ମୁମ୍ବାଇ: ପଶ୍ଚିମବଙ୍ଗରେ ଟିଏମ୍ସି ଓ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଶିବସେନା, ଉଭୟ ଅସ୍ତିତ୍ୱ ବଞ୍ଚାଇବାକୁ ଲଢ଼ୁଛନ୍ତି। ପଶ୍ଚିମବଙ୍ଗରେ ଗୋଟିଏ ପରେ ଗୋଟିଏ ବିଧାୟକ ଓ ସାଂସଦ ଟିଏମ୍ସି ଦଳ ବିରୁଦ୍ଧରେ ବିଦ୍ରୋହ କରିଥିବା ବେଳେ ମହାରାଷ୍ଟ୍ର ଅପରେସନ ଟାଇଗର ପୁଣି ଆକ୍ଟିଭ ହୋଇଛି। ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ହଲଚଲ ସୃଷ୍ଟି ହୋଇଛି।ଶୁଣିବାକୁ ମିଳୁଛି ଯେ ଶିବସେନା (ଉଦ୍ଧବ ବାଳାସାହେବ ଠାକରେ) ଗୋଷ୍ଠୀରୁ ୭ ଜଣ ସାଂସଦ ଦଳ ଛାଡ଼ିପାରନ୍ତି।

ରିପୋର୍ଟ ଅନୁଯାୟୀ, ଠାକରେ ଗୋଷ୍ଠୀକୁ ଭାଙ୍ଗିବା ପାଇଁ ଏହି ରଣନୀତି ଦିଲ୍ଲୀରେ ପ୍ରସ୍ତୁତ କରାଯାଇଛି। ଏହା ସିଧାସଳଖ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସାମ୍ପ୍ରତିକ ଦିଲ୍ଲୀ ଗସ୍ତ ସହ ଜଡ଼ିତ ବୋଲି କୁହାଯାଉଛି। ମିଳିଥିବା ସୂଚନା ମୁତାବକ, ଜୁନ୍ ୭ ତାରିଖରେ ଦିଲ୍ଲୀରେ ଏକ ଅତ୍ୟନ୍ତ ଗୋପନୀୟ ବୈଠକ ହୋଇଥିଲା। ଶିବସେନା (UBT) ଗୋଷ୍ଠୀର ମୋଟ ୯ ଜଣ ସାଂସଦଙ୍କ ମଧ୍ୟରୁ ୭ ଜଣ ଏହି ବୈଠକରେ ଉପସ୍ଥିତ ଥିଲେ ବୋଲି ଅଭିଯୋଗ ହୋଇଛି।

ଜଣେ କେନ୍ଦ୍ରମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ସାଂସଦ ଡ. ଶ୍ରୀକାନ୍ତ ସିନ୍ଦେ ଉପସ୍ଥିତ ଥିଲେ। ଗତ ୬ ମାସ ଧରି ଡ. ଶ୍ରୀକାନ୍ତ ସିନ୍ଦେ ପରଦା ପଛରେ ରହି ଏହି ସାଂସଦମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ଦଳ ବଦଳାଇବା ପାଇଁ ପ୍ରସ୍ତୁତ କରିଥିବା କୁହାଯାଉଛି। ସମର୍ଥନ ବଦଳରେ ଏହି ସାଂସଦମାନଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ଦେବା ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀର ପ୍ରତିଶ୍ରୁତି ଦିଆଯାଇଥିବା ଚର୍ଚ୍ଚା ହେଉଛି।

Also Read- କେହି ନିଜର ହେଲେନି, ସବୁ ଠକି ଦେଲେ: ସାୟୋନି, ଶତ୍ରୁଘ୍ନ, ୟୁସୁଫ ଓ ରଚନା ଏବେ ବିରୋଧୀ ଗୋଷ୍ଠୀରେ, ହତବାକ ମମତା

ମରାଠୱାଡ଼ା ଅଞ୍ଚଳର ଜଣେ ପ୍ରଭାବଶାଳୀ ନେତା ଏହି ଦଳ ପରିବର୍ତ୍ତନରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି। ମୁମ୍ବାଇର ଦୁଇଜଣ ସାଂସଦଙ୍କୁ ବାଦ୍ ଦେଲେ ବାକି ସାତଜଣ ସାଂସଦ ଯେକୌଣସି ମୁହୂର୍ତ୍ତରେ ସିନ୍ଦେ ଗୋଷ୍ଠୀରେ ଯୋଗଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କୁହା ଯାଉଛି।

ଉପମୁଖ୍ୟମନ୍ତ୍ରୀ ସିନ୍ଦେଙ୍କର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତକୁ ଏହି ଅପରେସନ୍ ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ସବୁଜ ସଙ୍କେତ ବୋଲି ବିବେଚନା କରାଯାଉଛି। ଏହି ଖବର ପରେ ଠାକରେଙ୍କ ବାସଭବନ 'ମାତୋଶ୍ରୀ'ରେ ଚିନ୍ତା ବଢ଼ିଯାଇଛି। ଆଗାମୀ କ୍ୟାବିନେଟ୍ ସମ୍ପ୍ରସାରଣକୁ ନେଇ ଏହି ବିଦ୍ରୋହକୁ ଠାକରେ ଗୋଷ୍ଠୀ ପାଇଁ ଏକ ବଡ଼ ବିପର୍ଯ୍ୟୟ ବୋଲି ମାନାଯାଉଛି। ଅନ୍ୟପକ୍ଷରେ, କ୍ୟାବିନେଟ୍ ସମ୍ପ୍ରସାରଣ ଚର୍ଚ୍ଚାରେ ଡ. ଶ୍ରୀକାନ୍ତ ସିନ୍ଦେଙ୍କ ନାମ ଆସିବା ପରେ ସିନ୍ଦେ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।