• ନଭି ମୁମ୍ବାଇ ପରେ ଭୁବନେଶ୍ୱରରେ ଆରବିଆଇର ଏହା ଦ୍ୱିତୀୟ ଡାଟା ସେଣ୍ଟର
  • ଏହା ଆରମ୍ଭ ହେବା ସହିତ ଆରବିଆଇର ଡାଟା ସୁରକ୍ଷା ସୁନିଶ୍ଚିତ ହେବା ସହ ବୈଷୟିକ ତ୍ରୁଟି ସ୍ଥିତିରେ ଜରୁରି ସେବା ଜାରି ରଖିବାରେ ଏକ ଅତିରିକ୍ତ କେନ୍ଦ୍ର ହେବ
  • ଏଠାରେ ଏକ ସାଇବର ସୁରକ୍ଷା ପ୍ରଶିକ୍ଷଣ ସଂସ୍ଥା ମଧ୍ୟ ସ୍ଥାପନା କରାଯାଇଛି। ଏହାର ଉଦ୍ଦେଶ୍ୟ ବ୍ୟାଙ୍କିଙ୍ଗ ଓ ବିତ୍ତିୟ କ୍ଷେତ୍ରର କର୍ମଚାରୀଙ୍କୁ ସାଇବର ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା ନିମନ୍ତେ ପ୍ରସ୍ତୁତ କରିବା
  • ଏହି ପ୍ରତିଷ୍ଠାନ ଏଆଇ, କ୍ୱାଣ୍ଟମ କମ୍ପ୍ୟୁଟିଂ ଏବଂ ଏଣ୍ଟରପ୍ରାଇଜ ପ୍ରଯୁକ୍ତି ବିଦ୍ୟାଭଳି କ୍ଷେତ୍ରରେ ତାଲିମ ଓ ଗବେଷଣା ଉପରେ ଧ୍ୟାନ ଦେବ

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ କ୍ଷମତା ଆହୁରି ବଢିଛି। ୨୫ ଅକ୍ଟୋବର ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ରାଜଧାନୀ ଭୁବନେଶ୍ୱରରେ ରିଜର୍ଭ ବ୍ୟାଙ୍କର ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ସଂସ୍ଥାନକୁ ଉଦଘାଟନ କରିଛନ୍ତି। ଏହି ଫ୍ୟାସେଲିଟି (ଡାଟା ସେଣ୍ଟର) ୧୬୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ନଭି ମୁମ୍ବାଇ ପରେ ଭୁବନେଶ୍ୱରରେ ଆରବିଆଇର ଏହା ଦ୍ୱିତୀୟ ଡାଟା ସେଣ୍ଟର। ଏହି ସେଣ୍ଟରର ଉଦ୍ଦେଶ୍ୟ କେବଳ ଆରବିଆଇ ଡାଟା ସୁରକ୍ଷା ନୁହେଁ ବରଂ ଡିଜିଟାଲ ପେମେଣ୍ଟର ବଢୁଥିବା ଉପଯୋଗ ଓ ସାଇବର ଆକ୍ରମଣର ବଢୁଥିବା ବିପଦ ମଧ୍ୟରେ ଏହା ବ୍ୟାଙ୍କିଙ୍ଗ ସିଷ୍ଟମ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

ନଭିମୁମ୍ବାଇ ସେଣ୍ଟରର ବ୍ୟାକଅପ ହେବ ଭୁବନେଶ୍ୱର
ଆରବିଆଇଙ୍କ ଏହି ଫ୍ୟାସେଲିଟି ଭୁବନେଶ୍ୱର ସହର ଉପକଣ୍ଠରେ ୧୮.୫୫ ଏକର ଜମି ଉପରେ ନିର୍ମିତ ହୋଇଛି। ଏଥିଲାଗି ୨୨ ମାର୍ଚ୍ଚ ୨୦୨୩ରେ ଆରବିଆଇର ତତ୍କାଳୀନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶିଳାନ୍ୟାସ କରିଥିଲେ। ଏହା ଆରମ୍ଭ ହେବା ସହିତ ଆରବିଆଇର ଡାଟା ସୁରକ୍ଷା ସୁନିଶ୍ଚିତ ହେବା ସହ ବୈଷୟିକ ତ୍ରୁଟି ସ୍ଥିତିରେ ଜରୁରି ସେବା ଜାରି ରଖିବାରେ ଏକ ଅତିରିକ୍ତ କେନ୍ଦ୍ର ହେବ। ଆଜି ବ୍ୟାଙ୍କିଙ୍ଗ କାମର ଏକ ବଡ଼ ଅଂଶ ଡିଜିଟାଲ ସିଷ୍ଟମ ଉପରେ ନିର୍ଭରଶୀଳ। ଏଣୁ ଡାଟା ସେଣ୍ଟର ଯେ କୌଣସି ପ୍ରକାରର ଟେକ୍ନିକାଲ ତ୍ରୁଟି ଓ ଅନ୍ୟ ସମସ୍ୟାରେ କାମ ଅଟକି ଯାଇ ପାରେ। ଭୁବନେଶ୍ୱରର ଏହି ସେଣ୍ଟର ନଭି ମୁମ୍ବାଇ ସ୍ଥିତ ଆରବିଆଇ ଡାଟା ସେଣ୍ଟରର ବ୍ୟାକଅପ ଭାବେ କାମ କରିବ।

ବଡ଼ ଧରଣର ବିପଦଜନକ ସ୍ଥିତିରେ କାମକୁ ଆସିବ
ଏହା ଦ୍ୱାରା ଡାଟା ସୁରକ୍ଷା ସୁନିଶ୍ଚିତ ହେବା ସହ କୌଣସି ବଡ଼ ଧରଣର ଟେକ୍ନିକାଲ ତ୍ରୁଟି ଅଥବା ବିପଦଜନକ ସ୍ଥିତିରେ ସର୍ଭିସକୁ ପୁଣି ଜାରି ରଖା ଯାଇ ପାରିବ। ୟୁପିଆଇ ଓ ଅନ୍ୟ ଡିଜିଟାଲ ପେମେଣ୍ଟ ଉପାୟ ଆପଣେଇବା ଯୋଗୁ ବ୍ୟାଙ୍କିଙ୍ଗ ପ୍ରଣାଳୀରେ ଟେକ୍ନିକାଲ ନିର୍ଭରତା ବଢିଛି। ଆରବିଆଇଙ୍କ ଗୁରୁତ୍ୱପୂର୍ଣ୍ଣ ପେମେଣ୍ଟ ଓ ସେଟେଲମେଣ୍ଟ ପ୍ରଣାଳୀ ଲାଗି ଏହା ଏକ ମଜଭୁତ ବୈଷୟିକ ଢାଞ୍ଚା ହୋଇଥିବାରୁ ସର୍ଭିସ କାମ ବିନା ବାଧାରେ ଜାରି ରହିବ। ଏହାର ସିଧା ଲାଭ ସେହି ଲୋକ ଓ ବ୍ୟବସାୟୀଙ୍କୁ ମିଳିବ ଯେଉଁମାନେ ଦୈନନ୍ଦିନ ଡିଜିଟାଲ ନେଣଦେଣ କରୁଛନ୍ତି।

ସାଇବର ସୁରକ୍ଷା ପ୍ରଶିକ୍ଷଣ ସଂସ୍ଥା ମଧ୍ୟ ରହିଛି
ବ୍ୟାଙ୍କିଙ୍ଗ ସେକ୍ଟରର ସାଇବର ଆକ୍ରମଣ ଓ ଡାଟା ଚୋରି ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହାକୁ ଧ୍ୟାନରେ ରଖି ଏଠାରେ ଏକ ସାଇବର ସୁରକ୍ଷା ପ୍ରଶିକ୍ଷଣ ସଂସ୍ଥା ମଧ୍ୟ ସ୍ଥାପନା କରାଯାଇଛି। ଏହାର ଉଦ୍ଦେଶ୍ୟ ବ୍ୟାଙ୍କିଙ୍ଗ ଓ ବିତ୍ତିୟ କ୍ଷେତ୍ରର କର୍ମଚାରୀଙ୍କୁ ସାଇବର ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା ନିମନ୍ତେ ପ୍ରସ୍ତୁତ କରିବା। ଉନ୍ନତ ପ୍ରଶିକ୍ଷଣ ସଂସ୍ଥାନ ସମ୍ଭାବିତ ବିପଦର ଚିହ୍ନଟ କରି ଏହାକୁ ପ୍ରଭାବୀ ଢଙ୍ଗରେ ମୁକାବିଲା କରିବା କ୍ଷମତା ବିକଶିତ କରିବାରେ ସହାୟତା କରିବ।

ତାଲିମ ଓ ଗବେଷଣା ଉପରେ ଧ୍ୟାନ ଦେବ
ସେହିପରି ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ଅନ୍ୟାନ୍ୟ ଉଦିୟମାନ ପ୍ରଯୁକ୍ତିର ବ୍ୟବହାର ନିରନ୍ତର ବୃଦ୍ଧି ହେଉଛି। ଏଣୁ ଏହି ପ୍ରୟୁକ୍ତି ବିଦ୍ୟା ସହ ଜଡିତ ବିପଦଗୁଡିକୁ ବୁଝିବା ଅତ୍ୟନ୍ତ ଜରୁରି। ଏହି ପ୍ରତିଷ୍ଠାନ ଏଆଇ, କ୍ୱାଣ୍ଟମ କମ୍ପ୍ୟୁଟିଂ ଏବଂ ଏଣ୍ଟରପ୍ରାଇଜ ପ୍ରଯୁକ୍ତି ବିଦ୍ୟାଭଳି କ୍ଷେତ୍ରରେ ତାଲିମ ଓ ଗବେଷଣା ଉପରେ ଧ୍ୟାନ ଦେବ। ଏହା ଆରବିଆଇକୁ ନୂତନ ପ୍ରଯୁକ୍ତି ବିଦ୍ୟା ସହିତ ଜଡିତ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ହେବାରେ ସହାୟତା କରିବ।

କଠିନ ପରିସ୍ଥିତିରେ ବ୍ୟାଙ୍କିଙ୍ଗ ସର୍ଭିସକୁ ମିଳିବ ସହାୟତା
ଯଦି କୌଣସି କେନ୍ଦ୍ରରେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ହେଉ ଅଥବା ବୈଷୟିକ ତ୍ରୁଟି କିମ୍ବା ସାଇବର ଆକ୍ରମଣ କାରଣରୁ କାମ ବାଧିତ ହୁଏ ତେବେ ଅନ୍ୟ ସ୍ଥାନରେ ଥିବା ଡାଟା ସେଣ୍ଟର ତୁରନ୍ତ କାମରେ ଆସିଥାଏ। ଭୁବନେଶ୍ୱର ଏକ ଅଲଗା କେନ୍ଦ୍ର ହୋଇଥିବାରୁ ଆରବିଆଇଙ୍କ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ସର୍ଭିସ ଜାରି ରଖିବା ପାଇଁ ଏକ ଅତିରିକ୍ତ ଅପସନ ପାଲଟୁଛି। ଏଣୁ ଆର୍ଥିକ ସିଷ୍ଟମ ଅଧିକ ମଜଭୁତ ହେବ।

