ନୂଆଦିଲ୍ଲୀ ୧୭।୧୨: ସଂସଦରେ ବୁଧବାର ସବକା ବୀମା ସବକୀ ରକ୍ଷା (ଇନସ୍ୟୁରାନ୍ସ ଆଇନ ସଂସୋଧନ) ବିଲ ୨୦୨୫ ଗୃହୀତ ହୋଇଯାଇଛି। ଏହି ବିଲକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବହୁମତରେ ଗୃହୀତ କରାଯାଇଛି। ଦେଶର ବୀମା କ୍ଷେତ୍ରରେ ବିଦେଶ ସିଧା ନିବେଶ (ଏଫଡିଆଇ)କୁ ଏବେକା ୭୪%ରୁ ବଢାଇ ୧୦୦% କରିବାକୁ ବିଧେୟକରେ ପ୍ରାବଧାନ ରହିଛି। ଏହା ଦ୍ୱାରା ବୀମା ପହଞ୍ଚ ବଢିବା, ପ୍ରିମିୟମ ହ୍ରାସ ହେବା ଓ ରୋଜଗାରର ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ବିଲ୍ ରେ ବିରୋଧୀ କିଛି ସଂଶୋଧନ ପ୍ରସ୍ତାବ ଦେଇଥିଲେ। ତେବେ ସଂସଦ ଏହାକୁ ଖାରଜ କରିଦେଇଛି। ବିଧେୟକ ଉପରେ ଚର୍ଚ୍ଚାର ଜବାବ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏହି ସଂଶୋଧନ ଯୋଗୁ ବିଦେଶୀ କମ୍ପାନୀଙ୍କୁ ଦେଶର ବୀମା କ୍ଷେତ୍ରରେ ଅଧିକ ପୁଞ୍ଜି ଆଣିବାକୁ ଅନୁମତି ମିଳିବ। ସୀତାରମଣ ସଦନ କୁ କହିଛନ୍ତି ଯେ ଦେଶରେ ଇନସ୍ୟୁରାନ୍ସ ର ପହଞ୍ଚ ବଢିବାରେ ସହାୟତା ମିଳିବ। ସେ କହିଛନ୍ତି ଯେ ଏଫଡିଆଇ ଲିମିଟ ୧୦୦% ପର୍ଯ୍ୟନ୍ତ ବଢିବା ଯୋଗୁ ଅଧିକ ବିଦେଶୀ କମ୍ପାନୀ ଭାରତ ଆସିବା ଲାଗି ରାସ୍ତା ଫିଟିବ। କାରଣ କେତେକ କ୍ଷେତ୍ରରେ ସେମାନଙ୍କୁ ଅଲଗା ଅଲଗା କାରଣ ଯୋଗୁ ଜଏଣ୍ଟ ଭେଞ୍ଚର ପାର୍ଟନର ମିଳୁ ନାହାନ୍ତି।

ମନ୍ତ୍ରୀ କହିଛନ୍ତି ଯେ ଅଧିକ କମ୍ପାନୀ ଆସିଲେ ପ୍ରତିଯୋଗୀତା ବଢିବ ଓ ପ୍ରିମିୟମ କମ ହେବ। କିଛି ସଦସ୍ୟଙ୍କ ଚାକିରୀ ସମ୍ପର୍କିତ ଚିନ୍ତାକୁ ଦୂର କରି ସୀତାରମଣ କହିଛନ୍ତି ଯେ ଏହାର ଓଲଟା ରୋଜଗାର ସୃଜନ ହେବ। ସେ ତାଙ୍କ ଦାବିକୁ ସମର୍ଥନ କରିବାକୁ ଯାଇ କହିଛନ୍ତି ଯେ ଯେବେ ଏଫଡିଆଇ ସୀମା ୨୬%ରୁ ବଢାଇ ୭୪% କରାଗଲା ସେତେବେଳେ ଏହି ସେକ୍ଟରରେ ନିଯୁକ୍ତି ୩ ଗୁଣା ବଢି ଯାଇଥିଲା।

ଏହା ଛଡା ମନ୍ତ୍ରୀ ବିରୋଧୀଙ୍କ ତରବରିଆ ବିଧେୟକ ଗ୍ରୁହୀତ କରିବା ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଏହା ଉପରେ ପାଖାପାଖି ୨ ବର୍ଷ ହେଲା କଥାବାର୍ତ୍ତା ଚାଲିଥିଲା। ବୀମା ଅଧିନିୟମ ୧୯୩୮, ଜୀବନ ବୀମା ନିଗମ ଅଧିନିୟମ ୧୯୫୬, ବୀମା ନିୟାମକ ଓ ବିକାଶ ପ୍ରାଧିକରଣ ଅଧିନିୟମ ୧୯୯୯ ର ସଂଶୋଧନ ସବକା ବୀମା ସବକୀ ରକ୍ଷା ବିଲ ୨୦୨୫ରେ ହେବ । ଏହି ନୂଆ ବିଧେୟକରେ ଏକ ଅଣ ବୀମା କମ୍ପାନୀ ସହ ବୀମା ଫାର୍ମ ସହ ବିଲୟର ରାସ୍ତା ମଧ୍ୟ ଖୋଲିବ। ତେବେ ଏହି ବିଲର ମୁଖ୍ୟ ଉଦ୍ଦେଶ୍ୟ ବୀମା କ୍ଷେତ୍ରର ଦ୍ରୁତ ବିକାଶ କରିବା ଓ ପଲିସିଧାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା।