ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଏକ ବଡ଼ ଧରଣର ବିବାଦ ଦେଖିବାକୁ ମିଳିଛି। ଯାଦବପୁର ଲୋକସଭା ଆସନରୁ ତୃଣମୂଳ କଂଗ୍ରେସ (ଟିଏମସି) ଟିକେଟରେ ବିଜୟୀ ହୋଇଥିବା ଅଭିନେତ୍ରୀ ତଥା ସାଂସଦ ସାୟନୀ ଘୋଷ ଏବେ ଦଳର କର୍ମୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। କୋଲକାତାର ଗଡ଼ଫା ଅଞ୍ଚଳରେ ଥିବା ସାୟନୀଙ୍କ କାର୍ଯ୍ୟାଳୟରେ ଦଳୀୟ କର୍ମୀମାନେ ତାଲା ପକାଇ ଦେଇଛନ୍ତି। କେବଳ ସେତିକି ନୁହେଁ, କାର୍ଯ୍ୟାଳୟ ବାହାରେ ଲାଗିଥିବା ତାଙ୍କ ନାମଫଳକକୁ ଉପାଡ଼ି ଫିଙ୍ଗି ଦେବା ସହ ବିଶ୍ବାସଘାତକ (ଗଦ୍ଦାର) ଏବଂ ‘ଗୋ ବ୍ୟାକ୍ ସାୟନୀ’ ଲେଖାଥିବା ପୋଷ୍ଟର ମଧ୍ୟ ଲଗାଇଛନ୍ତି।

ସୂଚନାଥାଉକି, ୨୦୨୪ ଲୋକସଭା ନିର୍ବାଚନରେ ସାୟନୀ ଘୋଷ ଟିଏମସି ଟିକେଟରେ ଯାଦବପୁର ଆସନରୁ ଜିତିଥିଲେ। ହେଲେ ନିକଟରେ ସେ ଦଳୀୟ ଆଦେଶ ଉଲ୍ଲଂଘନ କରି ବିଦ୍ରୋହୀ ଗୋଷ୍ଠୀ ‘ନ୍ୟାସନାଲ ନ୍ୟାସନାଲିଷ୍ଟ କଂଗ୍ରେସ’ (NCPI)କୁ ସମର୍ଥନ କରିବା ସହ ବିଜେପି ନେତୃତ୍ୱାଧୀନ ଏନଡିଏ (NDA) ବୈଠକରେ ସାମିଲ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମମତା ବାନାର୍ଜୀଙ୍କ ସମର୍ଥକ କର୍ମୀମାନେ ଅତ୍ୟନ୍ତ କ୍ଷୁବ୍ଧ ହୋଇପଡ଼ିଛନ୍ତି। ବିକ୍ଷୋଭକାରୀଙ୍କ କହିବା କଥା , ସାୟନୀ ଟିଏମସିର ସମ୍ବଳ ଏବଂ କର୍ମୀମାନଙ୍କ ପରିଶ୍ରମରେ ତିଆରି କାର୍ଯ୍ୟାଳୟ ବ୍ୟବହାର କରି ଅନ୍ୟ ଦଳ ପାଇଁ କାମ କରୁଛନ୍ତି। ଯାହାକୁ କଦାପି ବରଦାସ୍ତ କରାଯିବ ନାହିଁ। "ବିଶ୍ୱାସଘାତକଙ୍କ ପାଇଁ ଟିଏମସିରେ କୌଣସି ସ୍ଥାନ ନାହିଁ" ବୋଲି କର୍ମୀମାନେ ସ୍ଲୋଗାନ ମ ଦେଇଛନ୍ତି।

Also Read: ଅନୁପ୍ରବେଶକାରୀ ସନ୍ଦେହରେ ପଶ୍ଚିମବଙ୍ଗ ମହିଳାଙ୍କୁ ବାଂଲାଦେଶ ପଠାଇ ଦେଇଛି ମୁମ୍ବାଇ ପୋଲିସ, ଏବେ କେମିତି ଫେରିବେ ଚିନ୍ତାରେ ପରିବାର

ଘଟଣାସ୍ଥଳରେ ପୋଲିସ ମୁତୟନ

ତେବେ ଉତ୍ତେଜନା ପ୍ରକାଶ ପାଇବା ପରେ ସ୍ଥାନୀୟ ଗଡ଼ଫା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଅପରପକ୍ଷରେ, ଏହି ସମ୍ପୂର୍ଣ୍ଣ ବିବାଦ ଏବଂ କାର୍ଯ୍ୟାଳୟରେ ତାଲା ପଡ଼ିବା ପ୍ରସଙ୍ଗରେ ଏପର୍ଯ୍ୟନ୍ତ ସାୟନୀ ଘୋଷ କିମ୍ବା ଟିଏମସିର ବରିଷ୍ଠ ନେତୃତ୍ୱଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏହି ଘଟଣା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।