ଭୁବନେଶ୍ଵର: ନିର୍ବାଚନର ୨ବର୍ଷ ପରେ ପୁଣି ଥରେ ରାଜ୍ୟ ରାଜନୀତିକୁ ଫେରିଛି ରତ୍ନ ଭଣ୍ଡାର ତାତି । ୨୪ ନିର୍ବାଚନ ସମୟରେ ରତ୍ନ ଭଣ୍ଡାରରୁ ରତ୍ନ ଅଳଙ୍କାର ଚୋରି ହୋଇଯାଇଥିବା ବିଜେପିର ଶିର୍ଷ ନେତୃତ୍ବ ଅଭିଯୋଗ କରିଥିଲେ । ଆଉ ଗଣତି ସମୟରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସବୁ ସୁରକ୍ଷିତ ଥିବା କଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିବା ପରେ ଏହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ରାଜନୀତି ।

୨୪ର ପ୍ରସଙ୍ଗକୁ ନେଇ ୨୬ରେ ଝଡ଼ । ନିର୍ବାଚନରେ ପ୍ରଚାର ବନାମ ବର୍ତ୍ତମାନର ବାସ୍ତବତାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି ନେତା । ସାଧାରଣ ନିର୍ବାଚନ ପ୍ରଚାରରେ ରତ୍ନଭଣ୍ଡାରକୁ ମୁଖ୍ୟ ପ୍ରସଙ୍ଗ କରିଥିଲା ବିଜେପି । ଏମିତିକି ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଓ ତମାମ କେନ୍ଦ୍ରମନ୍ତ୍ରୀ ରତ୍ନ ଭଣ୍ଡାର ପ୍ରସଙ୍ଗରେ ତତ୍କାଳୀନ ସରକାରଙ୍କୁ ସଣ୍ଢୁଆସି ଆକ୍ରମଣ କରିଥିଲେ । ରତ୍ନ ଭଣ୍ଡାରରୁ ରତ୍ନ ଚୋରି ହୋଇ ବାହାର ରାଜ୍ୟକୁ ଚାଲି ଯାଇଥିବା ନିର୍ବାଚନୀ ସଭାରେ ଅଭିଯୋଗ କରିଥିଲେ ନେତା ।

ହେଲେ ଏହାର ଦୁଇ ବର୍ଷ ପରେ ଯେତେବେଳେ ରତ୍ନ ଭଣ୍ଡାରରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି ମଣତି ଚାଲିଛି ଆଉ ରତ୍ନ ଭଣ୍ଡାରରେ ମହାପ୍ରଭୁଙ୍କ ସମସ୍ତ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ସେତେବେଳେ ଏହାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି । ଯଦି ରତ୍ନ ଭଣ୍ଡାରରେ ମହାପ୍ରଭୁଙ୍କ ସବୁ ଅଳଙ୍କାର ସୁରକ୍ଷିତ ଅଛି ତା’ହେଲେ ମିଛ କଥାକୁ ବିଜେପି କେମିତି ନିର୍ବାଚନରେ ପ୍ରସଙ୍ଗ କଲା ବୋଲି ପ୍ରଶ୍ନ କରୁଛନ୍ତି ବିଜେଡିର ଜଣକ ପରେ ଜଣେ ନେତା । ଏହାରି ଭିତରେ ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ସାମାଜିକ ଗଣମାଧ୍ୟମରେ ବିଜେପିକୁ କଡା ଟାର୍ଗେଟ କରିଛନ୍ତି ।

ପ୍ରଣବ କହିଛନ୍ତି, ନିର୍ବାଚନ ସମୟରେ ବିଜେପି ଯେଉଁ ମିଛ କହୁଥିଲା, ତାର ମୁଖା ଖୋଲି ଯାଇଛି। ନିର୍ବାଚନ ବୈତରଣୀ ପାର ପାଇଁ ବିନା ତଥ୍ୟ ପ୍ରମାଣରେ ରତ୍ନ ଭଣ୍ଡାର ଚୋରି ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ବିଜେପି କେମିତି ବ୍ୟବହାର କରିପାରେ ବୋଲି କହିଛନ୍ତି ପ୍ରଣବ । ସେପଟେ ପ୍ରଣବଙ୍କୁ ଆଇନା ଦେଖାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆଇନ ମନ୍ତ୍ରୀ କହିଛନ୍ତି, ରତ୍ନ ଭଣ୍ଡାରକୁ ନେଇ ଅନେକ ଅସମାହିତ ପ୍ରଶ୍ନ ଅଛି। ଯଦି ସବୁ ପ୍ରଶ୍ନ ପଚାରିବୁ ତାହେଲେ ବିଜୁ ଜନତା ଦଳକୁ ପାରାଲିସିସ ହୋଇଯିବ । ଏହାକୁ ରାଜନୀତିକରଣ କରିବା ବିଜେପିର ଉଦେଶ୍ୟ ନୁହେଁ ।

ଆଇନମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟାର କଡ଼ା କାଉଣ୍ଟର କରିଛି ବିଜେଡି । ବିଧାୟକ ଧୃବ ସାହୁ କହିଛନ୍ତି, ଚକା ଆଖି ସବୁ ଦେଖୁଚି । ଗୃହ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ମିଛ ଓଡ଼ିଶାବାସୀ ଦେଖିଲେ । ଏବେ ନିଜେ ସରକାର ସ୍ବୀକାର କଲେ ସବୁ ଅଳଙ୍କାର ସୁରକ୍ଷିତ ଅଛି । ଯାହାକୁ ନେଇ ଏବେ ଓଡ଼ିଶାବାସୀ ପ୍ରଶ୍ନ ପଚାରିବା ଆରମ୍ଭ କଲେଣି । ନିର୍ବାଚନର ୨ବର୍ଷ ପରେ ରତ୍ନ କଣ୍ଡାରକୁ ନେଇ ପୁଣି ବିଜେଡି ଓ ବିଜେପି ଭିତରେ ଆରମ୍ଭ ହୋଇଯାଇଛି କାଦୁଅ ଫିଙ୍ଗା ରାଜନୀତି ।