ମେକ୍ସିକୋ: ରାସ୍ତାକଡରେ ଜଳିଗଲା ବିମାନ। ହେଲେ ଭାଗ୍ୟବଶତଃ ବଞ୍ଚିଗଲେ ୬ ଯାତ୍ରୀ। ଏହି ଦୁର୍ଘଟଣା ମେକ୍ସିକୋରେ ଘଟିଛି। ଏକ ଛୋଟ ବିମାନ ରାଜପଥ ପାର୍ଶ୍ୱରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପୂରା ଆକାଶ କାଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା। ଏତେବଡ ଘଟଣା ପରେ ବି ବିମାନରେ ଥିବା ୬ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏଇ ୬ ଜଣଙ୍କୁ ମାତ୍ର ସାମାନ୍ୟ ଆଘାତ ଲାଗିଛି। ଫଳରେ କାହାକୁ ବି ହସ୍ପିଟାଲ ଯିବାକୁ ପଡ଼ିନାହିଁ।

ରିପୋର୍ଟ ଅନୁସାରେ ନଭେମ୍ବର ୧୮ ତାରିଖ ଦିନ ପ୍ରାୟ ୧ଟା ୫୦ ମିନିଟ୍‌ରେ ମୋଣ୍ଟେରେ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଥିଲା। Piper Malibu 46 ନାମକ ଏକ ଛୋଟ ବିମାନଟି ଉଡ଼ାଣ ପଥରୁ ବାହାରି ଏକ ବାଡ଼ରେ ପିଟି ହୋଇଯିବାରୁ ମୋଣ୍ଟେରେ-ନୁଏଭୋ ଲାରେଡୋ ରାଜପଥ ପାର୍ଶ୍ୱରେ ଯାଇ ଜଳିଯାଇଥିଲା। ଉଡ଼ାଣ ସମୟରେ ବିମାନଟିର ଇଞ୍ଜିନ୍‌ର ପାୱାର କମିଯିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Also Read- ଜଳୁଛି ବାଂଲାଦେଶ : ହିଂସା ରୋକିବାରେ ବିଫଳ ଦୁର୍ବଳ ତାରିକ୍ ରହମାନ ! ଓଲଟା ଭାରତ ଉପରେ ଲଦିଲେ ଦୋଷ

ଦୁର୍ଘଟଣା ପରେ ବିମାନଟିରେ ଭୟଙ୍କର ନିଆଁ ଲାଗିଯାଇଥିଲା। ରାସ୍ତାକଡ଼ରେ ବିମାନ ଜଳୁଥିବା ଦେଖିବା ପରେ ସେଠାରେ ଲମ୍ବା ଲାଇନ ଲାଗିଥିଲା। ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଟ୍ରାଫିକ୍ ଜାମ୍ ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ରିପୋର୍ଟ ଅନୁସାରେ, ବିମାନରେ ମୋଟ ୬ ଜଣ ବସିଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ଯାତ୍ରୀ ଓ ୨ ଜଣ କ୍ରୁ ସଦସ୍ୟ ଥିଲେ। କ୍ରୁ ସଦସ୍ୟ ଡେଭିଡ୍ କୋରୋନା କାବ୍ରେରୋ (୪୧) ଏବଂ ଆଲାନ୍ ଆଡ୍ରିନ୍ କ୍ୟୁଭାସ୍ ଲୁ (୨୫) ବୋଲି ଚିହ୍ନଟ କରାଯାଇଛି।

ରିପୋର୍ଟ ଅନୁସାରେ କାସାଗୋ କମ୍ପାନୀ ଦ୍ୱାରା ପରିଚାଳିତ ଏହି ବିମାନଟି ମେକ୍ସିକୋ ସିଟି ନିକଟସ୍ଥ ଆଟିଜାପାନ୍ ଅଭିମୁଖେ ଯାତ୍ରା କରୁଥିଲା। ଉଡ଼ାଣ ସମୟରେ ବିମାନଟିର ଇଞ୍ଜିନ୍‌ର ପାୱାର କମିଯିବାରୁ ଦୁର୍ଘଟଣା ଘଟିଥିଲା। ଏହା ପରେ ସୁରକ୍ଷା ଦୃଷ୍ଟିରୁ ବିମାନବନ୍ଦରର ରନୱେକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା। ବିମାନଟି କାହିଁକି ଇଞ୍ଜିନ୍ ଶକ୍ତି ପାୱାର ହରାଇ ନିଜ ନିୟନ୍ତ୍ରଣରୁ ବାହାରିଗଲା, ସେନେଇ ତଦନ୍ତ ଆରମ୍ଭ ହୋଇଛି।