ଭୁବନେଶ୍ବର ୪।୯: ପେପରଲେସ୍ ହେବ ସେଲ୍ ଡିଡ୍ ରେଜିଷ୍ଟ୍ରେସନ । ଚାରି ପୃଷ୍ଠାରେ ସୀମିତ ରହିବ ପଞ୍ଜୀକରଣ ଦଲିଲ । ଏଥିପାଇଁ ପୁରୁଣା ନିୟମର ସଂଶୋଧନ କରାଯିବ । ନାଗରିକକୈନ୍ଦ୍ରିକ ଏବଂ ସମ୍ପୂର୍ଣ୍ଣ ଡିଜିଟାଲ୍ ପଞ୍ଜୀକରଣ ବ୍ୟବସ୍ଥା ଦିଗରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଉଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଗୁରୁବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ଏହି ବୈଠକରେ ପେପରଲେସ୍ ଡିଡ୍ ରେଜିଷ୍ଟ୍ରେସନ ବ୍ୟବସ୍ଥା ପ୍ରଚଳନ ପାଇଁ Registration Act, 1908ରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ନେଇ ଆଲୋଚନା ହୋଇଥିବା ବେଳେ ଆଗକୁ କ୍ୟାବିନେଟ ଅନୁମୋଦନ କରାଯାଇ ବିଧାନସଭାରେ ବିଲ୍ ଅଣାଯିବ । ଲୋକଙ୍କୁ ସ୍ୱଚ୍ଛ, ସୁବିଧା ଓ ଶୀଘ୍ର ସେବା ପ୍ରଦାନ ଲକ୍ଷ୍ୟରେ ରାଜ୍ୟ ସରକାର ପଞ୍ଜୀକରଣ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଡିଜିଟାଲାଇଜେସନ ପାଇଁ ପଦକ୍ଷେପ ନେଉଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

Also Read:- ଜନ୍ମାଷ୍ଟମୀରେ ଚାଷୀଙ୍କୁ ଉପହାର, ଖାତାକୁ ଆସିଲା CM-KISANର ପଞ୍ଚମ କିସ୍ତି

ପଞ୍ଜୀକରଣଯୋଗ୍ୟ ଦଲିଲ ପାଇଁ Standard Templates ପ୍ରସ୍ତୁତ କରାଯିବା ସହ ନିର୍ଦ୍ଦିଷ୍ଟ ବର୍ଗର ଦଲିଲ ପାଇଁ ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ ପଞ୍ଜୀକରଣ ବ୍ୟବସ୍ଥା ରହିବ । ଇଲେକ୍ଟ୍ରୋନିକ୍ ଭାବେ ଜାରି ହେଉଥିବା ରେଜିଷ୍ଟ୍ରେସନ ସାର୍ଟିଫିକେଟକୁ ଇଲେକ୍ଟ୍ରୋନିକ ସିଗ୍ନେଚର ଓ ଇଲେକ୍ଟ୍ରୋନିକ ସିଲ୍ ସହିତ ପ୍ରଦାନ କରାଯିବ । ଏହାର ଆଇନଗତ ବୈଧତା ଭୌତିକ ପ୍ରମାଣପତ୍ର ସହ ସମାନ ରହିବ । ଏହି ବ୍ୟବସ୍ଥାରେ ପଞ୍ଜୀକରଣ ରେକର୍ଡକୁ ଲ୍ୟାଣ୍ଡ ରେକର୍ଡ, ରାଜସ୍ୱ ରେକର୍ଡ, ପୌରାଞ୍ଚଳ, ପ୍ଲାନିଙ୍ଗ ଅଥରିଟି, ଅର୍ଥନୀତିକ ଅନୁଷ୍ଠାନ ଓ ଅନ୍ୟାନ୍ୟ ସରକାରୀ ବ୍ୟବସ୍ଥା ସହ ଡିଜିଟାଲ୍ ଭାବେ ସଂଯୁକ୍ତ କରାଯିବ। ପଞ୍ଜୀକରଣ ରେକର୍ଡ, ଲ୍ୟାଣ୍ଡ ରେକର୍ଡ ଓ ମ୍ୟୁଟେଶନ ରେଜିଷ୍ଟର ମଧ୍ୟରେ ସମନ୍ୱୟ କରି ମ୍ୟୁଟେସନ୍ ପ୍ରକ୍ରିୟାକୁ ମଧ୍ୟ ଇଲେକ୍ଟ୍ରୋନିକ୍ ଭାବେ ଆରମ୍ଭ ଓ ଶେଷ କରିବାର ବ୍ୟବସ୍ଥା ରହିବ ।