ଆଜି ପାଳିଥାନ୍ତେ ୩୧ତମ ଜନ୍ମଦିନ । ଡିସେମ୍ବରରେ ହେବାର ଥିଲା ବାହାଘର । ଏଥିପାଇଁ ପରିବାରର ସମସ୍ତେ ବେଶ୍ ଖୁସି ଥିଲେ । ହଠାତ ସବୁ ସ୍ୱପ୍ନ ଧୂଳିସାତ ହୋଇଗଲା । ଜନ୍ମ ଦିନରେ ଶେଷ ଯାତ୍ରା କଲେ ଯବାନ । ନାଗାଲାଣ୍ଡରେ ଦେଶ ସେବା କରୁକରୁ ସହିଦ ହୋଇଗଲେ ରାୟଗଡାର ବୀର ଯବାନ ଭି.ତେଜା । ତାଙ୍କ ପାର୍ଥିବ ଶରୀର ରାୟଗଡାରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯାଦା ସହିତ ଶେଷକୃତ୍ୟ ସଂପନ୍ନ ହୋଇଛି ।

ଜନ୍ମ ଦିନରେ ଜୁଇରେ ଯବାନ । ପଞ୍ଚଭୂତରେ ଲିନ ହେଲେ ମାଟିର ପୁଅ ଭି.ତେଜା । ସେ ଦେଶ ପାଇଁ ଲହୁ ଦେଇଛନ୍ତି ଆଉ ଲୁହରେ ତାଙ୍କୁ ବିଦାୟ ଦେଇଛି ଏହି ଦେଶ । କାନ୍ଦ ବୋବାଳିରେ ଫାଟିପଡୁଥିଲା ସହର । ସମସ୍ତଙ୍କ ମୁହଁରେ ଭାରତ ମାତା କି ଜୟ ଓ ଜୟ ଯବାନର ସ୍ବର ଗୁଞ୍ଜରଣ ହେଉଥିଲା । ସହିଦ ଯବାନ ଅମର ରହେ ନାରା ଦେଉଥିଲେ । ମାଟିର ପୁଅ ସହିଦ ହୋଇଛି ସମସ୍ତେ ଗୌରବରେ କହୁଥିଲେ ହେଲେ ବାପା-ମା’ଙ୍କୁ କିଏ ସାନ୍ତ୍ୱନା ଦେବ । ଆଖିରେ ଅନେକ ସ୍ବପ୍ନ ଥିଲା । ଆସନ୍ତା ଡିସେମ୍ବର ୧୦ ତାରିଖରେ ହେବାର ଥିଲା ବାହାଘର । ଘରେ ଚାଲିଥିଲା ପ୍ରସ୍ତୁତି । ତେଜାଙ୍କ ୫୦ ଦିନର ଛୁଟି ମଧ୍ୟ ମଞ୍ଜୁର ହୋଇ ସାରିଥିଲା । ଦୀପାବଳିରେ ଘରକୁ ଫେରି ହାତକୁ ଦୁଇ ହାତ ହେବାର ଥିଲା । ହେଲେ ବିଧିର ବିଧାନ ଥିଲା ଅଲଗା ।

ଗତ ୫ ତାରିଖର ଘଟଣା । ନାଗାଲାଣ୍ଡରେ କର୍ତ୍ତବ୍ୟରତ ଅବସ୍ଥାରେ ଗତ ୫ ତାରିଖ ଦିନ ତାଙ୍କୁ ଗୁଳି ବାଜିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିଲେ ତେଜା । ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତକାଲି ମଧ୍ୟରାତ୍ରିରେ ସହିଦ ତେଜାଙ୍କ ପାର୍ଥିବ ଶରୀର ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଗୁୱାହାଟି ଓ ହାଇଦ୍ରାବାଦ ଦେଇ ବିଶାଖାପାଟଣାମରେ ପହଞ୍ଚିଥିଲା । ପରେ ଏକ ଆମ୍ବୁଲାନ୍ସ ଯୋଗେ ରାୟଗଡାର ଓଏମପି ଅଞ୍ଚଳକୁ ଅଣାଯାଇଥିଲା । ମର ଶରୀରକୁ ସହର ପରିକ୍ରମା କରିବା ପରେ ନିଜ ବାସଭବନକୁ ଅଣାଯାଇଥିଲା । ଆଜି ଏହି ବୀର ଯବାନଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର୍ । ଯେଉଁଠି ରାୟଗଡା ଜିଲ୍ଲାପାଳ,ଏସପି,ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସମେତ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ରହିଥିଲେ । ଆଜି ୩୧ ତମ ଜନ୍ମଦିନରେ ବିଦାୟ ନେଇଥିଲେ ଭି ତେଜା।

ଭି.ତେଜା ଗତ ୨୦୨୨ ମସିହାରେ ଆସାମ ରାଇଫଲ୍ସରେ ଯବାନ ଭାବେ ଯୋଗ ଦେଇଥିଲେ । ଦୁଇ ବର୍ଷ ତଳେ ସେ ନିଜ ଅଙ୍ଗଦାନ ପାଇଁ ଘୋଷଣାପତ୍ରରେ ଦସ୍ତଖତ କରିଥିଲେ । ସାନଭାଇଙ୍କ ସୂଚନା ଅନୁଯାୟୀ, ତାଙ୍କର ବିଭିନ୍ନ ଅଙ୍ଗ ଏବେ ସ୍ଥାନୀୟ ଡାକ୍ତରଖାନାରେ ସଂରକ୍ଷିତ କରି ରଖାଯାଇଛି ।