ଚେମ୍ବୁର: ପଶ୍ଚିମବଙ୍ଗର ଜନୈକା ୪୦ ବର୍ଷ ବୟସ୍କା ମହିଳାଙ୍କୁ ଅନୁପ୍ରବେଶକାରୀ ସନ୍ଦେହରେ ପୋଲିସ ବାଂଲାଦେଶ ପଠାଇ ଦେଇଛି। ମହିଳା ଜଣକ ପାଖାପାଖି ୨୦ ବର୍ଷ ହେଲା ପରିବାର ସହିତ ନଭି ମୁମ୍ବାଇରେ ରହୁଥିଲେ। ‘ଦି ଇଣ୍ଡିଆନ ଏକ୍ସପ୍ରେସ୍’ ରିପୋର୍ଟ ଅନୁସାରେ ଉତ୍ତର ୨୪ପ୍ରଗଣା ସ୍ୱରୂପନଗରର ମୂଳ ବାସିନ୍ଦା ଶହିଦା ଫକୀର ତାଙ୍କ ସ୍ୱାମୀ ଜୁମ୍ମନ ଫକୀର (୪୫) ଯିଏ ଏକ ହାଉସିଂ ସୋସାଇଟିରେ କେୟାରଟେକର ଭାବେ କାମ କରନ୍ତି ଓ ସାନପଡାରେ ରହନ୍ତି।

ସୂଚନା ଅନୁସାରେ ଜୁଲାଇ ୧୮ ତାରିଖ ଦିନ ଶହିଦା ସ୍ଥାନୀୟ ବଜାରକୁ ଯାଇଥିବା ବେଳେ ପୋଲିସ ତାଙ୍କୁ ଅଟକ କରିଥିଲା। ଏହା ପରେ ତାଙ୍କ ପରିବାର ଲୋକେ ଚେମ୍ବୁରସ୍ଥିତ ଅଟକ କେନ୍ଦ୍ର ସହ ସମ୍ପର୍କ କରିଥିଲେ ଓ ଶହିଦା ଭାରତୀୟ ହୋଇଥିବା ନେଇ ଆବଶ୍ୟକ ପ୍ରମାଣପତ୍ର ଉପସ୍ଥାପନ କରିଥିଲେ। ଜୁମ୍ମନ କହିଛନ୍ତି ଯେ ଅଧିକାରୀଙ୍କ ଆଗରେ ସେ ଶହିଦାଙ୍କ ଜନ୍ମ ପ୍ରମାଣପତ୍ର, ସ୍କୁଲ ପ୍ରମାଣପତ୍ର, ତାଙ୍କ ପିତାମାତାଙ୍କ ଜମି କାଗଜପତ୍ର ଓ ଅନ୍ୟ ପରିଚୟପତ୍ର ପ୍ରସ୍ତୁତ କରିଥିଲେ। ତେବେ ୩ ଦିନ ପରେ ପରିବାରକୁ ସୂଚିତ କରାଗଲା ଯେ ତାଙ୍କୁ ପୂର୍ବରୁ ବାଂଲାଦେଶ ପଠାଇ ଦିଆଯାଇଛି।

ଜୁମ୍ମନ କହିଛନ୍ତି ଯେ ସହିଦା ଓ ସେ ସ୍ୱରୂପନଗରର ବାସିନ୍ଦା ଓ ପାଖାପାଖି ୨୦ ବର୍ଷ ହେଲା ମୁମ୍ବାଇରେ ରହି ଆସୁଛନ୍ତି ଏହା ପୂର୍ବରୁ କେବେ ଏଭଳି ସମସ୍ୟାରେ ପଡିନଥିଲେ। ‘ଇଣ୍ଡିଆନ ଏକ୍ସପ୍ରେସ୍’ ଦ୍ୱାରା ଉଦ୍ଧୃତ ସୂତ୍ର ଅନୁସାରେ ଶାହିଦାଙ୍କୁ ପ୍ରଥମେ ଆସାମ ନିଆଯାଇଥିଲା ଓ ସେଠାରେ କିଛି ଲୋକଙ୍କ ସହ ବାଂଲାଦେଶ ପଠାଇ ଦିଆଯାଇଛି। ଅନ୍ତତଃ ସେ ଶତଖିରା ପହଞ୍ଚିଥିବା ବେଳେ ଏକ ସ୍ଥାନୀୟ ପରିବାର ତାଙ୍କୁ ଆଶ୍ରୟ ଦେବା ସାଙ୍ଗକୁ ଭାରତରେ ପରିବାର ଲୋକଙ୍କ ସହ ସମ୍ପର୍କ କରିବାରେ ସହାୟତା କରିଛନ୍ତି।

