ନୂଆଦିଲ୍ଲୀ: ପାର୍ବଣ ସମୟରେ ଖାଦ୍ୟ ପାନୀୟ ଠାରୁ ଆରମ୍ଭ କରି ଗାଡ଼ି ଘୋଡ଼ାର ଦାମ ଅହେତୁକ ବୃଦ୍ଧି ପାଇଛି। ମହଙ୍ଗା ମାଡ଼ରେ ଗ୍ରାହକଙ୍କ ପକେଟ ଚିରିଗଲାଣି। ଏତିକିବେଳେ ସଉକ ପାଇଁ ମଣିଷ ଯେଉଁ ପାନ ଖଣ୍ଡେ ଚୋବାଉଥିଲା, ଏବେ ସିଏ ଚୂନ ଲଗାଇବାକୁ ବସିଛି। ଅର୍ଥାତ୍ ପାନ ଦର ଏବେ ଆକାଶ ଛୁଆଁ।

ପାନ ପତ୍ର ଦର ହଠାତ୍ ଏତେ ବଢ଼ି ଯାଇଛି ଯେ ଦୋକାନୀଙ୍କ ଠାରୁ ଆରମ୍ଭ କରି ପାନ ସଉକିଆଙ୍କ ବଜେଟ୍ ବିଗିଡ଼ି ଯାଇଛି। ପଶ୍ଚିମବଙ୍ଗ ଓ ଓଡ଼ିଶାରୁ ଆସୁଥିବା ମିଠା ପାନ ପତ୍ର ଦର ହଠାତ୍ ବଢ଼ିଛି। ଦୈନିକ ଜାଗରଣରେ ପ୍ରକାଶିତ ରିପୋର୍ଟ ଅନୁସାରେ ୪ ଦିନ ପୂର୍ବରୁ ୧୯୦ଟି ପାନ ପତ୍ର ୩୫୦ ଟଙ୍କାରେ ବିକ୍ରି ହେଉଥିଲା। ହେଲେ ଏବେ ଏହା ବଢ଼ି ସିଧା ୯୦୦ ଟଙ୍କାରେ ପହଞ୍ଚିଛି। ସେହିପରି ବନାରସରୁ ଆସୁଥିବା ପାନ ଦର ୫୦୦ ଟଙ୍କାରୁ ବଢ଼ି ୬୦୦ରୁ ୬୨୦ ଟଙ୍କା ପର୍ଯ୍ୟନ୍ତ ହୋଇଯାଇଛି।

ଦର ବୃଦ୍ଧି ପରେ ଦୁଇଟି ମସଲା ପାନର ଦାମ ୧୦ ଟଙ୍କାରୁ ସିଧା ଡବଲ ମାନେ ୨୨-୨୪ ଟଙ୍କା ହୋଇଛି। ଏ ଅବସ୍ଥା ଉତ୍ତର ପ୍ରଦେଶର ଆଗ୍ରାରେ ବୋଲି ମିଡିଆ ରିପୋର୍ଟ କରିଛି। ତେବେ ଓଡ଼ିଶାରେ ପାନ ଦର ଉପରେ କୌଣସି ପ୍ରଭାବ ପଡ଼ି ନାହିଁ। ଆମ ରାଜ୍ୟରେ ଆଗ୍ରା ଠାରୁ ଖୁବ୍ ଶସ୍ତାରେ ପାନ ମିଳୁଛି। କେଉଁଠି ୩ ଖଣ୍ଡ ମସଲା ପାନର ଦାମ ୧୦ ଟଙ୍କା ଥିବା ବେଳେ କେଉଁଠି ସେହି ଦାମରେ ୪ ଖଣ୍ଡ ଭଙ୍ଗା ପାନ ମିଳୁଛି।

