ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ହଠାତ୍ ସୃଷ୍ଟି ହୋଇଥିବା ଝଡ଼ ସାରା ଦେଶକୁ ଆଶ୍ଚର୍ଯ୍ୟ କରିଛି। ଟିଏମ୍ସି ହାରିବା ପରେ ଲୋକପ୍ରିୟ ନେତା ଏବେ ବିଦ୍ରୋହ ଦଳରେ ସାମିଲ ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେଉଁମାନେ ନିର୍ବାଚନ ପ୍ରଚାରରେ ମମତାଙ୍କ ସପକ୍ଷରେ ଆଗଭର ହୋଇ ପ୍ରଚାର କରିଥିଲେ, ବିଜେପିକୁ ଟାର୍ଗେଟ୍ କରିଥିଲେ, ଆଜି ସେଇମାନେ ବିଦ୍ରୋହୀ ଦଳରେ ସାମିଲ। ଯାହାର ଆଶ୍ଚର୍ଯ୍ୟକର ଉଦାହରଣ ହେଲା ସାୟୋନୀ ଘୋଷ,ୟୁସୁଫ ପଠାନ, ଦୀପକ ଅଧିକାରୀ(ଦେବ), ରଚନା ବାନାର୍ଜୀ ଓ ଶତ୍ରୁଘ୍ନ ସିହ୍ନା। ଏମାନେ ସମସ୍ତେ ଏବି ବିଦ୍ରୋହୀ ମେଣ୍ଟରେ ଦସ୍ତଖତ କରିଛନ୍ତି ବୋଲି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି।

ବିଦ୍ରୋହୀ ବିଧାୟକଙ୍କ ମେଳି ପରେ ସାଂସଦମାନେ ବି ବିଦ୍ରୋହ ଘୋଷଣା କରିଛନ୍ତି। ଦଳର ୧୯ ଜଣ ସାଂସଦ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହୋଇଥିବା ଜଣାପଡ଼ିଛି। ଯେଉଁଥିରେ ୟୁସୁଫ ପଠାନ, ସାୟୋନୀ ଘୋଷ ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ଭଳି ପ୍ରମୁଖ ଚେହେରା ସାମିଲ ଅଛନ୍ତି। ଏହି ଘଟଣା ସଂସଦରେ ତୀବ୍ର ହଟଚମଟ ସୃଷ୍ଟି କରିଥିବାବେଳେ ଏବେ ଟିଏମ୍ସି ଦୁଇଭାଗ ହେବା ଆଶଙ୍କା ଦେଖାଦେଇଛି।

ମମତାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ- ଦଳ ଗଠନ ହେବା ପରଠାରୁ ମମତା ବାନାର୍ଜୀଙ୍କ ଅସ୍ତିତ୍ୱ ପାଇଁ ଏହା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ବୋଲି ବିବେଚନା କରାଯାଉଛି। କେବଳ ସଂସଦ ନୁହେଁ, ପଶ୍ଚିମବଙ୍ଗ ବିଧାନସଭାରେ ମଧ୍ୟ ବଡ଼ ଧରଣର ବିଦ୍ରୋହ ଦେଖିବାକୁ ମିଳିଛି। ଲୋକସଭାରେ TMCର ମୋଟ ସଦସ୍ୟ ସଂଖ୍ୟା ୨୮ ଥିବା ବେଳେ, ଜଣେ ସାଂସଦଙ୍କ ଦେହାନ୍ତ ହୋଇଛି। ଆଉ ଏବେ ୧୯ ସାଂସଦଙ୍କ ବିଦ୍ରୋହ ପରେ ମମତାଙ୍କ ପାଖରେ ମାତ୍ର ୯ ଜଣ ସାଂସଦଙ୍କ ସମର୍ଥନ ରହିଯାଇଛି।

