ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଦିୟା ମିର୍ଜାଙ୍କ ଏକ ସୋସିଆଲମିଡିଆ ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ନିଜର ସୌନ୍ଦର୍ଯ୍ୟ ଓ ଅଭିନୟ ପାଇଁ ପରିଚିତ ଦିୟା ଏଥର ନିଜର ଏକ ଖରାପ ଅନୁଭୂତି ପାଇଁ ଚର୍ଚ୍ଚାରେ । ସେ ଜଣେ ଅଭିନେତାଙ୍କ ସହ କାମ କରିବାର ଅନୁଭୂତିକୁ ଖରାପ ସ୍ୱପ୍ନ ବୋଲି କହିଛନ୍ତି। ଯାହାକୁ ନେଇ ସୋସିଆଲମିଡିଆରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଯଦିଓ ଦିୟା ନିଜ ପୋଷ୍ଟରେ କାହାରି ନାଁ ଉଲ୍ଲେଖ କରିନାହାନ୍ତି, ତଥାପି ଅଭିନେତା ନବାଜୁଦ୍ଦିନ ସିଦ୍ଦିକିଙ୍କୁ ଟ୍ୟାଗ୍ କରିଥିବାରୁ ଘଟଣାଟି ଅଧିକ ରୋଚକ ହୋଇଛି।

କ'ଣ ଲେଖିଲେ ଦିୟା?

ନଭେମ୍ବର ୧୮ ତାରିଖରେ ଦିୟା ମିର୍ଜା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ। ଏଥିରେ ସେ ଜଣେ ଅଭିନେତାଙ୍କ ସହ କାମ କରିବାର ଅନୁଭୂତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେହି ଅନୁଭୂତିକୁ ଏକ ଖରାପ ସ୍ୱପ୍ନ ସହ ତୁଳନା କରିଥିଲେ।ପୋଷ୍ଟରେ ସେ ଲେଖିଥିଲେ, "କଥା ହେବାର ତରିକା ନାହିଁ, ଆଉ ଆଟିଟ୍ୟୁଡ୍ ତ ଅଲଗା ଲେଭଲ ର । ସମ୍ପୂର୍ଣ୍ଣ ଭାବେ ଜଣେ ଅପମାନଜନକ ବ୍ୟକ୍ତି।" ଦିୟାଙ୍କ ଏହି କଥା ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସିନେପ୍ରେମୀଙ୍କ ମଧ୍ୟରେ ଅନେକ ପ୍ରଶ୍ନ । ସେ କାହାକୁ ଏଭଳି କହିଛନ୍ତି? କେଉଁ ପ୍ରୋଜେକ୍ଟରେ ତାଙ୍କୁ ଏଭଳି ଅନୁଭୂତି ହୋଇଥିଲା? ଏମିତି କେତେ କ’ଣ ?

ନବାଜୁଦ୍ଦିନଙ୍କୁ ଟ୍ୟାଗ୍ କରିବା ପରେ ବଢ଼ିଲା ଚର୍ଚ୍ଚା

ଦିୟା ନିଜ ପୋଷ୍ଟରେ ନବାଜୁଦ୍ଦିନ ସିଦ୍ଦିକିଙ୍କ ନାଁ ସିଧାସଳଖ ଉଲ୍ଲେଖ କରିନାହାନ୍ତି। କିନ୍ତୁ ତାଙ୍କୁ ଟ୍ୟାଗ୍ କରିଥିବାରୁ ଏହି ପୋଷ୍ଟକୁ ନେଇ ନାନା ଆଲୋଚନା ହେଉଛି। ସୋସିଆଲ ମିଡିଆରେ ଅନେକ ଲୋକ ଏହାକୁ ନବାଜୁଦ୍ଦିନଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ମନ୍ତବ୍ୟ ବୋଲି ଭାବୁଛନ୍ତି। ତେବେ ଏହା ପଛର ପ୍ରକୃତ କାରଣ କ'ଣ, ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ। ଦିୟା ମଧ୍ୟ ନିଜ ପୋଷ୍ଟରେ କୌଣସି ପ୍ରୋଜେକ୍ଟ କିମ୍ବା ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇନାହାନ୍ତି। ତେଣୁ ଏହି ମନ୍ତବ୍ୟ ନବାଜୁଦ୍ଦିନଙ୍କ ପାଇଁ ଥିଲା ନା ଅନ୍ୟ କାହାକୁ ନେଇ ଥିଲା, ତାହା ନିଶ୍ଚିତ ହୋଇନି। ଏପଟେ ଦିୟାଙ୍କ ପୋଷ୍ଟ ପରେ ନବାଜୁଦ୍ଦିନ ସିଦ୍ଦିକିଙ୍କ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ମଧ୍ୟ ଚର୍ଚ୍ଚାକୁ ଆସିଛି। ସେ ଏକ ଖାଲି ଚୌକିର ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ, 'ଏକ ଓଁକାର! ନାନକ ଦେବ ଜୀ।' ତେବେ ଏହି ଷ୍ଟୋରୀରେ ସେ ଦିୟା ମିର୍ଜାଙ୍କ ନାଁ ନେଇନାହାନ୍ତି କିମ୍ବା ତାଙ୍କ ପୋଷ୍ଟକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ତେଣୁ ନବାଜୁଦ୍ଦିନଙ୍କ ଏହି ଷ୍ଟୋରୀ ଦିୟାଙ୍କ ପୋଷ୍ଟ ର ଉତ୍ତର ଥିଲା କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

