ଭୁବନେଶ୍ବର ୧୪।୧୧: ଅନଲାଇନ୍ ଗେମିଂ ଏବଂ ବେଟିଂ ଆପ୍‌ରେ ପ୍ରଚୁର ଟଙ୍କା ହାରି ଜଣେ ସଫ୍ଟୱେୟାର ଇଞ୍ଜିନିୟର କ୍ରାଇମ ଅପରାଧର ରାସ୍ତା ବାଛିଥିବା ଘଟଣା ସାମ୍ନାକୁ ଆସିଛି । 'Winadda' ଗେମିଂ ଆପ୍‌ରେ ୩୨ ଲକ୍ଷ ଟଙ୍କା ହରାଇ ଦେବା ପରେ ଏହି ସଫ୍ଟୱେୟାର ଇଞ୍ଜିନିୟର ଜଣକ ଏକ ସୁନା ଦୋକାନ ଲୁଟ୍ କରିବା ପାଇଁ ଭୟଙ୍କର ଯୋଜନା କରିଥିଲେ । ପୋଲିସ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସଫ୍ଟୱେୟାର ଇଞ୍ଜିନିୟରଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି ।

ଭୁବନେଶ୍ବରର ମୁଖ୍ୟ ଅଭିଯୁକ୍ତ ସଫ୍ଟୱେୟାର ଇଞ୍ଜିନିୟର ଜଣକ 'Winadda' ଗେମିଂ ଏବଂ ବେଟିଂ ଆପ୍ ମାଧ୍ୟମରେ ୩୨ ଲକ୍ଷ ଟଙ୍କା ହରାଇ ଆର୍ଥିକ ସଙ୍କଟରେ ପଡ଼ିଯାଇଥିଲେ । କ୍ଷତି ପୂରଣ କରିବା ପାଇଁ ସେ ଏବଂ ତାଙ୍କର ଅନ୍ୟ ଜଣେ ସହଯୋଗୀ ମିଶି ଗତ ୩ ମାସ ହେବ ଏକ ଗହଣା ଦୋକାନ ଲୁଟ୍ କରିବାର ପ୍ଲାନିଂ କରୁଥିଲେ । ଉଭୟ ଅଭିଯୁକ୍ତ ବେଙ୍ଗାଲୁରୁରେ ରହୁଥିଲେ । ଲୁଟ୍ ପାଇଁ ଅନଲାଇନ୍ ମାଧ୍ୟମରେ ଏକ ଟୟ ଗନ୍ ଏବଂ ଧାରୁଆ ଅସ୍ତ୍ରଶସ୍ତ୍ର କିଣାଯାଇଥିଲା । ଗତ ଅକ୍ଟୋବର ୨୮ ତାରିଖରେ ଅଭିଯୁକ୍ତ ମାନେ ଭୁବନେଶ୍ବରର ଏକ ଜୁଏଲାରୀ ଦୋକାନ ଭିତରେ ପଶି ଲୁଟ୍ ପାଇଁ ଉଦ୍ୟମ କରିଥିଲେ ।

Also Read:- ହାତୀପଲରେ ଗୋଷ୍ଠୀ ସଙ୍ଘର୍ଷ ! ପରସ୍ପରକୁ ଆକ୍ରମଣ କଲେ ଗଜରାଜ, ଦୁଇ ହାତୀ ମୃତ

ଲୁଟ୍ ଉଦ୍ୟମ ଘଟଣା ନେଇ ଅଭିଯୋଗ ପରେ ଚନ୍ଦ୍ରଶେଖରପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଦୋକାନର ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରାଯାଇ ପ୍ରାୟ ୨୦୦ଟି ସ୍ଥାନରେ ତନାଘନା ଓ ଯାଞ୍ଚ କରାଯାଇଥିଲା । ତଦନ୍ତ ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି ।

ଅନଲାଇନ୍ ଗେମ୍ ଓ ବେଟିଂର ନିଶା କିପରି ଯୁବପିଢ଼ିଙ୍କୁ ଅପରାଧ ଦୁନିଆକୁ ଠେଲି ଦେଉଛି, ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ ।