ନୂଆଦିଲ୍ଲୀ:  ମଧ୍ୟପ୍ରଦେଶର ୩୩ ବର୍ଷୀୟ ଅଲରାଉଣ୍ଡର ସାରାଂଶ ଜୈନଙ୍କୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ଦଳରେ ସାମିଲ କରାଯାଇଛି। ନିଜ କ୍ରିକେଟ୍ କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଜାତୀୟ ଦଳରୁ ଡାକରା ପାଇଛନ୍ତି। ଯଦି ସେ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ (ପ୍ରଥମ ମ୍ୟାଚ୍) କରିବାର ସୁଯୋଗ ପାଆନ୍ତି, ତେବେ ୧୯୯୮ ମସିହାରେ ରବିନ୍ ସିଂହଙ୍କ ପରେ ୩୩ ବର୍ଷ ବୟସ ପରେ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିବାରେ ସେ ପ୍ରଥମ ଖେଳାଳି ହେବେ। ଇନ୍ଦୋରରେ ଜନ୍ମିତ ଏହି ଖେଳାଳି ଜଣେ ବାମହାତୀ ବ୍ୟାଟର ଏବଂ ଦକ୍ଷିଣହାତୀ ଅଫ-ବ୍ରେକ୍ ବୋଲର। ସେ ଭାରତର ମହାନ ଅଫ-ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ନିଜର ପ୍ରେରଣା ବୋଲି ମାନନ୍ତି। 

କାହିଁକି ସିଲେକ୍ଟ ହେଲେ ସାରାଂଶ ଜୈନ ?
୩୩ ବର୍ଷ ବୟସରେ ଜଣେ ଖେଳାଳିଙ୍କୁ ଜାତୀୟ ଦଳରେ ସୁଯୋଗ ଦେବା ବିଶ୍ୱ କ୍ରିକେଟରେ ବିରଳ, କିନ୍ତୁ ଚୟନକର୍ତ୍ତାମାନେ ତାଙ୍କୁ ଦଳରେ ସାମିଲ କରିବା ପଛରେ କିଛି ବିଶେଷ କାରଣ ରହିଛି । ଦଳର ପ୍ରଥମ ପସନ୍ଦ ଅଫ-ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଆହାତ ହୋଇ ଦଳରୁ ବାଦ୍ ପଡ଼ିଛନ୍ତି । ଶ୍ରୀଲଙ୍କା ଦଳରେ ଏକାଧିକ ବାମହାତୀ ବ୍ୟାଟର ଅଛନ୍ତି, ଯାହାଙ୍କ ବିପକ୍ଷରେ ଜଣେ ଅଫ-ସ୍ପିନର ବୋଲର ବେଶ୍ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରିବେ। ଶ୍ରୀଲଙ୍କାର ପିଚଗୁଡ଼ିକ ସାଧାରଣତଃ ସ୍ପିନ୍ ବୋଲରଙ୍କୁ ଅଧିକ ସହାୟତା କରିବ। ନିକଟ ଅତୀତରେ ସାରାଂଶଙ୍କର ଚମତ୍କାର ପ୍ରଦର୍ଶନ ଏହି ସେଲେକ୍ସନର ସବୁଠାରୁ ବଡ଼ କାରଣ ବୋଲି କୁହାଯାଉଛି ।

ରଣଜୀ ଟ୍ରଫି (୨୦୨୫-୨୬) ସିଜନ୍ ତାଙ୍କ କ୍ୟାରିୟରର ସବୁଠାରୁ ସଫଳ ସିଜନ୍ ଥିଲା, ଯେଉଁଥିରେ ସେ ୫୭ ହାରରେ ୫୧୮ ରନ୍ କରିବା ସହ ୨୦ ହାରରେ ୩୦ ଟି ୱିକେଟ୍ ନେଇଥିଲେ। ଦୁଲୀପ ଟ୍ରଫିରେ ସେଣ୍ଟ୍ରାଲ ଜୋନ୍ ପକ୍ଷରୁ ଖେଳି ଦୁଇଟି ଅର୍ଦ୍ଧଶତକ ଏବଂ ୧୬ ଟି ୱିକେଟ୍ ହାସଲ କରି 'ପ୍ଲେୟାର ଅଫ୍ ଦି ସିରିଜ୍' ହୋଇଥିଲେ। ନିକଟରେ ଇଣ୍ଡିଆ-ଏ ଦଳ ସହ ଶ୍ରୀଲଙ୍କା ଗସ୍ତରେ ଦ୍ୱିତୀୟ ମ୍ୟାଚରେ ସେ ଅପରାଜିତ ୭୦ ରନ୍‌ର ପାଳି ଖେଳିବା ସହ ୬ ଟି ୱିକେଟ୍ ଅକ୍ତିଆର କରିଥିଲେ। ଏହା ବ୍ୟତୀତ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ସେ ଭାରତୀୟ ଦଳର ନେଟ୍ ବୋଲର ଭାବେ କାର୍ଯ୍ୟ କରିସାରିଛନ୍ତି।

 ସାରାଂଶ ଜୈନ କିଏ ? 
ସାରାଂଶ ୨୦୧୪ ମସିହାରେ ମଧ୍ୟପ୍ରଦେଶ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ ମଧ୍ୟ ୨୦୨୨ ମସିହାରେ ସେ ଚର୍ଚ୍ଚାକୁ ଆସିଥିଲେ। ୨୦୨୨ ରଣଜୀ ଟ୍ରଫିର ନକଆଉଟ୍ ପର୍ଯ୍ୟାୟରେ ୧୩ ଟି ୱିକେଟ୍ ଏବଂ ଗୋଟିଏ ଅର୍ଦ୍ଧଶତକ ହାସଲ କରି ମଧ୍ୟପ୍ରଦେଶକୁ ପ୍ରଥମ ଥର ପାଇଁ ଚାମ୍ପିୟନ୍ କରାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ପ୍ରଥମ ଶ୍ରେଣୀ (First-Class) କ୍ରିକେଟ୍ ରେକର୍ଡ:
ମ୍ୟାଚ୍: ୫୪ 
ରନ୍: ୨,୨୨୩ (ହାରାହାରି ପ୍ରାୟ ୩୨)
ଶତକ/ଅର୍ଦ୍ଧଶତକ: ୨ ଟି ଶତକ (ସର୍ବାଧିକ ୧୦୩*) ଏବଂ ୧୪ ଟି ଅର୍ଦ୍ଧଶତକ

ୱିକେଟ୍: ୧୮୮ ଟି (ସର୍ବଶ୍ରେଷ୍ଠ ବୋଲିଂ ୬/୭୫)
୪ ଓ ୫ ୱିକେଟ୍ ସଫଳତା: ୧୦ ଥର ଲେଖାଏଁ ୪ ଓ ୫ଟି ଓ୍ବିକେଟ ନେବାରେ ସେ ସଫଳ ହୋଇଛନ୍ତି ।