ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଇଣ୍ଡିଅନ୍ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ସାମ ପିଟ୍ରୋଡା । ସେ ପିଏମ୍ ମୋଦୀଙ୍କୁ ଦୟାଳୁ, ସ୍ନେହୀ, ପରିଶ୍ରମୀ ଏବଂ ଜଣେ ଭଲ ବକ୍ତା ବୋଲି କହିଛନ୍ତି । ପିଟ୍ରୋଡା କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସଂପର୍କ ଖୁବ ଭଲ ଏବଂ ତାଙ୍କ ମନରେ କୌଣସି ବ୍ୟକ୍ତିଗତ ବିରୋଧ ନାହିଁ । ତାଙ୍କର ଏହି ବୟାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟ ପ୍ରତିକ୍ରିୟା ଆସିଛି । ପିଏମ୍ ମୋଦୀ କଂଗ୍ରେସ ନେତା ଏବଂ ତାଙ୍କ ପରିବାରକୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି ।

ଇଣ୍ଡିଅନ ଓଭରସିଜ୍ କଂଗ୍ରେସ ଅଧ୍ୟକ୍ଷ ସାମ୍ ପିଟ୍ରୋଡା ଏକ ସାକ୍ଷାତକାରରେ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣେ ବ୍ୟକ୍ତି ଭାବେ ସମ୍ମାନ କରନ୍ତି । ସେ କହିଛନ୍ତି ଯେ ଅନେକ ଥର ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ସାରିଛନ୍ତି ଏବବଂ ଗୁଜରାଟରେ ତାଙ୍କ ଘରକୁ ମଧ୍ୟ ଯାଇସାରିଛନ୍ତି । ପିଟ୍ରୋଡାଙ୍କ ଅନୁସାରେ, ତାଙ୍କ ପତ୍ନୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ପିଏମ୍ ମୋଦୀ ତାଙ୍କ ପ୍ରତି ବ୍ୟକ୍ତିଗତ ଭାବେ ଖୁବ ଆତ୍ମୀୟ ଥିବା ସେ କହିଛନ୍ତି ।

ସାମ୍ ପିଟ୍ରୋଡା ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିତ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ମଧ୍ୟରେ ବିଚାରଧାରାର ମତଭେଦ ରହିଛି । ସେ କହିଛନ୍ତି ଯେ ଦୁନିଆକୁ ଦେଖିବା ନେଇ ମୋଦୀଙ୍କ ଦୃଷ୍ଟିକୋଣ ଏବଂ ତାଙ୍କ ବିଚାରଧାରାରେ ଅସହମତି ଥାଇପାରେ, କିନ୍ତୁ ଏହା ବ୍ୟକ୍ତିଗତ ବିରୋଧଠାରୁ ଅଲଗା ବିଷୟ । ସେ କହିଛନ୍ତି, 'ଏହା କୌଣସି ବ୍ୟକ୍ତି ବିରୋଧରେ ନାହିଁ, ବରଂ ତାଙ୍କ ବିଚାରଧାରା ବିରୋଧରେ ଅଟେ । ଏହି ଦୁଇ ଅଲଗା ଅଲଗା ବିଷୟ ଅଟେ । ମୁଁ ମିଷ୍ଟର ମୋଦୀଙ୍କ ସହ ଅସହମତ ହୋଇପାରେ ଏବଂ ତାଙ୍କ ସହ ବସି ଖାଦ୍ୟ ବି ଖାଇ ପାରିବି ଏପରି କି ତାଙ୍କ ସହ ହସ-ମଜାକ୍ ମଧ୍ୟ କରିପାରିବି ।'

 

ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି, 'ସାମ ଭାଇ ଏବଂ ଅଞ୍ଜନା ବେନଙ୍କୁ ଦୀପାବଳି ଏବଂ ନୂତନ ବର୍ଷର ଶୁଭେଚ୍ଛା । ଆଗାମୀ ବର୍ଷଟି ଆନନ୍ଦ ଏବଂ ସୁସ୍ଥତାରେ ପରିପୂର୍ଣ୍ଣ ହେଉ । ଜୟ ଜଗନ୍ନାଥ !'

ସାମ୍ ପିଟ୍ରୋଡାଙ୍କ ଭଳି ଜଣେ ନେତାଙ୍କ ତାଙ୍କ ଚିର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଏହି ପ୍ରକାରର ମନ୍ତବ୍ୟ ଉପରେ ଲୋକମାନେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ବେଫିଟିଂଫ୍ୟାକ୍ଟସ୍ ନାମକ ଏକ ହ୍ୟାଣ୍ଡେଲ ଲେଖିଛନ୍ତି, "ସାମ୍ ପିଟ୍ରୋଡା ଧୂରନ୍ଧର ବାହାରିଲେ" । କେହି ଜଣେ ତାଙ୍କୁ "ହମଜା ଅଲି ପିଟ୍ରୋଡା" ବୋଲି କହିଛନ୍ତି । ରିଚା ଦ୍ୱିବେଦୀ ନାମକ ଏକ ହ୍ୟାଣ୍ଡେଲ ଲେଖିଛନ୍ତି, "ସାମ୍ ଭାଇ । ଏହାକୁ ଗୁଜରାଟୀ ଭାଇଚାରା କୁହାଯାଏ !"

 

ତେବେ ଏହାକୁ ନେଇ ଏକ୍ସରେ ଆଉ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ସାମ୍ ପିଟ୍ରୋଡାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ପୋଷ୍ଟରେ ମିହିର ଝା ନାମକ ଜଣେ ବ୍ୟକ୍ତି ହିନ୍ଦୀରେ ମନ୍ତବ୍ୟ ଲେଖିଥିଲେ । ଲେ କହିଥିଲେ, ସାମ୍ ପିଟ୍ରୋଡାଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇ ପାରୁଛନ୍ତି, ଆମକୁ ବି ଶୁଭେଚ୍ଛା ଜଣାଇ ଦିଅନ୍ତୁ ପ୍ରଧାନମନ୍ତ୍ରୀ । ଆଶ୍ଚର୍ଯ୍ୟ କଥା, ପ୍ରଧାନମନ୍ତ୍ରୀ ମୋଦୀ ଏହି ପୋଷ୍ଟରେ ମିହିର ଝାଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଥିଲେ ।