ମୁମ୍ବାଇ, ନଭେମ୍ବର ୨୦: ମା' ହୋଇଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ। ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କ ସହ ତାଙ୍କର ପ୍ରଥମ ସନ୍ତାନ ଭାବେ ଏକ ପୁତ୍ର ସନ୍ତାନ ଜନ୍ମ ନେଇଛି। ନଭେମ୍ବର ୧୯ରେ ସାମନ୍ଥା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ବେଳେ ତାଙ୍କ ନାଁ ‘ଦେବ’ ରଖାଯାଇଛି। ଏହି ଖୁସି ଖବରକୁ ସାମନ୍ଥା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଫଟୋ ସହ ସେୟାର କରିଛନ୍ତି।

ସାମନ୍ଥା ସେୟାର କରିଥିବା ଫଟୋରେ ନବଜାତ ଶିଶୁର ଛୋଟ ଛୋଟ ହାତକୁ ତାଙ୍କ ବାପା ଓ ମାଆ ନିଜ ହାତରେ ଧରିଥିବା ଦେଖିବାକୁ ମିଳିଛି। ଫଟୋ ସହ ସେ ଲେଖିଛନ୍ତି, "ଆମର ସୁନ୍ଦର ପୁଅ ଦେବ । ଆମ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ।" ଏହି ଖବର ପରେ ପ୍ରଶଂସକ ଓ ସିନେଜଗତର ବହୁ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ମା' ହେବା ପୂର୍ବରୁ ସାମନ୍ଥା ଓ ରାଜ ନିଜ ଘରେ ଏକ ଛୋଟ ପୂଜାର ଆୟୋଜନ କରିଥିଲେ। ଆସୁଥିବା ସନ୍ତାନର ମଙ୍ଗଳ ଓ ସୁସ୍ଥ ଜୀବନ ପାଇଁ ସେମାନେ ପୂଜା କରିଥିଲେ। ଏହି ପୂଜାର କିଛି ଫଟୋ ଓ ଭିଡିଓ ସାମନ୍ଥା ଇନଷ୍ଟାଗ୍ରାମ୍ରେ ସେୟାର କରିଥିଲେ।

ଫଟୋରେ ସାମନ୍ଥା ନାଲି ରଙ୍ଗର ସୁଟ୍ ପିନ୍ଧିଥିବା ବେଳେ ରାଜ କ୍ରିମ୍ ରଙ୍ଗର କୁର୍ତ୍ତା ଓ ଧଳା ପାଇଜାମା ପିନ୍ଧିଥିଲେ। ଏହାବ୍ୟତୀତ ସାମନ୍ଥା ପରିବାରର ବଡ଼ମାନଙ୍କଠାରୁ ଆଶୀର୍ବାଦ ନେଉଥିବା ଏବଂ ପରିବାର ସଦସ୍ୟଙ୍କ ସହ ଫଟୋ ଉଠାଉଥିବା ନଜର ଆସିଥିଲେ।

ଅନ୍ୟ ସେଲିବ୍ରିଟିଙ୍କ ଭଳି ସାମନ୍ଥା ସୋସିଆଲ ମିଡିଆରେ ପ୍ରଥମରୁ ନିଜ ଗର୍ଭଧାରଣ ବିଷୟରେ ଜଣାଇ ନଥିଲେ। ତେଲୁଗୁ ଫିଲ୍ମ 'ମା ଇଣ୍ଟି ବାଙ୍ଗାରମ୍'ର ସଫଳତା ଉତ୍ସବରେ ସେ ପ୍ରଥମ ଥର ପାଇଁ ବେବି ବମ୍ପ ଦେଖାଇଥିଲେ। ସେହି କାର୍ଯ୍ୟକ୍ରମରେ ତାଙ୍କ ସହ ରାଜ ନିଦିମୋରୁ ଓ ଫିଲ୍ମର ନିର୍ଦ୍ଦେଶିକା ବି.ଭି. ନନ୍ଦିନୀ ରେଡ୍ଡୀ ଉପସ୍ଥିତ ଥିଲେ। ଏହି ଫିଲ୍ମର ସହ-ପ୍ରଯୋଜନା ଦାୟିତ୍ୱ ସାମନ୍ଥା ଓ ରାଜ ମିଳିତ ଭାବେ ନେଇଥିଲେ। ଏଥିସହ ଫିଲ୍ମର କାହାଣୀ ଓ ସ୍କ୍ରିନ୍ପ୍ଲେ ମଧ୍ୟ ରାଜ ଲେଖିଥିଲେ।

