ନୂଆଦିଲ୍ଲୀ: ଆମେରିକାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଗୁରପତୱନ୍ତ ସିଂହ ପନ୍ନୁ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କୁ ପ୍ରାୟ ୨୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଲେ କୋର୍ଟ । ନଭେମ୍ବର ୨୦ରେ ଆମେରିକାର ଏକ ଫେଡେରାଲ କୋର୍ଟ ୫୫ ବର୍ଷୀୟ ନିଖିଲ ଗୁପ୍ତାଙ୍କୁ ୨୩୫ ମାସ (ପ୍ରାୟ ସାଢ଼େ ୧୯ ବର୍ଷ) ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି ।  ଫେବୃଆରୀ ମାସରେ ନିଖିଲ ସୁପାରି ଦେଇ ହତ୍ୟା ଉଦ୍ୟମ, ହତ୍ୟା ଷଡ଼ଯନ୍ତ୍ର ଏବଂ ମନି ଲଣ୍ଡରିଂ ଭଳି ସଙ୍ଗୀନ ଅଭିଯୋଗରେ ନିଜର ଦୋଷ ସ୍ୱୀକାର କରିଥିଲେ। ମ୍ୟାନହଟନ ଫେଡେରାଲ କୋର୍ଟର ବିଚାରପତି ଭିକ୍ଟର ମାରେରୋ ପ୍ରାୟ ୮୦ ମିନିଟର ଶୁଣାଣି ପରେ ଏହି ରାୟ ଶୁଣାଇଛନ୍ତି। ଦଣ୍ଡ ଅବଧି ଶେଷ ହେବା ପରେ ନିଖିଲଙ୍କୁ ଆମେରିକାରୁ ପ୍ରତ୍ୟର୍ପଣ କରାଯାଇପାରେ ବୋଲି ମଧ୍ୟ କୋର୍ଟ ସଙ୍କେତ ଦେଇଛନ୍ତି।

ଶୁଣାଣି ସମୟରେ କୋର୍ଟ ରୁମ୍‌ରେ ନିଖିଲ ଗୁପ୍ତା ନିଜ କର୍ମ ପାଇଁ ଅନୁତାପ କରିଛନ୍ତି । ଏହା ସହ ମହାତ୍ମା ଗାନ୍ଧୀଙ୍କ ଅହିଂସା ମାର୍ଗରୁ ବିଚ୍ୟୁତ ହୋଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ସେ କୋର୍ଟରେ ଉପସ୍ଥିତ ଥିବା ଭାରତ ସରକାରଙ୍କ ଦ୍ବାରା ଘୋଷିତ ଆତଙ୍କବାଦୀ ପନ୍ନୁନକୁ ମଧ୍ୟ କ୍ଷମା ମାଗିଛନ୍ତି ।  ଉଲ୍ଲେଖଯୋଗ୍ୟ ଯେ, ପନ୍ନୁନ୍ ହେଉଛନ୍ତି ନ୍ୟୁୟର୍କ ସ୍ଥିତ ନିଷିଦ୍ଧ ସଂଗଠନ 'ଶିଖ୍ସ ଫର୍ ଜଷ୍ଟିସ୍' (SFJ)ର ମୁଖ୍ୟ । ସେ ଭାରତରୁ ପଞ୍ଜାବକୁ ଅଲଗା କରି ଏକ ସ୍ୱତନ୍ତ୍ର ଖଲିସ୍ତାନ ରାଷ୍ଟ୍ର ଗଠନ ପାଇଁ ଦାବି କରିଆସୁଛନ୍ତି। ଭାରତ ସରକାର ୨୦୨୦ ମସିହା ଜୁଲାଇ ୧ ତାରିଖରେ ୟୁଏପିଏ ଆଇନ ଅନୁଯାୟୀ ପନ୍ନୁନକୁ ଜଣେ ଆତଙ୍କବାଦୀ ଭାବରେ ଘୋଷଣା କରିଥିଲେ। 

