Royal Enfield 250cc Hybrid Bike: ରୟାଲଏନଫିଲ୍ଡ ବାଇକ କିଣିବାକୁ ମନ ଡାକୁଥିଲେ ବି ଅଧିକ ଦାମ ଓ କମ ମାଇଲେଜ୍ ଯୋଗୁ କିଣିବାକୁ ଇଚ୍ଛା ହୁଏନି। ଏପଟେ ଯେହେତୁ କମ୍ପାନୀ ଭାରତରେ ୩୫୦ ସିସିରୁ ୬୫୦ ସିସି ବାଇକ ବିକ୍ରି କରୁଛି, ତେଣୁ ଏହାର ଦାମ ବି କମ ହୋଇପାରୁନି। ସେପଟେ ବହୁ ସଂଖ୍ୟାରେ ଗ୍ରାହକ ଏବେ ୧୨୫ ସିସି ବାଇକ୍ ଆଡ଼କୁ ମୁହାଁଇଲେଣି। ତେଣୁ ଗ୍ରାହକଙ୍କ ଏହି ଭିଡ଼କୁ ଦେଖି ରୟାଲଏନଫିଲ୍ଡ ମଧ୍ୟ ମିଡରେଞ୍ଜ୍ ସେଗମଣ୍ଟରେ ଏଣ୍ଟ୍ରି ମାରିବାକୁ ଯାଉଛି।

କମ୍ପାନୀ ଏବେ ୨୫୦ ସିସି ସେଗମେଣ୍ଟରେ ବାଇକ ଲଞ୍ଚ୍ କରିବ। ଫଳରେ ଗ୍ରାହକ କମ ଦାମରେ ଅଧିକ ମାଇଲେଜର ବାଇକ ପାଇବେ ଓ ରୟାଲଏନଫିଲ୍ଡ ବ୍ରାଣ୍ଡର ପରିଚୟ ବି ମିଳିବ। ଆସନ୍ତା ଆର୍ଥିକ ବର୍ଷରେ କମ୍ପାନୀ ୨୫୦ ସିସି ଇଞ୍ଜିନର ମୋଟରସାଇକେଲ ଲଞ୍ଚ କରିବ ବୋଲି ଇକୋନୋମିକ୍ସ ଟାଇମ୍ସରେ ଖବର ପ୍ରକାଶ ପାଇଛି। ହେଲେ ରୟାଲଏନଫିଲ୍ଡ ପକ୍ଷରୁ ବାଇକ ସମ୍ପର୍କିତ କୌଣସି ସୂଚନା ଦିଆଯାଇ ନାହିଁ।

ରୟାଲ ଏନଫିଲ୍ଡ ହାଇବ୍ରିଡ ୨୫୦ସିସି ଲଞ୍ଚ ତାରିଖ-

ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ରୟାଲଏନଫିଲ୍ଡ ଏହାର ୨୫୦ ସିସି ମୋଟରସାଇକେଲକୁ ଆସନ୍ତା ଆର୍ଥିକ ବର୍ଷ ମଧ୍ୟଭାଗର ଲଞ୍ଚ କରିବାକୁ ପ୍ଲାନିଂ କରୁଛି। ତେବେ କେଉଁ ମଡେଲରେ ଏହି ନୂଆ ଇଞ୍ଜିନ ଲାଗିବ ? ଏହାର କଲର କେମିତି ହେବ ? ଓ କମ୍ପାନୀ ଏହାକୁ କେବେ ଲଞ୍ଚ କରିବ ସେ ନେଇ ରୟାଲଏନଫିଲ୍ଡ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ଇଟି ରିପୋର୍ଟ ଅନୁସାରେ, ବର୍ତ୍ତମାନ ଭାରତୀୟ ମାର୍କେଟ୍ରେ ୨୦୦ ଓ ୨୫୦ ସିସି ସେଗମେଣ୍ଟର ଡିମାଣ୍ଡ ବଢ଼ୁଛି। ବହୁ ସଂଖ୍ୟାରେ ଗ୍ରାହକ ଏହିଭଳି ବାଇକ କିଣିବାକୁ ପସନ୍ଦ କରୁଛନ୍ତି। ଯେଉଁମାନଙ୍କର ବାଇକ ୭୫ ସିସି ଅଛି, ସେମାନେ ଏହାକୁ ୧୨୫ ସିସିରେ କନଭର୍ଟ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ରୟାଲଏନଫିଲ୍ଡ ଏହି ମାର୍କେଟ୍କୁ କବ୍ଜା କରିବାକୁ ଯୋଜନା ଆରମ୍ଭ କରିଦେଇଛି।

