ୟାନ୍ ଲଗାଇ ସାରିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (CBFC)କୁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଏପରିକି ଗୀତଟିକୁ ସବୁ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି ବୋଲି ସେ କହିଛନ୍ତି । ତେବେ ମଙ୍ଗଳବାର ସମାଜବାଦୀ ପାର୍ଟି ସାଂସଦ ଆନନ୍ଦ ଭଦୋରିଆଙ୍କ ପ୍ରଶ୍ନର ଜବାବ ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସଂସଦରେ ଏହା କହିଛନ୍ତି ।

Also Read: Sara Ali Khan Kedarnath: ସାରା ଅଲି ଖାନ୍ଙ୍କ ଚାରିଧାମ ଯାତ୍ରାକୁ ନେଇ ବିବାଦ, ମନ୍ଦିର ଅଧ୍ୟକ୍ଷ କହିଲେ ଲେଖିକି ଦିଅନ୍ତୁ 'ମୁଁ ଜଣେ ସନାତନୀ'

ବ୍ୟାନ୍ ହୋଇସାରିଛି ଗୀତ

ସେ କହିଛନ୍ତି ଯେ, ‘ଗୀତଟି ପୂର୍ବରୁ ନିଷିଦ୍ଧ କରାଯାଇଛି । ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହେଁ ଯେ, ଆମେ ବାକ୍ ସ୍ୱାଧୀନତା ଉପରେ ଭାରତୀୟ ସମ୍ବିଧାନର ନିର୍ମାତାଙ୍କ ଦ୍ୱାରା ଲାଗୁ କରାଯାଇଥିବା ଯୁକ୍ତିଯୁକ୍ତ କଟକଣାକୁ ପାଳନ କରିବା ଉଚିତ ।’ ଭାରତୀୟ ସମ୍ବିଧାନର ଧାରା ୧୯(୨)କୁ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ଯେ, ଆଇନ ସାର୍ବଜନୀନ ଶୃଙ୍ଖଳା, ଶାଳୀନତା, ନୈତିକତା ଏବଂ ଅନ୍ୟାନ୍ୟ କାରଣଗୁଡ଼ିକୁ ସୁରକ୍ଷା ଦେବା ପାଇଁ ବାକ୍ ସ୍ୱାଧୀନତା ଉପରେ କଟକଣା ଲଗାଇବାକୁ ଅନୁମତି ଦିଏ।

କ’ଣ କହିଲେ ଅଶ୍ବିନୀ ବୈଷ୍ଣବ ?

ଅଶ୍ବିନୀ ବୈଷ୍ଣବ ଆହୁରି କହିଛନ୍ତି, ‘Freedom of speech cannot be absolute । ବାକ୍ ସ୍ବାଧୀନତାର ଅର୍ଥ ନୁହେଁ, ଯିଏ ଯାହା ଚାହିଁବ କହିବ । ଏହା ଆମ ସମାଜ ଏବଂ ସଂସ୍କୃତି ଉପରେ ଆଧାରିତ ହେବା ଦରକାର । ଆମ ସମ୍ବିଧାନ ପ୍ରଣେତାଙ୍କ ଦ୍ବାରା ଧାର୍ଯ୍ୟ ଯୁକ୍ତିଯୁକ୍ତ ନିୟମ ଆଧାରରେ ଏହା ଉପରେ କଟକଣା ଲଗାଯାଇ ପାରିବ । ଏହାକୁ ନେଇ ଆଗକୁ ଆମକୁ ବେଶି ଯତ୍ନବାନ ହେବାକୁ ପଡ଼ିବ । ଏବେ ସବୁ କଥା ବହୁତ ଜଲଦି ଡିଜିଟାଲ ପ୍ଲାଟଫର୍ମରେ ଭାଇରାଲ୍ ହୋଇଯାଉଛି । ସମାଜର ସୁରକ୍ଷା , ଶିଶୁ ଓ ମହିଳାଙ୍କ ସୁରକ୍ଷା ଏବଂ ସମାଜର ବଞ୍ଚିତ ଗୋଷ୍ଠୀଙ୍କ ସୁରକ୍ଷା ଲାଗି ଯେକୌଣସି କଠୋର ପଦକ୍ଷେପ ନିଆଯିବା ଦରକାର, ତାହା ସରକାର ଗ୍ରହଣ କରିବାକୁ ପ୍ରସ୍ତୁତ ।’

ପୂରା ମାମଲା କ’ଣ ?

କେଡି: ଦି ଡେଭିଲ୍' ଚଳଚ୍ଚିତ୍ରରେ ନୋରା ଫତେହି ଏବଂ ସଞ୍ଜୟ ଦତ୍ତଙ୍କ ଅଭିନୀତ ଗୀତ ‘ସରକେ ଚୁନର ତେରୀ ସରକେ’ ମୁକ୍ତିଲାଭ କରିବାର କିଛି ସମୟ ପରେ ବିବାଦ ଆରମ୍ଭ ହୋଇଥିଲା । ସମାଲୋଚକମାନେ କହିଥିଲେ ଯେ, ଏଥିରେ ମହିଳାଙ୍କୁ ନେଇ ଆପତ୍ତିଜନକ ଶବ୍ଦ ଏବଂ ଦୃଶ୍ୟ ବ୍ୟବହାର କରାଯାଇଛି । ଅନେକ ବ୍ୟକ୍ତି ଏବଂ ସଂଗଠନ ନିର୍ମାତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବାରୁ ବିବାଦ ଉଗ୍ର ରୂପ ଧାରଣ କରିଥିଲା । ସଂସଦରେ ଏହି ପ୍ରସଙ୍ଗ ପହଞ୍ଚିବାର କିଛି ଦିନ ପୂର୍ବରୁ ଥାନାରେ ଏଫଆଇଆର ବି ହୋଇଥିଲା । କିନ୍ତୁ ଏବେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସଂସଦରେ ସବୁ କଥା ସ୍ପଷ୍ଟ କରିଦେଇଛନ୍ତି ।