ଭୁବନେଶ୍ଵର: ଘଣ୍ଟ ଘଣ୍ଟା, ଶଙ୍ଖନାଦ ଓ ହୁଳହୁଳି ଶବ୍ଦରେ କମ୍ପୁଥିଲା ପୁରା ଏକାମ୍ର କ୍ଷେତ୍ର। ଅଶୋକାଷ୍ଟମୀର ପବିତ୍ର ଅବସରରେ ଶ୍ରଦ୍ଧାଳୁଙ୍କ ଗହଳି ଭିତରେ ଗଡ଼ିଥିଲା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ। କିନ୍ତୁ ନୀତିକାନ୍ତିରେ ବିଳମ୍ବ ଯୋଗୁଁ ଆଜି ମାଉସୀ ମା’ ମନ୍ଦିର ବା ରାମେଶ୍ୱର ମନ୍ଦିରରେ ପହଞ୍ଚି ପାରିନାହାନ୍ତି ମହାପ୍ରଭୁ।

ସକାଳୁ ମଙ୍ଗଳ ଆଳତି, ସାହାଣମେଳା ଦର୍ଶନ ଓ ପହଣ୍ଡି ନୀତି ପାଇଁ ଧାର୍ଯ୍ୟ ସମୟ ଠାରୁ ପ୍ରାୟ ଘଣ୍ଟାଏ ରୁ ଦେଢ଼ ଘଣ୍ଟା ବିଳମ୍ବ ହୋଇଥିଲା। ଏହି କାରଣରୁ ରଥ ଟଣା ମଧ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା। ସେହିଭଳି ଅଣସେବାୟତଙ୍କ ପ୍ରବେଶ ପାଇଁ ମଧ୍ୟ ରଥଟଣା ବିଳମ୍ବ ହୋଇଥିଲା। ପରମ୍ପରା ଅନୁଯାୟୀ, ସୂର୍ଯ୍ୟାସ୍ତ ପରେ ରଥ ଟଣାଯାଏ ନାହିଁ। ଆଜି ସନ୍ଧ୍ୟା ହୋଇଯିବାରୁ ରଥକୁ ତିନି ମୁଣ୍ଡିଆ ଛକ ପାଖରେ ଅଟକାଇ ରଖା ଯାଇଛି ।

କାଳ ବୈଶାଖୀ ସହ ପ୍ରବଳ ବର୍ଷା କୁଆ ପଥର ମାଡ

କାଳ ବୈଶାଖୀ ସହ ପ୍ରବଳ ବର୍ଷା କୁଆ ପଥର ମାଡ ଯୋଗୁଁ ରଥଟଣାରେ ବ୍ୟଘାତ ସୃଷ୍ଟି ହୋଇଥିଲା । ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ୱେ ହଜାର ହଜାର ଭକ୍ତ ରଥ ଦଉଡ଼ି ଟାଣିବାକୁ ଅପେକ୍ଷା କରିଥିଲେ। ରଥ ଅଧା ବାଟରେ ଅଟକିବା ଯୋଗୁଁ ଭକ୍ତଙ୍କ ମନରେ ସାମାନ୍ୟ ନିରାଶା ଦେଖାଦେଇଥିଲେ ବି ସେମାନେ ରଥ ଚାରିପଟେ ବୁଲି ପ୍ରଭୁଙ୍କ ଦର୍ଶନ କରୁଛନ୍ତି।

Also Read: ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ, ୧୦% ବଢ଼ିବ ଅବକାରୀ ଲାଇସେନ୍ସ ଆବେଦନ ଶୁଳ୍କ

ରଥ ଟଣା ବେଳେ ମଧ୍ୟ ଦେଖିବାକୁ ମିଲିଥିଲା ଅଘଟଣ, କେତେବେଳେ ଦଉଡ଼ି ଛିଣ୍ଡି ଯାଇଥିଲା ତ କେତେବେଳେ ରଥ ମୋଡ ନେବା ସମୟରେ ରାସ୍ତା କଡରେ ଥିବା ଦୋକାନ ଘର ଆଡକୁ ମାଡି ଆସିଥିଲା। ହେଲେ ଏସବୁ ବ୍ୟଘାତକୁ ଅତିକ୍ରମ କରି ରଥଟଣା ସ୍ୱାଭାବିକ ହୋଇଥିଲା । ଆସନ୍ତାକାଲି ଶୃଙ୍ଖଳିତ ଭାବେ ରଥକୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ନିଷ୍ପତି ହୋଇଛି । ସକାଳୁ ପୁଣି ଥରେ ରଥ ଉପରେ ଦେବତାଙ୍କ ନୀତିକାନ୍ତି ସମ୍ପନ୍ନ ହେବ। ଏହାପରେ ଥରେ ରଥ ଟଣା ଆରମ୍ଭ ହୋଇ ରଥ ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିବ।

୭ ଦିନ ପରେ ପ୍ରତ୍ୟାବର୍ତ୍ତନ

ରଥ ଅଧା ବାଟରେ ଅଟକିଥିଲେ ବି ଭକ୍ତଙ୍କ ଶ୍ରଦ୍ଧାରେ କୌଣସି କମି ଦେଖିବାକୁ ମିଳିନି। ରାସ୍ତା ଉପରେ ରଥ ଥିବାରୁ ଏବେ ସେହି ସ୍ଥାନ ହିଁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀକ୍ଷେତ୍ର ପାଲଟିଛି। ଅଣ ଲେଉଟା ରଥ ସ୍ପର୍ଶ ପାଇବାକୁ ଓ ଟାଣିବାକୁ ଭକ୍ତଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା । ପୌରାନିକ କଥା ଅନୁଯାୟୀ ରାମେଶ୍ୱର ମନ୍ଦିରରେ ହରିହର ଭେଟ ହେବ, ୭ ଦିନ ପରେ ପୁଣି ମନ୍ଦିରକୁ ପ୍ରତ୍ୟାବର୍ତନ କରିବେ ମହାପ୍ରଭୁ ଲିଙ୍ଗରାଜ । ରଥର ସୁରକ୍ଷା ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସେହି ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଆସନ୍ତାକାଲି ଯେପରି ରଥ ଟଣା ଶୃଙ୍ଖଳିତ ଭାବେ ଶେଷ ହେବ, ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି।

Also Read: ୧୯୭୮ରେ ଶେଷଥର ହୋଇଥିଲା ଗଣତି ମଣତି, ୨୦୨୬ରେ ସେହି ତାଲିକା ସହ ହେବ ମେଳକ