ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅଞ୍ଚଳର ଜଣେ ଉବର (Uber) କ୍ୟାବ୍ ଡ୍ରାଇଭରଙ୍କ ଆଶ୍ଚର୍ଯ୍ୟକର କାହାଣୀ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଆଜିକାଲି ଲୋକେ କିଛି ଟଙ୍କା ରୋଜଗାର କରିବା ପରେ ଆରାମଦାୟକ ଜୀବନ ବିତାଇବାକୁ ପସନ୍ଦ କରୁଥିବା ବେଳେ, ଏହି ଡ୍ରାଇଭର ଜଣକ ମାସିକ ୮୦,୦୦୦ ଟଙ୍କା କେବଳ ଘର ଭଡ଼ା ବାବଦରେ ପାଉଛନ୍ତି। ଏହା ସତ୍ତ୍ୱେ ସେ ନିଜ କାମକୁ ନେଇ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଏବଂ ପ୍ରତିଦିନ ୧୨ ଘଣ୍ଟା କ୍ୟାବ୍ ଚଲାଉଛନ୍ତି।

ସୂଚନା ଅନୁଯାୟୀ, ଜଣେ ଯାତ୍ରୀ ଦିଲ୍ଲୀରେ ଯାତ୍ରା କରିବା ପାଇଁ ଏକ ଉବର କ୍ୟାବ୍ ବୁକ୍ କରିଥିଲେ। ଯାତ୍ରା ସମୟରେ ଡ୍ରାଇଭର ଏବଂ ଯାତ୍ରୀଙ୍କ ମଧ୍ୟରେ ସାଧାରଣ କଥୋପକଥନ ଆରମ୍ଭ ହୋଇଥିଲା। କଥା ପ୍ରସଙ୍ଗରେ ଡ୍ରାଇଭର ଜଣକ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଏଭଳି କିଛି ଖୁଲାସା କଲେ ଯେ, ଯାତ୍ରୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡ୍ରାଇଭର ଜଣକ ଜଣାଇଥିଲେ ଯେ, ସେ ଦିଲ୍ଲୀରେ ରୁହନ୍ତି । ତାଙ୍କ ନାଁରେ ୨ଟି ଫ୍ଲାଟ ରହିଛି ଏବଂ ଭଡ଼ା ବାବଦ​‌ରେ ସେ ପ୍ରତି ମାସରେ ୮୦,୦୦୦ ଟଙ୍କା ପାଉଛନ୍ତି । ଏହା ଶୁଣିବା ପରେ ଯାତ୍ରୀଙ୍କ ଆଶ୍ଚର୍ଯ୍ୟର ସୀମା ରହିନଥିଲା।

ଭଡ଼ା ୮୦ ହଜାର, ତଥାପି ୧୨ ଘଣ୍ଟାର ପରିଶ୍ରମ
ଯାତ୍ରୀ ଜଣକ ଯେତେବେଳେ ତାଙ୍କୁ ପଚାରିଲେ ଯେ, ଯଦି ଆପଣ ୮୦ ହଜାର ଟଙ୍କା ଭଡ଼ା ପାଉଛନ୍ତି, ତେବେ କ୍ୟାବ୍ ଚଲାଇବାର ଆବଶ୍ୟକତା କଣ ? ଡ୍ରାଇଭର ଜଣକ ଖୁବ୍ ସରଳତାର ସହ ଉତ୍ତର ଦେଇଥିଲେ ଯେ, ଏହି କାମ ତାଙ୍କର ଜୀବିକା ଏବଂ ସେ ନିଜ କାମକୁ ଖୁବ୍ ଭଲ ପାଆନ୍ତି।  ସେ କୌଣସି ଅଳସୁଆମି ନକରି ଦୈନିକ ୧୨ ଘଣ୍ଟା କଠିନ ପରିଶ୍ରମ କରନ୍ତି। ଡ୍ରାଇଭରଙ୍କ କହିବା ଅନୁଯାୟୀ, କଠିନ ପରିଶ୍ରମ ହିଁ ତାଙ୍କୁ ଏଭଳି ଏକ ସୁନ୍ଦର ଜୀବନଶୈଳୀ ଅତିବାହିତ କରିବାର ସୁଯୋଗ ଦେଇଛି ଏବଂ ସେ ନିଜ ରୋଜଗାରକୁ ନେଇ ବେଶ୍ ସନ୍ତୁଷ୍ଟ।

