କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବିଜେପିରେ ଯୋଗଦାନ ଉପରେ ଏକ ଅଜଣା କଥା ସାମନାକୁ ଆସିଛି । ୨୦୨୦ରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରାମର୍ଶରେ ସେ ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦ ଇକୋନମିକ୍ ଟାଇମ୍ସ ବଙ୍ଗେଲ ଆସେଣ୍ଡସ୍ ସମ୍ମିଳନୀରେ ନିଜେ ଏହି କଥା କହିଛନ୍ତି । ସେ କହିଛନ୍ତି ଯେ ପ୍ରଣବ ମୁଖାର୍ଜୀ ତାଙ୍କୁ ପରାମର୍ଶ ଦେଇ କହିଥିଲେ, ସେ ଜଣେ କର୍ମଚାରୀ ଭାବରେ ମମତା ବାନାର୍ଜୀଙ୍କ ଟିଏମସିରେ ରୁହ, ନଚେତ୍ ନରେନ୍ଦ୍ର ମୋଦୀଙ୍କ ସହ ଯୋଗ ଦେଇ ନିଜେ ରାଜନୈତିକ କ୍ୟାରିଅର ଗଢ଼ । ଏହାପରେ, ସେ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ, ଶୁଭେନ୍ଦୁ ଟିଏମସି ଛାଡିବା ବେଳକୁ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ହୋଇସାରିଥିଲା ।

Also Read: ପଞ୍ଜାବରେ ଏନଡିଏର ସିଏମ୍ ଚେହେରା କେଉଁ ଦଳରୁ ହେବ ? ଶାହ କହିଲେ-ବଡ଼ ଭାଇ ମୁଖ୍ୟମନ୍ତ୍ରୀ ହୁଅନ୍ତି

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପୂର୍ବତନ ରାଷ୍ଟ୍ରପତିଙ୍କୁ ନିଜର ପ୍ରକୃତ ମାର୍ଗଦର୍ଶକ ଏବଂ ଗୁରୁ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ପ୍ରଣବ ମୁଖାର୍ଜୀଙ୍କ ସହ ଆଲୋଚନା କରିଥିଲେ, ସେତେବେଳେ ସେ ରାଷ୍ଟ୍ରପତି ଥିଲେ । ତାଙ୍କୁ ଭେଟିବା ପାଇଁ ଦିଲ୍ଲୀର ରାଇସିନା ହିଲ୍ସ ଯାଇଥିଲେ । ସେହି ସମୟରେ ପ୍ରଣବ ମୁଖାର୍ଜୀ ତାଙ୍କୁ କହିଥିଲେ, କଣ କରିବାକୁ ଚାହୁଁଚ ଚିନ୍ତା କର । ଯଦି କର୍ମଚାରୀ ହୋଇ ରହିବାକୁ ଚାହୁଁଛ, ତେବେ ଏଇଠି (ଟିଏମସି) ରୁହ । ଯଦି ନିଜ ଦମରେ ଆଗକୁ ବଢ଼ିବାକୁ ଚାହୁଁଛ, ତେବେ ମୋଦୀ ଜୀଙ୍କ ସହ ରୁହ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେହି ସମୟରେ ଟିଏମସି ପିଇସୀ ଏବଂ ପୁତୁରାଙ୍କ ପାର୍ଟି ଥିଲା । ଟିଏମସି କୌଣସି କମ୍ପାନି ପରି ଚାଲୁଥିଲା, ଯେଉଁଥିରେ ଚେୟାରମ୍ୟାନ ଏବଂ ଜଣେ ମ୍ୟାନେଜିଂ ଡାଇରେକ୍ଟର ରହିଥାନ୍ତି । ମୁଁ ବି ସେଠାରେ ଥିଲି, କିନ୍ତୁ ଗୋଟିଏ କର୍ମଚାରୀ ଭାବେ କରିବାକୁ ଚାହିଁଲିନି, ତେଣୁ ପାର୍ଟି ଛାଡ଼ିଲି ।

 

ଉଲ୍ଲେଖଯୋଗ୍ୟ ଯେ ଶୁଭେନ୍ଦୁ ଅଧିକାରୀ ୧୯୯୮ ମସିହାରୁ ମମତା ବାନାର୍ଜୀ ଏବଂ ଟିଏମସି ସହିତ ଜଡ଼ିତ ଥିଲେ । ଗୋଟିଏ ସମୟରେ ତାଙ୍କୁ ମମତା ବାନାର୍ଜୀଙ୍କ ଜଣେ ପ୍ରମୁଖ ନେତା ଭାବରେ ବିବେଚନା କରାଯାଉଥିଲା । ନନ୍ଦିଗ୍ରାମ ଜମି ଅଧିଗ୍ରହଣ ଆନ୍ଦୋଳନ ସମୟରେ ତାଙ୍କର ଲୋକପ୍ରିୟତା ଅନେକ ବୃଦ୍ଧି ପାଇଥିଲା । ସେ ୨୦୦୯ ଏବଂ ୨୦୧୪ ମସିହାରେ ତାମଲୁକରୁ ଲଗାତାର ନିର୍ବାଚନ ଜିତି ଲୋକସଭାରେ ପହଞ୍ଚିଥିଲେ । ସେ ୨୦୧୬ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ଜିତି ମମତା ବାନାର୍ଜୀଙ୍କ ଦ୍ୱିତୀୟ ସରକାରରେ ମନ୍ତ୍ରୀ ହୋଇଥିଲେ । ଟିଏମସି ଭିତରେ ଅଭିଷେକ ବାନାର୍ଜୀଙ୍କ ପ୍ରଭାବ ଖୁବ୍ ଶୀଘ୍ର ବୃଦ୍ଧି ପାଇଲା ଏବଂ ସେ ଦ୍ୱିତୀୟ ନମ୍ବର ନେତା ହୋଇଗଲେ । ପରବର୍ତ୍ତୀ ସମୟରେ, ଶୁଭେନ୍ଦୁ ଅଧିକାରୀ ନଭେମ୍ବର ୨୦୨୦ରେ ଟିଏମସି ଛାଡି ଗୋଟିଏ ମାସ ପରେ ଅମିତ୍ ଶାହଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ ।