ନୂଆଦିଲ୍ଲୀ, ୨୫/୧୦ : ଦୀପାବଳିର ଠିକ୍ ପୂର୍ବରୁ ସୁନା ଦରରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଛି। ଏହାଦ୍ୱାରା ଗ୍ରାହକ ଏବଂ ନିବେଶକଙ୍କ ଆଗରେ ଏକ ବଡ଼ ପ୍ରଶ୍ନ ଉଠୁଛି। ବର୍ତ୍ତମାନ ଏହି ଦାମୀ ଧାତୁକୁ ଜମା କରିବା ଅବା କିଣିବାର ସମୟ ନା ଦର ସ୍ଥିର ହେବା ପୂର୍ବରୁ ଆହୁରି ଖସିବା ସମ୍ଭାବନା, ସେ ନେଇ ସସପେନ୍ସ ଲାଗି ରହିଛି ।

ଚଳିତ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ପାଖାପାଖି ୪% ଖସିଛି। ଏହି ୪ ମାସରେ ସୁନାର ଏହା ସର୍ବବୃହତ୍ ହ୍ରାସ। ଅଶୋଧିତ ତୈଳ ଦରରେ ବୃଦ୍ଧି, ଦରଦାମ ଚିନ୍ତା ଏବଂ କଡ଼ା ମୁଦ୍ରାନୀତି ଆଶଙ୍କା ଯୋଗୁ ସୁନା ଆଉନ୍ସ ପିଛା ୪,୦୦୦ ଡଲାର ପର୍ଯ୍ୟନ୍ତ ଖସିଯାଇଛି। ଘରୋଇ ବଜାରରେ ବି ଦର ହ୍ରାସ ଟ୍ରେଣ୍ଡ୍ ଦେଖିବାକୁ ମିଳୁଛି। ଭୁବନେଶ୍ଵରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ ସୁନା ଦର ଯଥାକ୍ରମେ ୧,୩୦,୭୦୦ ଟଙ୍କା ଏବଂ ୧,୪୨,୫୮୦ ଟଙ୍କାକୁ ଖସିଆସିଛି। ଅକ୍ଟୋବର ୨୦ରୁ ଦର ପାଖାପାଖି ୫,୦୦୦ ଟଙ୍କା ଖସିଛି ।

Also Read :- ପାକିସ୍ତାନରେ ଗ୍ୟାସ୍ ସିଲିଣ୍ଡର ଦାମ୍ ୭୦୦୦ ଟଙ୍କା ! LPG ବଦଳରେ ଏବେ କାଠଚୂଲି ଭରସା

ଖାଲି ସୁନା ନୁହେଁ, ରୁପା ଦର ବି ଖସୁଛି। କିଲୋଗ୍ରାମ ପିଛା ଏହା ବର୍ତ୍ତମାନ ୨,୨୦,୦୦୦ ଟଙ୍କାକୁ ଖସିଆସିଛି। ଗୋଟିଏ ସମୟରେ ଏହା ୪ ଲକ୍ଷ ଟଙ୍କା ଉପରେ ଥିଲା। ଚଳିତବର୍ଷ ଜାନୁଆରୀରେ ଏହା ୪,୨୦,୦୦୦ ଟଙ୍କାରେ କାରବାର କରୁଥିଲା।

ସୁନା ଦର ଖସିବାର ଅନେକ କାରଣ ରହିଛି । ତେଲର ବର୍ଦ୍ଧିତ ଦର ସୁନା ପାଇଁ ବଡ଼ ବାଧକ ପାଲଟିଛି। ସାଉଦି ଆରବର ତୈଳ ଭିତ୍ତିଭୂମି ଉପରେ ହୂତି ବିଦ୍ରୋହୀଙ୍କ ହମଲା ପରେ ଶକ୍ତି ଯୋଗାଣରେ ହ୍ରାସ ବଢ଼ିଯାଇଛି। ଫଳରେ ଅଶୋଧିତ ତୈଳ ଦର ୧୧୬ ଡଲାର ପାର କରିଛି। ବର୍ଦ୍ଧିତ ଅଶୋଧିତ ତୈଳ ଦର ଦରବୃଦ୍ଧିକୁ ତେଜିବା ଆଶଙ୍କା ରହିଛି।

କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସେମାନଙ୍କ ପ୍ରମୁଖ ସୁଧ ହାରକୁ ଲମ୍ବା ସମୟ ଧରି ଉଚ୍ଚ ରଖିପାରନ୍ତି। ଉଚ୍ଚ ସୁଧ ହାର ଏବଂ ଟ୍ରେଜେରୀ ୟିଲ୍ଡ ସାଧାରଣତଃ ସୁନା ଚାହିଦାକୁ କମାଇଥାଏ । କାରଣ ଏହି ଧାତୁ ସୁଧ ଆୟ ଦିଏ ନାହିଁ । ସେହିଭଳି ମଜଭୁତ ଆମେରିକୀୟ ଡଲାର ଚାପ ବଢ଼ାଉଛି। ଭିନ୍ନ ଭିନ୍ନ ଭିନ୍ନ ଆସେଟ୍ ବର୍ଗରେ ପୁଞ୍ଜି ବହିଃପ୍ରବାହ ସୁନା ଦର ହ୍ରାସରେ ଯୋଗଦାନ ଦେଇଛି।