ଗତବର୍ଷ ଏକ ଖବର ପ୍ରକାଶ ପାଇଥିଲା ଯେ ରୟାଲଏନଫିଲ୍ଡ ୨୫୦ ସିସି ଇଞ୍ଜିନ ପାଇଁ ପ୍ଲାଟଫର୍ମ ଖୋଜୁଛି। ଏବଂ ଚୀନର ଇଞ୍ଜିନ ନିର୍ମାତା ସିଏଫ୍ମୋଟୋ(CFMoto) ଠାରୁ ଲାଇସେନ୍ସିଂ ଇଞ୍ଜିନ ଟେକ୍ନୋଲୋଜୀ ବିଷୟରେ ଆଲୋଚନା କରିଛି। ହେଲେ କମ୍ପାନୀ କିନ୍ତୁ ଏନେଇ କୌଣସି ସ୍ପଷ୍ଟ କରି ନଥିଲା। ଏବେ ବି କମ୍ପାନୀ ଏନେଇ କିଛି କହୁନାହିଁ, ସତ କିନ୍ତୁ ଦୃଢ଼ ସୂତ୍ରରୁ ତଥ୍ୟ ନେଇ ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇଛି।

ରୟାଲ ଏନଫିଲ୍ଡ ୨୫୦ ସିସି ମାଇଲେଜ୍ ଓ ମୂଲ୍ୟ

ଯଦି ରୟାଲଏନଫିଲ୍ଡ ୨୫୦ ସିସିର ହାଇବ୍ରିଡ ଇଞ୍ଜିନ ସହିତ ମୋଟରସାଇକେଲ ଲଞ୍ଚ କରେ, ତେବେ ପୂର୍ବ ମଡେଲଗୁଡ଼ିକ ଠାରୁ ଏହା ଅଧିକ ମାଇଲେଜ୍ ଦେବ। ରିପୋର୍ଟ ଅନୁସାରେ ଏହି ଇଞ୍ଜିନ ୪୦-୪୫ କିଲୋମିଟର ମଧ୍ୟରେ ମାଇଲେଜ୍ ଦେଇପାରେ ବୋଲି କୁହାଯାଉଛି।। ସେହିପରି ଏହାର ମୂଲ୍ୟ ମଧ୍ୟ କମ ରହିବ। ବିଭିନ୍ନ ମିଡିଆ ରିପୋର୍ଟ ଅନୁସାରେ, ରୟାଲଏନଫିଲ୍ଡର ୨୫୦ ସିସି ହାଇବ୍ରିଡ ଇଞ୍ଜିନ ମଡେଲର ଦାମ ୧.୨୫ ଲକ୍ଷରୁ ୧.୫୦ ଲକ୍ଷ ଟଙ୍କା ଭିତରେ ରହିପାରେ।

କେଉଁ ସେଗମେଣ୍ଟରେ କେତେ ବେପାର ?

ଅଧିକ ସିସି ବାଇକଗୁଡ଼ିକର ମୂଲ୍ୟ ଅଧିକ ରହୁଥିବାରୁ ଘରୋଇ ମାର୍କେଟ୍ରେ ଏଗୁଡ଼ିକର ଡିମାଣ୍ଡ ଟିକେ କମ ରହୁଛି। ଗତ ଆର୍ଥିକ ବର୍ଷରେ, ୨୫୦ ସିସିରୁ ଅଧିକ ଏବଂ ୮୦୦ ସିସି ପର୍ଯ୍ୟନ୍ତ ଇଞ୍ଜିନ୍ କ୍ଷମତା ବିଶିଷ୍ଟ ମୋଟରସାଇକେଲର ଘରୋଇ ମାର୍କେଟ୍ ୧.୨୭ ମିଲିଅନ ୟୁନିଟରୁ ଅଧିକ ହୋଇଛି। ପାଞ୍ଚ ବର୍ଷ ପୂର୍ବର ୫,୫୦,୦୦୦ ୟୁନିଟରୁ ଏହା ସାମାନ୍ୟ ଅଧିକ। ସେହିପରି ୭୫-୧୨୫ ସିସି ସେଗମେଣ୍ଟର ଘରୋଇ ବଜାର ଆର୍ଥିକ ବର୍ଷ ୨୦୨୨ର ୭୯.୯%ରୁ ଖସି ଆର୍ଥିକ ବର୍ଷ ୨୦୨୬ରେ ୭୨.୯% ରହିଯାଇଛି। ଗତ ଆର୍ଥିକ ବର୍ଷରେ ଏହି କ୍ୟାଟେଗୋରୀରେ ୯୫.୩ ଲକ୍ଷ ବାଇକ ବିକ୍ରି ହୋଇଥିଲା।