ଶତଖିରାରୁ ‘ଦି ଇଣ୍ଡିଆନ ଏକ୍ସପ୍ରେସ୍’ ସହ ଟେଲିଫୋନ ଆଳାପରେ ଶହିଦା ସେହି ପରିସ୍ଥିତି ବର୍ଣ୍ଣନା କରିଛନ୍ତି ଯେଉଁ ପରିସ୍ଥିତିରେ ସେ ବାଂଲାଦେଶକୁ ପ୍ରବେଶ କରିଥିଲେ। ସେ କହିଛନ୍ତି ଯେ ତାଙ୍କୁ ଆସାମ ପର୍ଯ୍ୟନ୍ତ ଅଣାଯାଇଥିଲା ଓ ସେଠାରୁ ବାଂଲାଦେଶକୁ ଠେଲି ଦିଆଯାଇଛି। ଧାନବିଲରେ ଅନେକ ଦୂର ଚାଲିବା ପରେ ଏକ ସଡ଼କକୁ ପହଞ୍ଚିଥିଲେ। ସେଠାରେ ସ୍ଥାନୀୟ ଲୋକେ ତାଙ୍କୁ ସହାୟତା କରିଛନ୍ତି। ଏହି ମାମଲା ପଶ୍ଚିମବଙ୍ଗରେ ପ୍ରବାସୀ ଶ୍ରମିକ ଏକତାମଞ୍ଚର ଧ୍ୟାନ ଆକର୍ଷଣ କରିଛି। ମାମଲାରେ ମଞ୍ଚ ବୈଦେଶିକ ମନ୍ତ୍ରାଳୟଙ୍କ ହସ୍ତକ୍ଷେପ ଦାବି କରିଛି।

ମଞ୍ଚ ଅଗଷ୍ଟ ୮ ତାରିଖ ପତ୍ରରେ ବିଦେଶମନ୍ତ୍ରାଳୟଙ୍କୁ ଶହିଦାଙ୍କ କାଗଜପତ୍ରର ସତ୍ୟାପନ ଓ ତାଙ୍କୁ ପୁଣି ଭାରତ ଫେରାଇ ଆଣିବା ଲାଗି ସୁବିଧା ପ୍ରଦାନ କରିବାକୁ କୂଟନୈତିକ ହସ୍ତକ୍ଷେପ ଦାବି କରାଯାଇଛି। ଫୋରମ ସଚିବ ଆସିଫ ଫାରୁକ ଇଣ୍ଡିଆନ ଏକ୍ସପ୍ରେସ୍ କୁ କହିଛନ୍ତି ଯେ ସଙ୍ଗଠନ ନିଜର ଆବେଦନ ସହିତ ଶହିଦାଙ୍କ ଜନ୍ମପ୍ରମାଣପତ୍ର, ଭୂମି ରେକର୍ଡ ଓ ସ୍କୁଲ ପ୍ରମାଣପତ୍ର ସହିତ ଅନ୍ୟ କାଗଜପତ୍ର ସଲଗ୍ନ କରାଯାଇଛି। ଫୋରମ କହିଛି ଯେ ଅତୀତରେ ବି ଏପରି ଅନେକ ଘଟଣା ଘଟିଛି ଯେଉଁଥିରେ ବେଙ୍ଗଲୀ ପ୍ରବାସୀ ଶ୍ରମିକଙ୍କୁ କଥିତ ରୂପେ ଦେଶର ଅନ୍ୟ ଅଞ୍ଚଳରୁ ଭୁଲ ଉପାୟରେ ବାଂଲାଦେଶ ପଠାଇ ଦିଆଯାଇଥିଲା। ପରେ ସେମାନଙ୍କ ପରିଚୟ ସତ୍ୟାପିତ ହେବା ପରେ ସେମାନେ ପୁଣି ଭାରତ ଫେରିଛନ୍ତି।