ଭୁବନେଶ୍ବର ୪।୭: ରାଜ୍ୟରେ ସେଲ୍ଫ ଫାଇନାନ୍ସିଂ ଓ ପ୍ରଫେସନାଲ କଲେଜ ପାଇଁ କୋହଳ ହେଲା ନିୟମ । ଭିତ୍ତିଭୂମି, ଅଧ୍ୟାପକ ଓ ବନ୍ଧକ ଅର୍ଥରାଶି ନିୟମକୁ ସରଳ କଲେ ରାଜ୍ୟ ସରକାର । ଏଣିକି ସେଲ୍ଫ ଫାଇନାନ୍ସିଂ ଓ ପ୍ରଫେସନାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବନିମ୍ନ ଭିତ୍ତିଭୂମି ବା ଶିକ୍ଷକ ଆବଶ୍ୟକତା ଉପରେ ଜୋର ଦିଆଯିବ ନାହିଁ । କିନ୍ତୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ୟୁଜିସି, ଏଆଇସିଟିଇ, ଏନଏମସି ଏବଂ ଆଇଏନସି ଭଳି କେନ୍ଦ୍ରୀୟ ନିୟାମକ ସଂସ୍ଥାର ସମସ୍ତ ମାନଦଣ୍ଡ ଓ ଆବଶ୍ୟକତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବାଧ୍ୟ ହେବେ ।

Also Read:- ମେଡିକାଲରୁ ଫେରୁଥିଲେ, କିଏ ଜାଣିଥିଲା ବାପ-ପୁଅଙ୍କୁ ଏକାସଙ୍ଗେ ଡାକି ନେବ ଯମ

ଏହାସହିତ ପ୍ଲେଜ୍ ମନି ବା ବନ୍ଧକ ଅର୍ଥ ରାଶି ପରିମାଣକୁ କୋହଳ କରାଯାଇ ସେଲ୍ଫ-ଫାଇନାନ୍ସିଂ ଓ ପ୍ରଫେସନାଲ କଲେଜ ପାଇଁ ୫ ଲକ୍ଷ ଟଙ୍କା ଓ ବେସରକାରୀ ଅନୁଦାନପ୍ରାପ୍ତ କିମ୍ବା ବ୍ଲକ ଗ୍ରାଣ୍ଟ କଲେଜ ପାଇଁ ମାତ୍ର ୧ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବାଲେଶ୍ୱର, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ଜୟପୁରର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ସମେତ ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ଉଚ୍ଚଶିକ୍ଷାର ପ୍ରସାର, ବ୍ୟବସାୟିକ ସହଜତା ଓ ଅଧିକ ନୂଆ ଶିକ୍ଷାନୁଷ୍ଠାନ ସ୍ଥାପନକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ପ୍ରଚଳିତ ନିୟମକୁ କୋହଳ କରିଛନ୍ତି ।