ପୁରୀ ୨୩।୩: ଶ୍ରୀମନ୍ଦିର ପାଇଁ ବୁଧବାର ଥିଲା ଏକ ଐତିହାସିକ ଦିନ। ଦୀର୍ଘ ୪୮ ବର୍ଷ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା ବୁଧବାର ଠାରୁ ଆରମ୍ଭ କରାଯାଇଛି। ପୂର୍ବରୁ ଧାର୍ଯ୍ୟ ହୋଇଥିବା ଶୁଭ ସମୟ ଦିନ ୧୨ଟା ୯ ରୁ ୧ଟା ୪୫ ମଧ୍ୟରେ ରତ୍ନ ଅଳଙ୍କାର ଗଣତି ମଣତି ଦଳର ସଦସ୍ୟ ମାନେ ରତ୍ନଭଣ୍ଡାର ଭିତରେ ପ୍ରବେଶ କରିଥିଲେ। ଆଜି ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିରର ଚଳନ୍ତି ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ତଥା ମହାପ୍ରଭୁଙ୍କ ଦୈନନ୍ଦିନ ସେବାପୂଜାରେ ବ୍ୟବହୃତ ହେଉଥିବା ଅଳଙ୍କାରର ଗଣତି କାର୍ଯ୍ୟ କରାଯାଇଛି। ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ବାହାର ରତ୍ନଭଣ୍ଡାର ଏବଂ ଭିତର ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ କରାଯିବ। ମହାପ୍ରଭୁଙ୍କ କୃପାରୁ ସବୁକିଛି ସୁରୁଖୁରୁରେ ଅନୁଷ୍ଠିତ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି। ତେବେ ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହୋଇଥିବାରୁ ଏହା କେବେ ନିର୍ଦ୍ଦିଷ୍ଟ ଭାବରେ ଶେଷ ହେବ ତାହା କହିବା ସମ୍ଭବ ନୁହେଁ ବୋଲି କହିଛନ୍ତି ରତ୍ନଭଣ୍ଡାର ହାଇଲେବଲ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ।

ପାରମ୍ପରିକ ପୋଷାକ ପରିଧାନ

ତେବେ ବୁଧବାର ପୂର୍ବାହ୍ନ ୧୧ ଟା ରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ, ପୁରୀ ଜିଲ୍ଲାପାଳ, ଏସପି ଏବଂ ରତ୍ନଭଣ୍ଡାରର ଗଣତି ମଣତି ଟିମ୍ ର ପ୍ରତ୍ୟେକ ସଦସ୍ୟ ଏଥିରେ ଉପସ୍ଥିତ ରହିଥିଲେ। ସରକାରଙ୍କ ଏସଓପି ଅନୁଯାୟୀ ରତ୍ନଭଣ୍ଡାର ଭିତରେ ଗଣତି ମଣତି କାର୍ଯ୍ୟର କୌଣସି ସୂଚନା ବାହାରେ ପରିପ୍ରକାଶ ନକରିବା ପାଇଁ ପ୍ରତ୍ୟେକ ସଦସ୍ୟଙ୍କ ଠାରୁ ଏଗ୍ରିମେଣ୍ଟ ରଖାଯାଇଥିଲା। ତେବେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବାକୁ ଥିବା ପ୍ରାଧିକୃତ ବ୍ୟକ୍ତିବିଶେଷ ମାନେ କୌଣସି ମୋବାଇଲ ଫୋନ୍, ଧାତବ ପଦାର୍ଥ ନ ନେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରତ୍ନଭଣ୍ଡାର ଗଣତି ମଣତି ଟିମ୍ ର ପ୍ରତ୍ୟେକ ସଦସ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଗଣତି ମଣତି ଟିମ୍ ର ସଦସ୍ୟ ମାନେ ପାରମ୍ପରିକ ପୋଷାକ ପରିଧାନ କରି ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ।

ମହାପ୍ରଭୁଙ୍କ ନିକଟରେ ସାଷ୍ଟାଙ୍ଗ ପ୍ରଣିପାତ

ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଏବଂ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ମହାପ୍ରଭୁଙ୍କ ନିକଟରେ ସାଷ୍ଟାଙ୍ଗ ପ୍ରଣିପାତ କରି ସମସ୍ତ କାର୍ଯ୍ୟ ଯେଭଳି ସୁରୁଖୁରୁରେ ସମ୍ପାଦନ ହେବ ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ପରେ ଗଣତି ମଣତି ଟିମ୍ ର ସଦସ୍ୟ ମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ସେପଟେ ଏସଓପି ଅନୁଯାୟୀ ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି ଦିନରେ ବାହାର କାଠ ଦର୍ଶନ ବ୍ୟବସ୍ଥା ଥିବାରୁ ଆଜି ଭକ୍ତ ମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସେପଟେ ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟକୁ ନେଇ ଭକ୍ତଙ୍କ ମଧ୍ୟରେ ଏକ ଉତ୍ସାହ ଦେଖାଯାଇଥିବା ବେଳେ ଏହାକୁ ଗଣତି ମଣତି କରି ସାର୍ବଜନୀନ କରିବା ପାଇଁ ଭକ୍ତମାନେ ମତ ରଖିଛନ୍ତି।

Also Read:- Srimandir Ratnbhandar: ଗହଣା ପ୍ରିୟ ଠାକୁରଙ୍କ ଭଣ୍ଡାରରେ ଅଛି ପୁଳା ପୁଳା ସୁନା ରୂପା, ଜାଣନ୍ତୁ କେତେ ?

୧୯୭୮ରେ ଶେଷଥର ଗଣତି ମଣତି

୧୯୭୮ ମସିହାରେ ଶେଷଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ହୋଇଥିଲା। ତେବେ ଏସଓପି ଅନୁଯାୟୀ ୨୦୨୬ ରେ ହେଉଥିବା ଗଣତି ମଣତି କାର୍ଯ୍ୟରେ କେବଳ ୧୯୭୮ ମସିହା ତାଲିକା ସହିତ ସମସ୍ତ ରତ୍ନ ଅଳଙ୍କାରର କେବଳ ମେଳକ କରାଯିବ। କୌଣସି ରତ୍ନ ଅଳଙ୍କାରର ମୂଲ୍ୟାୟନ କରାଯିବ ନାହିଁ। ସେପଟେ ସୁରକ୍ଷା ଦୃଷ୍ଟିରୁ ଗଣତି ମଣତି କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭିଡିଓ ଗ୍ରାଫି ଏବଂ ଫଟୋଗ୍ରାଫି କରାଯାଉଛି। ରତ୍ନ ଅଳଙ୍କାର ଚିହ୍ନଟ ପାଇଁ ଆରବିଆଇ ଅଧିକାରୀ, ଶ୍ରୀମନ୍ଦିର ବଣିଆ, ରତ୍ନ ପଥର ବିଶେଷଜ୍ଞ ଏହି ଗଣତି ମଣତି ଟିମ୍ ରେ ସଦସ୍ୟ ରହିଛନ୍ତି। ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ କରାଯାଉଛି।