ଭୁବନେଶ୍ୱରରେ କାହିଁକି ସ୍ଥାପିତ ହେଲା ଡାଟା ସେଣ୍ଟର?
ଆରବିଆଇଙ୍କ ନିମନ୍ତେ ଡାଟା ସେଣ୍ଟରର ସ୍ଥାନ ଅନେକ ଗୁରୁତ୍ୱବହନ କରେ। ଭୁବନେଶ୍ୱରରେ ଡାଟା ସେଣ୍ଟର ସ୍ଥାପନାର ଲାଭ ହେଉଛି ଏହା ନଭି ମୁମ୍ବାଇ ଡାଟା ସେଣ୍ଟର ଠାରୁ ଅନେକ ଦୂରରେ ଅବସ୍ଥିତ। ଏହା କୌଣସି ପ୍ରାକୃତିକ ବିପର୍ଯ୍ୟୟ ଅଥବା ଏକକାଳୀନ ଉଭୟ ସେଣ୍ଟରକୁ ପ୍ରଭାବିତ କରୁଥିବା ବଡ଼ ଯାନ୍ତ୍ରିକ ବିଭ୍ରାଟର ଆଶଙ୍କାକୁ ହ୍ରାସ କରେ। ଏହା ବ୍ୟତୀତ ବ୍ୟାଙ୍କିଙ୍ଗ ସିଷ୍ଟମର ବର୍ଦ୍ଧିତ ଡିଜିଟାଲ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତିରିକ୍ତ ଯାନ୍ତ୍ରିକ କ୍ଷମତା ବିକାଶ କରିବା ଅତ୍ୟନ୍ତ ଜରୁରି। ଏହି ନୂତନ ସେଣ୍ଟର ସେହି ଆବଶ୍ୟକତା ପୂରଣ କରିବା ଦିଗରେ ଏକ ପଦକ୍ଷେପ।

ଏଥିରୁ କିଭଳି ଉପକୃତ ହେବେ ସାଧାରଣ ଜନତା?
ଏହି କେନ୍ଦ୍ରର ଲାଭ କେବଳ ଆରବିଆଇ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ। ସାଧାରଣ ଜନତା ଯେଉଁମାନେ ଡିଜିଟାଲ ପୈଠ ଓ ବ୍ୟାଙ୍କିଙ୍ଗ ସିଷ୍ଟମ ଉପରେ କ୍ରମାଗତ ନିର୍ଭର କରୁଛନ୍ତି ସେମାନଙ୍କ ଲାଗି ମଜଭୁତ ଡାଟା ସୁରକ୍ଷା ବୈଷୟିକ ଫ୍ରେମ ୱାର୍କ ଅତ୍ୟନ୍ତ ଜରୁରି। ଏହା ଦ୍ୱାରା ସେବାରେ ଆସୁଥିବା ବାଧା ମୁକାବିଲା ଲାଗି ପ୍ରସ୍ତୁତିକୁ ଉନ୍ନତ କରେ ଏବଂ ବ୍ୟାଙ୍କ ତଥା ଆର୍ଥିକ ପ୍ରତିଷ୍ଠାନର ସାଇବର ସୁରକ୍ଷା ଚ୍ୟାଲେଞ୍ଜରେ ସ୍ଥିର ରହିବାରେ ସାହଯ୍ୟ କରିବ। ତେବେ ଏହାର ଅର୍ଥ ନୁହେଁ ଯେ ୟୁପିଆଇ ପେମେଣ୍ଟ ହଠାତ ଦ୍ରୁତ ହୋଇଯିବ କିମ୍ବା ସାଇବର ଆକ୍ରମଣ ବିପଦ ସମ୍ପୂର୍ଣ୍ଣ ଭାବେ ଦୂର ହୋଇଯିବ। ତେବେ ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିବା ଓ କୌଣସି ବାଧା ଆସିଲେ ଅତ୍ୟାବଶକୀୟ ସେବାଗୁଡିକୁ ପୁନଃ ସ୍ଥାପିତ କରିବାର କ୍ଷମତା ବୃଦ୍ଧି କରିବ।