ନବାଜୁଦ୍ଦିନଙ୍କ ସହ ନଜର ଆସିବେ ଦିୟା

ଚଳିତ ବର୍ଷ ଆରମ୍ଭରେ ଦିୟାଙ୍କ ଚାରୋଟି ପ୍ରୋଜେକ୍ଟ ଶୁଟିଂ ସରିଛି । ସେଗୁଡ଼ିକ ଏବେ ରିଲିଜ୍ ଅପେକ୍ଷାରେ । ଏହି ପ୍ରୋଜେକ୍ଟଗୁଡ଼ିକ ମଧ୍ୟରେ ନବାଜୁଦ୍ଦିନ ସିଦ୍ଦିକିଙ୍କ ସହ ଏକ ୱେବ୍ ସିରିଜ୍ ରହିଛି । ଏହା ବ୍ୟତୀତ ଜିମି ଶେରଗିଲଙ୍କ ସହ ଆଉ ଏକ ୱେବ୍ ସିରିଜ୍ ଏବଂ ରାହୁଲ ଭଟ୍ଟଙ୍କ ସହ ଏକ ଫିଲ୍ମ ମଧ୍ୟ ରହିଛି। ତେବେ ନବାଜୁଦ୍ଦିନଙ୍କ ସହ ତାଙ୍କର ଏହି ୱେବ୍ ସିରିଜ୍ ର ନାଁ କିମ୍ବା ଅନ୍ୟାନ୍ୟ ବିବରଣୀ ନିର୍ମାତାଙ୍କ ପକ୍ଷରୁ ଏଯାଏଁ ପ୍ରକାଶ କରାଯାଇନାହିଁ । ଅନ୍ୟପଟେ ନବାଜୁଦ୍ଦିନ ସିଦ୍ଦିକି ଶେଷଥର ପାଇଁ 'ରାତ୍ ଅକେଲି ହୈ: ଦ ବଂଶଲ ମର୍ଡର୍ସ'ରେ ନଜର ଆସିଥିଲେ। ତାଙ୍କ ହାତରେ ମଧ୍ୟ ଏକାଧିକ ଫିଲ୍ମ ଓ ଓଟିଟି ପ୍ରୋଜେକ୍ଟ ରହିଛି। ସେଥିମଧ୍ୟରୁ ଦର୍ଶକଙ୍କ ଅପେକ୍ଷା ରହିଛି 'ତୁମ୍ବାଡ୍ ୨'କୁ । ଏହି ଫିଲ୍ମରେ ସୋହମ ଶାହ ଓ ଆଲିଆ ଭଟ୍ଟ ମଧ୍ୟ ନଜର ଆସିବେ । ଆଦେଶ ପ୍ରସାଦଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ଫିଲ୍ମ ୩ ଡିସେମ୍ବର ୨୦୨୭ରେ ସିନେମା ହଲ୍ ରେ ରିଲିଜ୍ ହୋଇପାରେ । ଏହା ବ୍ୟତୀତ ନବାଜୁଦ୍ଦିନ 'ବ୍ଲାଇଣ୍ଡ ବାବୁ', 'ସେକ୍ସନ ୧୦୮' ଏବଂ ତିଗମାଂଶୁ ଧୂଲିଆଙ୍କ ନିର୍ଦ୍ଦେଶିତ ମ୍ୟୁଜିକାଲ ଥ୍ରିଲର 'ୱୋ ଫିର କଭି ଦିଖା ନହିଁ' ଭଳି ପ୍ରୋଜେକ୍ଟରେ ମଧ୍ୟ କାମ କରୁଛନ୍ତି ।

 Also Read- ସବୁ ରେକର୍ଡ ଭାଙ୍ଗି ଦେଲା ରାମାୟଣ: ଦକ୍ଷିଣ ଭାରତରୁ ନେଇ ଆମେରିକା, ୧୪ ଦିନରେ ୧୫୦୦ କୋଟି ପାର୍, ୩ ବଡ଼ ରେକର୍ଡ