ନୂଆଦିଲ୍ଲୀ: ଯେତେବେଳେ ସାରା ବିଶ୍ୱ ପାକିସ୍ତାନ ସପୋର୍ଟରେ ରହି ଆମକୁ ବିରୋଧ କରୁଥିଲା, ସେତେବେଳେ କେବଳ ଋଷ ହିଁ ଆମ ସମର୍ଥନ ଜଣାଇଥିଲା। ନୂଆଦିଲ୍ଲୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ ଏଭଳି କହି ଭାରତ-ଋଷ ବନ୍ଧୁତ୍ୱ ନେଇ ସାରା ବିଶ୍ୱକୁ ଦୃଢ଼ ଜବାବ ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର।

ଋଷ ସହ ସମ୍ପର୍କ ତିକ୍ତ କରିବା ପାଇଁ ଆମେରିକା ସମେତ ପୂରା ପଶ୍ଚିମ ଶକ୍ତି ଚାପ ପକାଉଥିବା ବେଳେ ଜୟଶଙ୍କର ବିଶ୍ୱ ମଞ୍ଚରେ ପୁଣିଥରେ ଭାରତ-ଋଷର ମଜଭୁତ ସମ୍ପର୍କକୁ ଦର୍ଶାଇଛନ୍ତି। ମ୍ୟୁନିକ ସୁରକ୍ଷା ସମ୍ମିଳନୀରେ ଜୟଶଙ୍କର କହିଛନ୍ତି ଐତିହାସିକ ଭାବରେ ଭଲ ସମ୍ପର୍କରେ ରହିଛି। ଏବଂ ଉଭୟ ଦେଶ ମଧ୍ୟରେ ସକାରାତ୍ମକ ଭାବନା ସମ୍ପର୍କକୁ ନୂଆ ରୂପ ଦେଇଛି। ପୂର୍ବରୁ ଋଷ କରିଥିବା ସହଯୋଗକୁ ମନେ ପକାଇ ଜୟଶଙ୍କର କହିଛନ୍ତି “ଲୋକେ ଭଲ ଓ ଖରାପ ଇତିହାସକୁ ସହଜରେ ଭୁଲିପାରନ୍ତି ନାହିଁ।”

୧୯୫୦ ଦଶକରୁ ରୁଷିଆ ଏବଂ ସୋଭିଏତ୍ ୟୁନିଅନ୍ ଭାରତକୁ ସମର୍ଥନ କରିଆସିଛି। ସେହି ସମୟରେ ବିଶ୍ୱର ଅନେକ ଦେଶ ପାକିସ୍ତାନର ସାମରିକ ଶାସନକୁ ସମର୍ଥନ କରୁଥିଲେ ବୋଲି ଜୟଶଙ୍କର କହିଛନ୍ତି। ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସୋଭିଏତ୍ ୟୁନିଅନ୍ର ଭାରତକୁ କରିଥିବା ସମର୍ଥନକୁ ଇଙ୍ଗିତ କରିଥିଲେ ବୈଦେଶିକ ମନ୍ତ୍ରୀ। ସେତେବେଳେ ଆମେରିକା ପାକିସ୍ତାନକୁ ସମର୍ଥନ କରି ବଙ୍ଗୋପସାଗରକୁ ନୌସେନାର ଏକ ଟାସ୍କ ଫୋର୍ସ ପଠାଇଥିଲା। ହେଲେ ଋଷ ସମର୍ଥନ ପାଇଁ ଯୁଦ୍ଧପୋତ ପଠାଇବା ପରେ ଆମେରିକା ପଛକୁ ହଟିଥିଲା।

Also Read- ଯେତେବେଳେ ସାରା ବିଶ୍ୱ ପାକିସ୍ତାନକୁ ସମର୍ଥନ କରିଥିଲା, ସେତେବେଳେ ରୁଷ ଭାରତ ପାଖରେ ଛିଡ଼ା ହୋଇଥିଲା: ଏସ ଜୟଶଙ୍କର

