ନୂଆଦିଲ୍ଲୀ: ବିଜେପି ଜାତୀୟ ମୁଖପାତ୍ର ସହେଜାଦ ପୁନାୱାଲା ପାର୍ଟିର ସବୁ ପଦପଦବୀରୁ ଇସ୍ତଫା ଦେବା ସମେତ ପ୍ରାଥମିକ ସଦସ୍ୟତା ମଧ୍ୟ ତ୍ୟାଗ କରିଛନ୍ତି। ଟେଲିଭିଜନ ବିତର୍କରେ ପାର୍ଟିର ସବୁଠୁ ଜଣାଶୁଣା ଚେହେରା ମଧ୍ୟରେ ଅନ୍ୟତମ ପୁନାୱାଲା କହିଛନ୍ତି ଯେ ସେ ତାଙ୍କ ବ୍ୟକ୍ତିଗତ ଓ ଆର୍ଥିକ କାରଣରୁ ପାର୍ଟିରୁ ଦୂରେଇବାକୁ ନିଷ୍ପତ୍ତି ନେଇଛନ୍ତି। ବିଜେପି ଛାଡିବା ପରେ ପୁନାୱାଲା ଏକ ସାକ୍ଷାତକାରରେ କହିଛନ୍ତି ଯେ ବିଜେପି ସମେତ ଅନ୍ୟ ରାଜନୈତିକ ପାର୍ଟିମାନେ ସେମାନଙ୍କ ମୁଖପାତ୍ରଙ୍କୁ ବେତନ ଦେଉ ନାହାନ୍ତି। ଏଣୁ ସେ ତାଙ୍କର ଦୈନନ୍ଦିନ ଖର୍ଚ୍ଚ ତୁଲାଇବାକୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ପୁନାୱାଲା କହିଛନ୍ତି ଯେ ମୋତେ ଘର ଭଡ଼ା ଦେବାକୁ ଅଛି, ଘର ମାଲିକ ମୋତେ ମାଗଣାରେ ରହିବାକୁ ଦେଉ ନାହାନ୍ତି। ସେ ମୋତେ ୧ ତାରିଖରେ ଘର ଭଡା ମାଗୁଛନ୍ତି, ହେଲେ ରାଜନୈତିକ ପାର୍ଟିମାନେ ଅଧୁଲିଟେ ବି ଦେଉ ନାହାନ୍ତି। ତେବେ ସେ ଏହା କହିଛନ୍ତି ଯେ ମୋତେ ବିଜେପି ନିକଟରୁ ଖର୍ଚ୍ଚ ତୁଲେଇବାକୁ କିଛି ପଇସା ମିଳିବ ସେ ଆଶା ନଥିଲା। ହେଲେବି ପାର୍ଟି ଓ ପ୍ରଧାନମନ୍ତ୍ରୀଙ୍କ ପ୍ରତି ତାଙ୍କ ଦର୍ଶନ ଏବେବି ସେଇଆ ରହିଛି ଯାହା ପୂର୍ବରୁ ଥିଲା। ପୁନାୱାଲା କହିଛନ୍ତି ଯେ ମୋର ଅଥବା କୌଣସି କାର୍ଯ୍ୟକର୍ତ୍ତାଙ୍କ ଦୈନନ୍ଦିନ ବ୍ୟୟ ତୁଲାଇବା ବିଜେପିର କାମ ନୁହେଁ।

କଂଗ୍ରେସ ଛାଡିବା ପରେ ପୁନାୱାଲା ୨୦୨୧ ମସିହାରେ ବିଜେପିରେ ଯୋଗ ଦେଇଥିଲେ। ସେତେବେଳେ ମଧ୍ୟ ସେ ପାର୍ଟି ଛାଡିବାର ମୁଖ୍ୟ କାରଣ ଏହାହିଁ ଥିଲା। କଂଗ୍ରେସ ମଧ୍ୟ ତାଙ୍କୁ ପଇସାଟିଏ ଦେଉ ନଥିଲା। ସେ କହିଛନ୍ତି ଯେ ଅଧିକାଂଶ ନେତା ‘ଲେତା’ (ଲାଭ ନେଉଥିବା ଲୋକେ) ନଚେତ ‘ବେଟା’ (ବଡ଼ ରାଜନୈତିକ ନେତାଙ୍କ ସନ୍ତାନସନ୍ତତି) ହୋଇଥାନ୍ତି। ହେଲେ ଏମାନଙ୍କ ମଧ୍ୟରୁ ମୁଁ କୌଣସି ଶ୍ରେଣୀରେ ଆସୁ ନାହିଁ। ଏଣୁ ମୋତେ ମୋର ଖର୍ଚ୍ଚ ତୁଲେଇବା ପାଇଁ ରାସ୍ତା ଖୋଜିବାକୁ ପଡୁଛି।