ଗର୍ଭଧାରଣ ବିଷୟରେ ଜଣାଇବା ପରେ ଏକ କାର୍ଯ୍ୟକ୍ରମରେ ସାମନ୍ଥା କହିଥିଲେ ଯେ, ଚାଲିଥିବା ଫିଲ୍ମ କାମ ଶେଷ କରିବା ପରେ ସେ କିଛି ଦିନ ପାଇଁ ଅଭିନୟରୁ ବିରତି ନେବେ। ଏହାକୁ ସେ ମାତୃତ୍ୱକାଳୀନ ଛୁଟି ବା ମାଟର୍ନିଟି ଲିଭ୍ ବୋଲି କହିଥିଲେ। କିଛି ଦିନ ବିରତି ପରେ ପୁଣି ନୂଆ ଫିଲ୍ମ ସହ ପ୍ରଶଂସକଙ୍କ ପାଖକୁ ଫେରିବେ ବୋଲି କହିଥିଲେ।

ସାମନ୍ଥା ଓ ରାଜ ନିଦିମୋରୁ ୨୦୨୫ ଡିସେମ୍ବର ୧ ତାରିଖରେ ବିବାହ କରିଥିଲେ। କୋଏମ୍ବାଟୁରସ୍ଥିତ ସଦ୍ଗୁରୁଙ୍କ ଇଶା ଯୋଗ କେନ୍ଦ୍ରରେ ଅତି ନିରାଡ଼ମ୍ବର ଭାବେ ଏହି ବିବାହ ହୋଇଥିଲା। ଗତବର୍ଷ ୱାର୍ଲ୍ଡ ପିକଲବଲ୍ ଲିଗ୍ ସମୟରେ ଉଭୟଙ୍କୁ ଏକାଠି ଦେଖିବା ପରେ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସାମନ୍ଥା ସେତେବେଳେ ଚେନ୍ନାଇ ସୁପର ଚ୍ୟାମ୍ପସ୍ ଦଳକୁ ଉତ୍ସାହିତ କରୁଥିବା ବେଳେ ରାଜ ମଧ୍ୟ ତାଙ୍କ ପାଖରେ ଉପସ୍ଥିତ ଥିଲେ।

also read-; Bollywood News : ‘କଥା କହିବାର ତରିକା ଜଣାନାହିଁ, ଆଟିଟ୍ୟୁଡ୍ ଅଲଗା ଲେଭଲ୍’ ନବାଜୁଦ୍ଦିନଙ୍କୁ ନେଇ ଏମିତି କିଛି କହିଲେ ଦିୟା ମିର୍ଜା !

ସାମନ୍ଥା ଓ ରାଜ ପ୍ରଥମେ ଲୋକପ୍ରିୟ ୱେବ୍ ସିରିଜ୍ 'ଦ ଫ୍ୟାମିଲି ମ୍ୟାନ୍ ୨'ରେ ଏକାଠି କାମ କରିଥିଲେ। ଏହି ସିରିଜ୍ରେ ମନୋଜ ବାଜପେୟୀ ମୁଖ୍ୟ ଭୂମିକାରେ ଥିଲେ। ପରେ ଉଭୟେ 'ସିଟାଡେଲ୍: ହନି ବନି'ରେ ପୁଣି ଏକାଠି କାମ କରିଥିଲେ। ଏହା ହେଉଛି ଆନ୍ତର୍ଜାତୀୟ ସିରିଜ୍ 'ସିଟାଡେଲ୍'ର ଭାରତୀୟ ସଂସ୍କରଣ। ଏଥିରେ ବରୁଣ ଧାୱନ ମଧ୍ୟ ଅଭିନୟ କରିଥିଲେ। ବର୍ତ୍ତମାନ ପୁଅ ଦେବଙ୍କ ଆଗମନକୁ ନେଇ ସାମନ୍ଥା ଓ ରାଜଙ୍କ ପରିବାରରେ ଖୁସିର ମାହୋଲ। ପ୍ରଶଂସକମାନେ ମଧ୍ୟ ଏହି ନୂଆ ଜୀବନ ଆରମ୍ଭ ପାଇଁ ଦୁହିଁଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।