ସପ୍ଲାଇ କମିଲାରୁ ବଢ଼ୁଛି ଦର

ଆଗ୍ରାର ବେପାରୀଙ୍କ କହିବା କଥା ହେଲା ପାନ ସପ୍ଲାଏ କମିଯାଇଛି। ଓଡ଼ିଶାରେ ପାନ ଫସଲ ନଷ୍ଟ ହେବା, ପାନ ଚାଷ କମିଯିବା ଆଦି କାରଣରୁ ଉତ୍ପାଦନ ମଧ୍ୟ କମି ଯାଇଛି। ତେଣୁ ଦର ବଢ଼ୁଛି। ପାନ କାରବାରୀଙ୍କ କହିବା କଥା ହେଲା ପଶ୍ଚିମବଙ୍ଗ ଓ ଓଡ଼ିଶାରୁ ଆସୁଥିବା ମିଠା ପାନ ଗ୍ରାହକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ। ଏହାର ଚାହିଦା ଅଧିକ ରହିଥିବା ବେଳେ ସପ୍ଲାଇ କମିବାରୁ ଦର ବଢ଼ୁଛି।

ଓଡ଼ିଶାର ପାନ ଚାଷ ସ୍ଥିତି ସାଂଘାତିକ

୨୦୨୪ର ରିପୋର୍ଟ ଅନୁସାରେ ପାନ ଚାଷ କ୍ଷେତ୍ରରେ ଓଡ଼ିଶା ସାରା ଭାରତରେ ତୃତୀୟ ସ୍ଥାନରେ ରହିଥିଲା। ପ୍ରଥମେ ପଶ୍ଚିମବଙ୍ଗ, ଦ୍ୱିତୀୟରେ କର୍ଣ୍ଣାଟକ ଓ ତୃତୀୟରେ ଥିଲା ଓଡ଼ିଶା। ହେଲେ ବର୍ତ୍ତମାନର ସ୍ଥିତି ଭଲ ନାହିଁ। ଓଡିଶାରେ ପାନଚାଷ କମିଗଲାଣି। ବେଆଇନ ଗୁଟକା କାରବାର ପାନର ଡିମାଣ୍ଡକୁ କମାଇଥିବା ବେଳେ କରୋନା ସମୟରେ ରପ୍ତାନୀ ବନ୍ଦ ହୋଇଯିବା ଓଡ଼ିଶାର ପାନ ଚାଷୀଙ୍କୁ ପ୍ରଭାବିତ କରିଥିଲା। ତେଣୁ ଅନେକ ଚାଷୀ ପାନ ଚାଷ ଛାଡ଼ି ଅନ୍ୟ ବେଉସା ଧରିଥିବା ଖବର ସାମ୍ନାକୁ ଆସିଥିଲା।

୨୦୨୪ର ଏକ ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗରେ ପ୍ରାୟ ୨୦ହଜାର ହେକ୍ଟର ଜମିରେ ପାନ ଚାଷ ହେଉଥିବା ବେଳେ କର୍ଣ୍ଣାଟକରେ ୬ହଜାର ହେକ୍ଟରରୁ ଅଧିକ ଜମିରେ ପାନଚାଷ ହେଉଥିଲା। ସେତେବେଳେ ଓଡିଶାରେ ପାଖାପାଖି ୩ହଜାର ହେକ୍ଟର ଜମିରେ ପାନଚାଷ କରୁଥିଲେ ଚାଷୀ।ହେଲେ ଏହି ସଂଖ୍ୟା ଏବେ ଧୀରେ ଧୀରେ କମିଛି।