ବିଦ୍ରୋହୀ ସାଂସଦଙ୍କ ତାଲିକା: ବିଦ୍ରୋହୀ ଗୋଷ୍ଠୀରେ ସାମିଲ ୧୯ ସାଂସଦ ହେଲେ

୧. ଶତ୍ରୁଘ୍ନ ସିହ୍ନା (ଆସନସୋଲ)
୨. କାକୋଲି ଘୋଷ (ବାରାସତ)
୩. ଜଗଦୀଶ ଚନ୍ଦ୍ର ବସୁନିଆ (କୁଚବିହାର)
୪. ଖଲି ଉର ରହମାନ (ଜାଙ୍ଗିପୁର)
୫. ୟୁସୁଫ ପଠାନ (ବେରହମପୁର)
୬. ଅବୁ ତାହିର ଖାନ (ମୁର୍ଶିଦାବାଦ)
୭. ପାର୍ଥ ଭୌମିକ (ବାରାକପୁର)
୮. ବାପି ହଲଦାର (ମଥୁରାପୁର)
୯. ସାୟୋନୀ ଘୋଷ (ଯାଦବପୁର)
୧୦. ମାଳା ରୟ (କୋଲକାତା ଦକ୍ଷିଣ)
୧୧. ମିତାଲି ବାଗ (ଆରାମବାଗ)
୧୨. ଦୀପକ ଅଧିକାରୀ (ଘାଟାଲ)
୧୩. କାଳୀପଦ ସୋରେନ (ଝାଡ଼ଗ୍ରାମ)
୧୪. ଜୁନ ମାଲିଆ (ମେଦିନିପୁର)
୧୫. ଅରୂପ ଚକ୍ରବର୍ତ୍ତୀ (ବାଙ୍କୁଡ଼ା)
୧୬. ଶର୍ମିଳା ସରକାର (ପୂର୍ବ ବର୍ଦ୍ଧମାନ)
୧୭. ଅସିତ କୁମାର ମଲ୍ଲ (ବୋଲପୁର)
୧୮. ଶତାବ୍ଦୀ ରୟ (ବୀରଭୂମ)
୧୯. ରଚନା ବାନାର୍ଜୀ (ହୁଗୁଳି)

ଆଗାମୀ ରଣନୀତି ଓ ଆଇନଗତ ସ୍ଥିତି-

ଏହି ବିଦ୍ରୋହୀ ସାଂସଦମାନେ ତୁରନ୍ତ ଦଳ ଛାଡ଼ିବା କିମ୍ବା ବିଜେପିରେ ଯୋଗଦେବା ପରିବର୍ତ୍ତେ ଏକ ସ୍ୱତନ୍ତ୍ର ଗୋଷ୍ଠୀ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦଳ ବଦଳ ଆଇନ (Anti-defection law) ରୁ ରକ୍ଷା ପାଇବା ପାଇଁ ସେମାନେ ଏହି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି, କାରଣ ଦଳର ଦୁଇ-ତୃତୀୟାଂଶ ସଦସ୍ୟ ଏକାଠି ହେଲେ ସେମାନଙ୍କ ଉପରେ ଏହି ଆଇନ ଲାଗୁ ହୁଏ ନାହିଁ। ସେମାନେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏ ସମ୍ପର୍କରେ ଜଣାଇ ସାରିଛନ୍ତି ଏବଂ କାକୋଲି ଘୋଷ ଦସ୍ତିଦାରଙ୍କୁ ନେତୃତ୍ୱରେ ଏହି ବ୍ଲକ୍ ଗଠନ କରିଛନ୍ତି।

ରାଜନୈତିକ ହଲଚଲ- ମଙ୍ଗଳବାର ଦିନ ବିଦ୍ରୋହୀ ସାଂସଦମାନେ ବରିଷ୍ଠ ବିଜେପି ନେତା ଭୁପେନ୍ଦ୍ର ଯାଦବଙ୍କ ଦିଲ୍ଲୀ ବାସଭବନରେ ସାକ୍ଷାତ କରିଥିବା ଖବର ମିଳିଛି। ଅନ୍ୟପକ୍ଷରେ, ପଶ୍ଚିମବଙ୍ଗ ବିଧାନସଭାରେ ମଧ୍ୟ ଦଳର ୮୦ ଜଣ ବିଧାୟକଙ୍କ ମଧ୍ୟରୁ ୫୮ ଜଣ ନେତୃତ୍ୱଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଏହି ସଙ୍କଟ ସମୟରେ ମମତା ବାନାର୍ଜୀ ଦିଲ୍ଲୀରେ ଇଣ୍ଡିଆ (INDIA) ମେଣ୍ଟର ବୈଠକରେ ଯୋଗ ଦେଇଥିବାବେଳେ କଂଗ୍ରେସ ସହ ସମ୍ପର୍କ ସୁଧାରିବା କିମ୍ବା ମିଶ୍ରଣ ହେବାର ସମ୍ଭାବନାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି।