ରୁଷିଆ ସହ ଭାରତର ସମ୍ପର୍କକୁ ନେଇ ପଶ୍ଚିମୀ ଦେଶଗୁଡ଼ିକର ପ୍ରଶ୍ନ ଉଠାଇବା ଉପରେ ପରୋକ୍ଷ ଭାବେ ଜବାବ ଦେଇ ଜୟଶଙ୍କର କହିଛନ୍ତି ଯେ, ପ୍ରତ୍ୟେକ ଦେଶ ନିଜର ଅଭିଜ୍ଞତା ଆଧାରରେ ଅନ୍ୟ ଦେଶ ସହ ସମ୍ପର୍କକୁ ବିଚାର କରେ। ୟୁରୋପ ଭାରତର ରୁଷିଆ ସମ୍ପର୍କ ବିଷୟରେ ଭାରତର ଦୃଷ୍ଟିକୋଣକୁ ଗ୍ରହଣ କରିବ ବୋଲି ଆଶା କରାଯାଇପାରେ ନାହିଁ। ସେହିପରି ଭାରତ ମଧ୍ୟ ମସ୍କୋ ସହ ନିଜର ଐତିହାସିକ ସମ୍ପର୍କ ଓ ଅଭିଜ୍ଞତା ଆଧାରରେ ନିଜର ନୀତି ନିର୍ଦ୍ଧାରଣ କରିଥାଏ ବୋଲି ଜୟଶଙ୍କର କହିଛନ୍ତି।

ଋଷ ନେଇ ଭାରତର ଅଭିଜ୍ଞତା ସକାରାତ୍ମ ରହିଛି ଏବଂ ଲଗାତାର ସକାରାତ୍ମକ ରହିଆସିଛି ବୋଲି ଜୟଶଙ୍କର କହିଛନ୍ତି। ରୁଷିଆ ସହ ଭାରତର ସମ୍ପର୍କକୁ ନେଇ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକର ସମାଲୋଚନା ମଧ୍ୟରେ ଜୟଶଙ୍କରଙ୍କ ଏହି ବୟାନ ଆସିଛି। ବିଶେଷକରି ୟୁକ୍ରେନ୍ ଯୁଦ୍ଧ ସମୟରେ ଭାରତ ରୁଷିଆଠାରୁ ତେଲ କିଣୁଥିବା ନେଇ ପଶ୍ଚିମୀ ଦେଶଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। ଆମେରିକା ଭାରତକୁ ରୁଷିଆରୁ ତେଲ ଆମଦାନି କମାଇବା ପାଇଁ ଚାପ ପକାଇଛି। ତେବେ ଭାରତ ନିଜର ଶକ୍ତି ସୁରକ୍ଷା ଓ ଆବଶ୍ୟକତା ଦୃଷ୍ଟିରୁ ଏହି ଆମଦାନିକୁ ଯଥାର୍ଥ ବୋଲି କହିଆସିଛି।

ଜୟଶଙ୍କର କହିଛନ୍ତି ଯେ, ୧୯୭୦ ଓ ୧୯୮୦ ଦଶକରେ ଭାରତ-ରୁଷିଆ ସମ୍ପର୍କ ଯେଉଁ ରୂପରେ ଥିଲା, ବର୍ତ୍ତମାନ ସେଥିରେ ବହୁ ପରିବର୍ତ୍ତନ ଆସିଛି। ଏବେ ବାଣିଜ୍ୟ, ଶକ୍ତି ଏବଂ ପ୍ରାକୃତିକ ସମ୍ପଦ ଦୁଇ ଦେଶର ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି।

ୟୁକ୍ରେନ୍ ଯୁଦ୍ଧ ସମ୍ପର୍କରେ ଜୟଶଙ୍କର ପୁଣିଥରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି ଯେ, ଆଲୋଚନା, କୂଟନୀତି ଓ ବୁଝାମଣା ମାଧ୍ୟମରେ ଯୁଦ୍ଧର ଶେଷ ହେବା ଦରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଆଭିମୁଖ୍ୟକୁ ବାରମ୍ବାର ଦୋହରାଇଛନ୍ତି। ୨୦୨୨ ମସିହାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଆଲୋଚନା ସମୟରେ ମୋଦୀ କହିଥିଲେ, “ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ।”

ଜୟଶଙ୍କର କହିଛନ୍ତି ଯେ, ଗତ କିଛି ମାସ ମଧ୍ୟରେ ଭାରତ କେବଳ ଶାନ୍ତି ପାଇଁ ଆହ୍ୱାନ ଦେଇ ରହିନାହିଁ, ବରଂ ରୁଷିଆ ଓ ୟୁକ୍ରେନ୍ ଉଭୟ ଦେଶ ସହ ଆଲୋଚନା ମଧ୍ୟ କରିଛି। ଏହି ଆଲୋଚନାରେ କୃଷ୍ଣ ସାଗରରେ ଜାହାଜ ଚଳାଚଳ ଉପରେ ଆକ୍ରମଣ, ଶସ୍ୟ ଆମଦାନି, ଶକ୍ତି ରପ୍ତାନି ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ହେଉଥିବା ଆକ୍ରମଣ ଭଳି ପ୍ରସଙ୍ଗ ସାମିଲ ରହିଛି।