ମୁମ୍ବାଇ ସୁରଟକୁ ଯାଉଥିଲା ଓଡ଼ିଶା ପାନ

ସମୟ ଥିଲା ଓଡ଼ିଶା ପାନ ରାଜ୍ୟରେ ଜବରଦସ୍ତ ବିକ୍ରି ହେଉଥିଲା। ବଳକା ମୁମ୍ବାଇ, ସୁରଟ ଆଦି ସହରକୁ ରପ୍ତାନୀ କରାଯାଉଥିଲା। ଓଡିଶାରେ ଉଭୟ ପାଚିଲା ଓ କଞ୍ଚାପାନ ରପ୍ତାନି ହେଉଥିଲା। ପାଚିଲା ପାନର ରପ୍ତାନୀ ପାଇଁ ଜଗତ୍‍ସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ବେଶ୍ ଖ୍ୟାତି ଅର୍ଜନ କରିଥିଲା। ଏଠାରୁ ପାଚିଲା ପାନ ଭାରତ ବାହାରକୁ ବି ରପ୍ତାନୀ ହେଉଥିଲା। ଉତ୍ପାଦନ ପରେ ପାନକୁ ଭାଟିରେ ପଚାଇ ହଳଦିଆ ରଙ୍ଗ କରାଯାଉଥିଲା। ମୟୂରଭଞ୍ଜରୁ ଶ୍ରମିକ କୁଜଙ୍ଗ ଆସି ଏହି କାମରେ ନିୟୋଜି ହେଉଥିଲେ। ହେଲେ ୧୯୯୯ ମହାବାତ୍ୟା ଓ ପୋସ୍କୋ ବିବାଦ ଠାରୁ ଏବେ ସେହି ବେଉସା ବନ୍ଦ ପଡ଼ିଛି ବୋଲି କୁହାଯାଉଛି।

Also Read- ମାତ୍ର ୪୫ ପଇସାରେ ୧୦ ଲକ୍ଷ ଟଙ୍କାର ବୀମା କଭର: କାଉଣ୍ଟରେ ରିଜର୍ଭ ଟିକେଟ କଲେ ଯାତ୍ରୀଙ୍କୁ ମିଳିବ ସୁବିଧା, ଅକ୍ଟୋବର ୨୭ରୁ ନିୟମ ଲାଗୁ

ପୂର୍ବରୁ ଓଡ଼ିଶା ପାନର ଚାହିଦା ଏତେ ରହୁଥିଲା ଯେ ମୁମ୍ବାଇ ଓ ସୁରଟ ଆଦି ସହରକୁ ରପ୍ତାନୀ ପାଇଁ ଭୁବନେଶ୍ୱର ଓ କଟକ ରେଳ ଷ୍ଟେସନରେ ଗଦା ଗଦା ପାନ ଝୁଡ଼ିର ଲମ୍ବା ଲାଇନ ଲାଗୁଥିଲା। ହେଲେ ଏବେ ସେ ଦୃଶ୍ୟ ଆଉ ନାହିଁ। ପାନ ଚାଷୀଙ୍କ କହିବା କଥା ହେଲା ଏବର ଯୁବପିଢ଼ିଙ୍କ ମଧ୍ୟରେ ଆଉ ପାନର ଚାହିଦା ନାହିଁ। ଲୋକେ ଏବେ ପାନ କମ ଖାଉଛନ୍ତି। ଆଉ ଯେଉଁମାନେ ଅଭ୍ୟସ୍ତ ଥିଲେ ସେମାନେ ଗୁଟ୍‌କାରେ କାମ ଚଳାଉ ଦେଉଛନ୍ତି। ଦିନେ ଯେଉଁ ଦୋକାନରେ ପୂର୍ବରୁ ୩-୪ କଡ଼ା ପାନ ବିକ୍ରି ହେଉଥିଲା ଏବେ ସେଠି ଗୋଟିଏ କଡ଼ା ପାନ ବିକ୍ରି ହେବା କଷ୍ଟକର ହୋଇପଡ଼ୁଛି।

ସେହିଭଳି ଜଳବାୟୁ ସନ୍ତୁଳନ ବିଗିଡ଼ିବାରୁ ବାରମ୍ବାର ଆସୁଥିବା ଝଡ଼ ବର୍ଷା ପାନ ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଉଛି। ତେଣୁ ଚାଷୀମାନେ ଏବେ ପାନ ଚାଷ କରି ରିସ୍କ ନେବାକୁ ଚାହୁଁ ନାହାନ୍ତି। ଫଳରେ ଚାଷ କମି କମି ଯାଉଛି।