ଏହି ସମସ୍ତ ଘଟଣାକ୍ରମ ପଶ୍ଚିମବଙ୍ଗ ରାଜନୀତିକୁ ଏକ ଅନିଶ୍ଚିତତା ଆଡ଼କୁ ଠେଲି ଦେଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ବିଦ୍ରୋହୀ ସାଂସଦମାନେ ବାଚସ୍ପତିଙ୍କ ସମ୍ମୁଖରେ ଯୁକ୍ତି ଦେଖାଇପାରନ୍ତି ଯେ ଦସ୍ତିଦାର ଲୋକସଭାରେ ଟିଏମସିର ମୁଖ୍ୟ ସଚେତକ ଭାବରେ ରହିଛନ୍ତି,। ଯାହାକୁ ନେଇ ସଂସଦରେ ଆଇନଗତ ଏବଂ ପ୍ରକ୍ରିୟାଗତ ଲଢ଼େଇ ହୋଇପାରେ।

ବରିଷ୍ଠ ବିଜେପି ନେତାଙ୍କ ସହ ବୈଠକ କରିଥିଲେ ବିଦ୍ରୋହୀ ଟିଏମ୍ସି ସାଂସଦ

ମିଳିଥିବା ଖବର ଅନୁସାରେ, ମଙ୍ଗଳବାର ବରିଷ୍ଠ ବିଜେପି ନେତା ଭୂପେନ୍ଦର ଯାଦବଙ୍କ ଦିଲ୍ଲୀ ବାସଭବନରେ ବିଦ୍ରୋହୀ ସାଂସଦଙ୍କ ଏକ ଗୋଷ୍ଠୀ ବୈଠକ କରିଥିଲା। ବୈଠକରୁ ମିଳିଥିବା ଏକ ଫଟୋରେ ନିକଟରେ ଦଳ ଛାଡ଼ିଥିବା ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟଙ୍କ ସମେତ ସାଂସଦ ଆବୁ ତାହେର, ଅସିତ ମାଲ, ଅରୂପ ଚକ୍ରବର୍ତ୍ତୀ, କାଳୀପଦ ସୋରେନ, ଜଗଦୀଶ ବାସୁନିଆ, ପ୍ରସୁନ ବାନାର୍ଜୀ, ଶର୍ମିଲା ସରକାର ଏବଂ ଶତାବ୍ଦୀ ରାୟଙ୍କ ଥିବାର ଦେଖା ଦେଖାଯାଇଛି। ଖବର ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ ଅନୁଯାୟୀ, ଦଳର ଭିତରର ବ୍ୟକ୍ତିମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ ରବିବାର ବିଳମ୍ବିତ ରାତିରେ ଦିଲ୍ଲୀରେ ରାଜଧାନୀର ଏକ ଅଜ୍ଞାତ ସ୍ଥାନରେ ପ୍ରାୟ ୨୦ ଜଣ ସାଂସଦ ଏକ ଅନୌପଚାରିକ ସମାବେଶରେ ଯୋଗ ଦେଇଥିଲେ।

ସୂଚନା ଥାଉକି ପୂର୍ବରୁ ବିଧାୟକମାନେ ମଧ୍ୟ ବିଦ୍ରୋହ ଘୋଷଣା କରିଥିଲେ। ଦଳର ୮୦ ବିଧାୟକଙ୍କ ମଧ୍ୟରୁ ୫୮ ଜଣ ରୀତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଛନ୍ତି।