ପୁନାୱାଲା ବାରମ୍ବାର କହିଛନ୍ତି ଯେ ତାଙ୍କ ଇସ୍ତଫା ଅଚାନକ ନିଆଯାଇଥିବା ନିଷ୍ପତ୍ତି ନୁହେଁ। ସେ ଏ ବାବଦେ ୨୦୦୨୪ ମସିହାରୁ ଚିନ୍ତା କରିଆସୁଛନ୍ତି। ସେ କହିଛନ୍ତି ଯେ ଯେବେ କିଛି ସପ୍ତାହ ପୂର୍ବେ ପାର୍ଟି ଛାଡିବାକୁ ସେ ନିଷ୍ପତ୍ତି ନେଲେ ପାର୍ଟି ନେତୃତ୍ୱ ତାଙ୍କ ସହ ସମ୍ପର୍କ କରିଥିଲେ। ସେ କହିଛନ୍ତି ଯେ ଯେଉଁମାନେ ମୋତେ ସମ୍ପର୍କ କରିବାର ଥିଲା ସେମାନେ ୩୦ ଜୁଲାଇ ପୂର୍ବରୁ ମୋ ସହ ସମ୍ପର୍କ କରିଥିଲେ। ମୁଁ ଯେତେବେଳେ ମୋ ସମସ୍ୟା କହିଲି ସେମାନେ ମୋତେ ଯତପରୋନାସ୍ତି ସହାୟତା କରିବାକୁ ଉଦ୍ୟମ କରିଥିଲେ। ହେଲେ କାହାଠୁ ସହାୟତା ନେବା ପାଇଁ ମୋ ଅନ୍ତରାତ୍ମା ମୋତେ ଅନୁମତି ଦେଇନଥିଲା।

ସେ କହିଛନ୍ତି ଯେ ବିଜେପି ମୋ ଲାଗି ଚାକିରିର ମାଧ୍ୟମ ନୁହେଁ, ବରଂ ବିଚାରଧାରାରେ ଜଡିତ ହେବାର ସୁଯୋଗ। ଏହି ବିଚାରଧାରା ଓ ମୋଦିଜୀଙ୍କ ଭିଜନ ପ୍ରତି ସମର୍ପିତ ହେବା ଲାଗି ମୋତେ ପାର୍ଟିର କୌଣସି ପଦପଦବୀରେ ରହିବାର ଆବଶ୍ୟକତା ନାହିଁ। ତେବେ ପୁନାୱାଲା କଂଗ୍ରେସକୁ ଫେରିବାକୁ ମନା କରିଦେଇଛନ୍ତି। ତେବେ ସେ ମଜାଳିଆ ଅନ୍ଦାଜରେ କଂଗ୍ରେସରେ ପୁଣି ସାମିଲ ହେବା ପାଇଁ ସର୍ତ୍ତ ରଖିଛନ୍ତି। ସେ କହିଛନ୍ତି ମୁଁ ଗୋଟିଏ ସର୍ତ୍ତରେ କଂଗ୍ରେସରେ ସାମିଲ ହେବି ତାହା ହେଉଛି ରାହୁଲ ଓ ସୋନିଆ ଗାନ୍ଧି, ପ୍ରିୟଙ୍କା ୱାଡ୍ରାଙ୍କୁ ପାର୍ଟିରୁ ହଟାଅ ଓ ନେହରୁଙ୍କ କାମ ଲାଗି କ୍ଷମାଯାଚନା କର।