ମସ୍କୋ : ରୁଷିଆର ସାଇବେରିଆ ଅଞ୍ଚଳରେ ଏକ ଗବେଷଣାଗାରରୁ ଆସିଛି ଚିନ୍ତାଜନକ ଖବର। ଆଣ୍ଟି-ପ୍ଲେଗ୍ ଗବେଷଣା କେନ୍ଦ୍ରରେ କାମ କରୁଥିବା ଜଣେ ଗବେଷକଙ୍କ ନିମୋନିଆରେ ଆକ୍ରାନ୍ତ ପରେ ମୃତ୍ୟୁ ହୋଇଛି। ରିପୋର୍ଟ ଅନୁସାରେ, ଲ୍ୟାବରେ ପ୍ଲେଗ୍ ବ୍ୟାକ୍ଟେରିଆ ଥିବା ଏକ ଟେଷ୍ଟ ଟ୍ୟୁବ୍ ଭାଙ୍ଗିଥିବା ଆଶଙ୍କା କରାଯାଉଛି। ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୧୯୭ ଜଣଙ୍କୁ ମେଡିକାଲ୍ ଅବଜରଭେସନ୍ରେ ରଖାଯାଇଥିବା ସୂଚନା ମିଳିଛି । ରୁଷିଆର ଇରକୁତ୍ସ୍କ ଅଞ୍ଚଳର ଶେଲେଖୋଭରେ ଥିବା ଆଣ୍ଟି-ପ୍ଲେଗ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରିପୋର୍ଟରେ ମୃତ ଗବେଷକଙ୍କ ନାମ ଦାରିଆ ଶିପିଲୋଭା ବୋଲି କୁହାଯାଇଛି।

ସୂଚନା ଅନୁସାରେ, ସେପ୍ଟେମ୍ବର ୨୫ରେ ଲ୍ୟାବରେ କାମ କରୁଥିବା ସମୟରେ ପ୍ଲେଗ୍ ସୃଷ୍ଟିକାରୀ ବ୍ୟାକ୍ଟେରିଆ 'ୟର୍ସିନିଆ ପେଷ୍ଟିସ୍' ଥିବା ଏକ ଟେଷ୍ଟ ଟ୍ୟୁବ୍ ଭାଙ୍ଗିଯାଇଥିବା ନେଇ ରିପୋର୍ଟ ଆସିଛି। ତେବେ ଏହି ଘଟଣା ଏବଂ ତାଙ୍କ ମୃତ୍ୟୁ ମଧ୍ୟରେ କୌଣସି ସମ୍ପର୍କ ରହିଛି କି ନାହିଁ, ତାହା ରୁଷିଆ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାନ୍ତି। ସେପ୍ଟେମ୍ବର ୨୯ରେ ଗୁରୁତର ନିମୋନିଆ ଲକ୍ଷଣ ସହ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭେଣ୍ଟିଲେଟର୍ରେ ରଖାଯାଇଥିଲା। ଅକ୍ଟୋବର ୧ରୁ ୨ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି। ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ଆରମ୍ଭ କରିଥିଲା। ରିପୋର୍ଟ ଅନୁସାରେ ମୋଟ ୧୯୭ ଜଣଙ୍କୁ ଏଥିରେ ଚିହ୍ନଟ କରାଯାଇଥିବାବେଳେ, ସେମାନଙ୍କ ମଧ୍ୟରୁ ବହୁ ଲୋକଙ୍କୁ ହସ୍ପିଟାଲ୍ରେ କ୍ୱାରେଣ୍ଟାଇନରେ ରଖାଯାଇଛି ।

ନ୍ୟୁମୋନିକ୍ ପ୍ଲେଗ୍ କ'ଣ ?

ତେବେ ନ୍ୟୁମୋନିକ୍ ପ୍ଲେଗ୍ ହେଉଛି ପ୍ଲେଗରେ ଏକ ଗୁରୁତର ରୂପ, ଯାହା ଫୁସଫୁସକୁ ପ୍ରଭାବିତ କରିପାରେ। ତେବେ ଏହି ଘଟଣାରେ ମୃତ ଗବେଷକଙ୍କୁ ପ୍ରକୃତରେ ନ୍ୟୁମୋନିକ୍ ପ୍ଲେଗ୍ ହୋଇଥିଲା କି ନାହିଁ, ସେନେଇ ତଦନ୍ତ ଜାରି ରହିଛି। ରୁଷିଆର ସ୍ୱାସ୍ଥ୍ୟ ନିରୀକ୍ଷଣ ସଂସ୍ଥା ଏହାକୁ ଏକ ଅଜଣା ନିମୋନିଆ ବୋଲି ମଧ୍ୟ ଉଲ୍ଲେଖ କରିଛି । ସେପଟେ ସ୍ୱାସ୍ଥ୍ୟ ବିଭାଗ ସମ୍ଭାବ୍ୟ ସଂକ୍ରମଣ ଉପରେ କଡ଼ା ନଜର ରଖିଛି। ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ସଂକ୍ରମଣର ଲକ୍ଷଣ ନଥିବା ଏବଂ ପରୀକ୍ଷା ନେଗେଟିଭ୍ ଆସିଥିବା ନେଇ ମଧ୍ୟ ରିପୋର୍ଟ ରହିଛି। ତେଣୁ ଏହାକୁ ନେଇ ଆତଙ୍କିତ ହେବା ଅପେକ୍ଷା ସଠିକ ସରକାରୀ ତଦନ୍ତ ଓ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିବା ଜରୁରୀ।