ନୂଆଦିଲ୍ଲୀ: ଏଲ୍ ନିନୋର ଭୟାବହତାକୁ ନେଇ ବୈଜ୍ଞାନିକମାନେ ଯେଉଁ ପୂର୍ବାନୁମାନ କରିଥିଲେ, ତା' ବାସ୍ତବ ହେବାରେ ଲାଗିଛି । ବିଶ୍ୱ ପାଣିପାଗ ଉପରେ ଏଲ୍ ନିନୋର ପ୍ରଭାବ କ୍ରମଶଃ ଗୁରୁତର ହେବାରେ ଲାଗିଛି । ଏଲ୍ ନିନୋର ସବୁଠାରୁ ସମ୍ୱେଦନଶୀଳ ଅଞ୍ଚଳ ପ୍ରଶାନ୍ତ ମହାସାଗରରେ ସମୁଦ୍ରର ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଡିସେମ୍ୱର ସୁଦ୍ଧା ଏହା ରେକର୍ଡ ସ୍ତରକୁ ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ଏଥିଲାଗି ବିଶ୍ୱ ତାପମାତ୍ରାରେ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଏବଂ ବର୍ଷାର ପ୍ୟାଟର୍ଣ୍ଣରେ ବଡ଼ ପରିବର୍ତ୍ତନ ହୋଇପାରେ । ବିଶ୍ୱ ପାଣିପାଗ ସଂଗଠନ ଅନୁଯାୟୀ,ଏହି ଏଲ୍ ନିନୋ ଘଟଣା ଇତିହାସର ସବୁଠାରୁ ଶକ୍ତିଶାଳୀ ହୋଇପାରେ ।

ବୈଜ୍ଞାନିକମାନେ ନିନୋ ୩.୪ ସୂଚକାଙ୍କ ନାମକ ଏକ ମାପ ବ୍ୟବହାର କରି ଏଲ୍ ନିନୋର ତୀବ୍ରତା ଆକଳନ କରୁଛନ୍ତି । ଏଥିପାଇଁ ସେମାନେ କେନ୍ଦ୍ରୀୟ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରର ତାପମାତ୍ରା ଉପରେ ନଜର ରଖନ୍ତି । ତଥ୍ୟ ଅନୁଯାୟୀ,ଏହି ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକଠାରୁ ବହୁ ଅଧିକ ରହିଛି। ୨୦୨୬ ଜୁନରେ ତାପମାତ୍ରା ସ୍ୱାଭାବିକଠାରୁ ୧.୬ ଡିଗ୍ରୀ ସେଲସିୟସ୍ ଅଧିକ ଥିଲା ।

ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୩.୭ ଡିଗ୍ରୀ ସେଲସିୟସ୍ ଅଧିକ ରହିବ ବୋଲି ଅନୁମାନ କରାଯାଉଛି । ଯାହା ଏକ ନୂତନ ରେକର୍ଡ ହେବ । ପୂର୍ବରୁ ୨୦୧୫ ନଭେମ୍ବରରୁ ୨୦୧୬ ଜାନୁଆରୀ ମଧ୍ୟରେ ସର୍ବାଧିକ ତାପମାତ୍ରା ୨.୬ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଥିଲା ।

ଭାରତରେ ଉଭେଇ ଯିବ କି ଥଣ୍ଡା ?

ଏଲ୍ ନିନୋ ସମୁଦ୍ର ଏବଂ ବାୟୁମଣ୍ଡଳ ମଧ୍ୟରେ ତାପ ସନ୍ତୁଳନକୁ ପରିବର୍ତ୍ତନ କରେ । ଏହା ହିଁ ସାରା ବିଶ୍ୱରେ ପାଗକୁ ପ୍ରଭାବିତ କରେ । ତେବେ ଏହାର ପ୍ରଭାବ ସବୁ ଅଞ୍ଚଳରେ ସମାନ ନୁହେଁ । ଭାରତରେ ଚଳିତ ବର୍ଷ ଶୀତ କମିବା ନେଇ କେବଳ ଏଲ୍ ନିନୋକୁ ଆଧାର କରି ପୂର୍ବାନୁମାନ କରାଯାଇପାରିବ ନାହିଁ । ପାଣିପାଗ ସଂସ୍ଥା ଅନୁଯାୟୀ, ଭାରତରେ ଶୀତର ପ୍ରଭାବ ଏହି ବର୍ଷ ଦୁର୍ବଳ ହେବାର କୌଣସି ସୂଚନା ନାହିଁ । ପ୍ରଶାନ୍ତ ମହାସାଗର ବ୍ୟତୀତ, ଭାରତ ମହାସାଗରର ତାପମାତ୍ରା ମଧ୍ୟ ବିଶ୍ୱ ପାଣିପାଗ ନିର୍ଣ୍ଣୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଭାରତ ମହାସାଗର ଡାଇପୋଲ୍ ନାମକ ଏକ ଜଳବାୟୁ ଢାଞ୍ଚା ଆଖପାଖ ଅଞ୍ଚଳରେ ମୌସୁମୀ ବର୍ଷାକୁ ପ୍ରଭାବିତ କରେ । ଏହା ଅକ୍ଟୋବରରେ ସବୁଠାରୁ ଶକ୍ତିଶାଳୀ ସ୍ତରକୁ ପହଞ୍ଚିବ ଏବଂ ତା'ପରେ ଧୀରେ ଧୀରେ ଦୁର୍ବଳ ହେବ ବୋଲି ଆଶା କରାଯାଉଛି ।