ଡ୍ରାଇଭର ଜଣକ ଦିଲ୍ଲୀରେ ତାଙ୍କର ଜଣେ ସଂପର୍କୀୟଙ୍କ କାରଖାନାରେ କାମ କରୁଥିଲେ, ଭଲ ଦରମା ପାଉଥିଲେ । କିନ୍ତୁ ବର୍ଷେ ତଳେ ସେ ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସୁସ୍ଥ ହେବା ପରେ ସେ କାମ କରିପାରି ନଥିଲେ । ସଂପର୍କୀୟ ମାନେ କହିଲେ, ହୃଦଘାତର ଶିକାର ମଣିଷ କୌଣସି କାମ କରିପାରିବ ନାହିଁ । ଏହା ପରେ ସେ ସ୍ଥିର କରିଥିଲେ, ଯେତେ ଟଙ୍କା ବାହାରୁ ରୋଜଗାର ହେଲେ ବି, ନିଜେ କିଛି କାମ କରିବେ । ଶେଷରେ ସେ ଉବର ଡ୍ରାଇଭର ହେବାକୁ ସ୍ଥିର କଲେ, ଏବଂ ଏବେ ସେ ମାସକୁ ପ୍ରାୟ ୫୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ସେ  ଘର ଭଡ଼ା ଏବଂ ନିଜ ରୋଜଗାରକୁ ମିଶାଇ ୧.୩ ଲକ୍ଷ ଟଙ୍କା ମାସିକ ରୋଜଗାର କରୁଛନ୍ତି ।

ଘରେ ବସି ଖାଇଥିଲେ ବି ତାଙ୍କୁ କିଛି ଅସୁବିଧା ନଥିଲା । କିନ୍ତୁ ସେ ଉଭର ଡ୍ରାଇଭର ଭାବରେ ଦିକୁ ୧୨ ଘଣ୍ଟା କାମ କରୁଛନ୍ତି । ଏଭଳି କାହିଁକି ବୋଲି ପ୍ରଶ୍ନରେ ଉବର ଡ୍ରାଇଭର ଜଣକ କହିଛନ୍ତି, ମୋତେ କିଛି କରିବାର ଥିଲା । ହୃଦଘାତ ପରେ ମୁଁ କୌଣସି କାମ କରିପାରିବି ନାହିଁ ବୋଲି କହୁଥିବା ଲୋକଙ୍କୁ ଜବାବ ଦେବାକୁ ମୁଁ ଏଭଳି କାର୍ଯ୍ୟ ବାଛିଲି । ହାର୍ଟ ଆଟାକ ହେଲେ କୌଣସି ବ୍ୟକ୍ତି କମଜୋର ହୋଇଯାଏନି, ଏକଥା ମୋତେ ପ୍ରମାଣିତ କରିବାର ଥିଲା ବୋଲି ସେ କହିଛନ୍ତି । 

ସେପଟେ ସୋସିଆଲ ମିଡିଆରେ ଏହି ଷ୍ଟୋରୀ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ଅନୁସାରେ, ଡ୍ରାଇଭର ଜଣକ ନିଜର ଦୁଇଟି ଫ୍ଲାଟ  ଦୁଇ ଝିଅଙ୍କ ଭବିଷ୍ୟତ ପାଇଁ ରଖିଛନ୍ତି ।  ଏହାକୁ ନେଇ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଅନେକ ଲୋକ ଡ୍ରାଇଭରଙ୍କ କର୍ମ ଏବଂ ସାଧୁତାକୁ ସଲାମ କରିଛନ୍ତି। ସେମାନଙ୍କ ମତରେ, କୌଣସି କାମ ଛୋଟ କିମ୍ବା ବଡ଼ ନୁହେଁ ଏବଂ ପରିଶ୍ରମ ବଳରେ ସବୁକିଛି ସମ୍ଭବ। କିଛି ୟୁଜର୍ସ କହିଛନ୍ତି ଯେ, ଦିଲ୍ଲୀରେ ୮୦ ହଜାର ଟଙ୍କା ଭଡ଼ା ପାଉଥିବା ଲୋକ କ୍ୟାବ୍ ଚଲାଇବା ସତରେ ଅବିଶ୍ୱସନୀୟ।