ଆମେରିକୀୟ ସରକାରୀ ଓକିଲଙ୍କ ଯୁକ୍ତି ଅନୁଯାୟୀ, ନିଖିଲ ଗୁପ୍ତା ଜଣେ ଭାରତୀୟ ସରକାରୀ କର୍ମଚାରୀଙ୍କ ନିର୍ଦ୍ଦେଶରେ ଜଣେ ଆମେରିକୀୟ ନାଗରିକଙ୍କୁ ହତ୍ୟା କରିବା ପାଇଁ  ଷଡ଼ଯନ୍ତ୍ର ରଚିଥିଲେ। ତେବେ ନିଖିଲଙ୍କ ଓକିଲ କହିଥିଲେ, ସେ କେବଳ ଜଣେ ମଧ୍ୟସ୍ଥି ଭାବେ କାମ କରୁଥିଲେ । ପୂର୍ବରୁ ତାଙ୍କର କୌଣସି ଅପରାଧିକ ରେକର୍ଡ ନଥିଲା। ଏହି ମାମଲାରେ ଭାରତୀୟ ଗୁଇନ୍ଦା ସଂସ୍ଥା ସହ ଜଡ଼ିତ ଥିବା କୁହାଯାଉଥିବା ବିକାଶ ଯାଦବଙ୍କ ନାମ ସାମ୍ନାକୁ ଆସିଛି । ସେ ୨୦୨୪ ଅକ୍ଟୋବରରୁ ଏଫବିଆଇର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଅଛନ୍ତି। ସୂଚନା ଅନୁଯାୟୀ, ପନ୍ନୁନକୁ ହତ୍ୟା କରିବା ପାଇଁ ଜଣେ ଛଦ୍ମବେଶୀ ଅଧିକାରୀଙ୍କ ସହ ୧ ଲକ୍ଷ ଡଲାରର ଡିଲ୍ ହୋଇଥିଲା । ୨୦୨୩ ଜୁନ୍ ୯ ତାରିଖରେ ଅଗ୍ରୀମ ୧୫ ହଜାର ଡଲାର ନଗଦ ପ୍ରଦାନ କରାଯାଇଥିଲା।

ଏହି ଷଡ଼ଯନ୍ତ୍ର ସମୟରେ ନିଖିଲ ଗୁପ୍ତା ସମ୍ପୃକ୍ତ ଛଦ୍ମବେଶୀ ଅଧିକାରୀଙ୍କୁ କାନାଡାରେ ନିହତ ହୋଇଥିବା ଖାଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜର କଥା ମଧ୍ୟ କହିଥିଲେ । ନିଜ୍ଜର ହତ୍ୟା ପରେ ପନ୍ନୁନକୁ ମାରିବା ପାଇଁ ଆଉ ଅପେକ୍ଷା କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ୨୦୨୩ ଜୁନ୍ ୩୦ ତାରିଖରେ ନିଖିଲଙ୍କୁ ଚେକ୍ ଗଣରାଜ୍ୟର ରାଜଧାନୀ ପ୍ରାଗରୁ ଗିରଫ କରାଯାଇ ଆମେରିକାକୁ ପ୍ରତ୍ୟର୍ପଣ କରାଯାଇଥିଲା। ସେପଟେ ଯେଉଁମାନେ ଆମେରିକା ମାଟିରେ ହିଂସା ଘଟାଇବାକୁ ସାହସ କରନ୍ତି ଏହି ଦଣ୍ଡାଦେଶ ସେମାନଙ୍କ ପାଇଁ ବୋଲି ଆମେରିକା ଆଟର୍ଣ୍ଣି ଜେମି ମ୍ୟାକଡୋନାଲ୍ଡ କହିଛନ୍ତି । ଅନ୍ୟପଟେ ପନ୍ନୁ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ସଂପୃକ୍ତିକୁ ନେଇ ହୋଇଥିବା ଅଭିଯୋଗକୁ ଭାରତ ସରକାର ଖଣ୍ଡନ କରିଥିଲେ ।  ତେବେ ନିଖିଲ ଗୁପ୍ତାଙ୍କ ଦଣ୍ଡାଦେଶ ଉପରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।