ଭୁବନେଶ୍ବର: ଅଗଷ୍ଟ ୩ରୁ ୫ ତାରିଖ ଯାଏ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ବିଭିନ୍ନ ଜିଲ୍ଲାରେ ଆୟୋଜିତ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମଗୁଡ଼ିକରେ ଅଂଶଗ୍ରହଣ କରିବେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ଅଗଷ୍ଟ ୩ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଟକ ଯିବେ ଏବଂ ପରଦିନ ଟ୍ରେନ ଯୋଗେ ଭୁବନେଶ୍ବରରୁ ବ୍ରହ୍ମପୁର ଗସ୍ତ କରିବେ।

ଏହାକୁ ଦୃଷ୍ଟିରେ ରଖି ଡିଜିପି କ୍ୟାମ୍ପ ଅଫିସରେ ବରିଷ୍ଠ ଅଧିକାରୀଙ୍କୁ ନେଇ ହୋଇଥିବା ସମୀକ୍ଷା ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ଲୁ ବୁକ ଗାଇଡଲାଇନ ଅନୁଯାୟୀ ସୁରକ୍ଷା ପ୍ରସ୍ତୁତି କରାଯିବ। ଟ୍ରେନରେ ରାଷ୍ଟ୍ରପତିଙ୍କ ଯାତ୍ରା ନେଇ ହାଇ ଆଲର୍ଟ ରହିବ ଭୁବନେଶ୍ବର ଷ୍ଟେସନ ସହ ବ୍ରହ୍ମପୁର ଷ୍ଟେସନ । ରାଷ୍ଟ୍ରପତିଙ୍କୁ ବ୍ଲୁବୁକ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୋଲିସ ଡିଜି ଯୋଗେଶ ବହାଦୁର ଖୁରାନିଆ।

Also Read: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାର ରେଳ ବିକାଶ ଉପରେ ଆଲୋଚନା

ଶୁକ୍ରବାର ପୋଲିସ ସେବା ଭବନରେ ଅଫିସରେ ପୋଲିସ ଡ଼ିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଆରପି କୋଚେ, ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ, ଏସଏପି ଏଡିଜି ରାଜେଶ କୁମାର ,ଆରପିଏଫ ଆଇଜି ଆଲୋକ ବୋରା, କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ, ଏଡିଜି ସଂଜୀବ ପଣ୍ଡା ସହ ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।