ନୂଆଦିଲ୍ଲୀ: ବଦଳିଲା ନେପାଳ ରାଜନୈତିକ ସମୀକରଣ। ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ପରାସ୍ତ ଏକ ବଡ଼ ବିଜୟ ହାସଲ କରିଛନ୍ତି କରି ରାପର ରାଜନେତା ହୋଇଥିବା ବାଲେନ୍ଦ୍ର ଶାହ (ବାଲେନ) । ବାଲେନ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି (ଆରଏସପି)ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ। ସେ ପୂର୍ବ ନେପାଳର କୋଶି ପ୍ରଦେଶର ଝାପା-୫ ନିର୍ବାଚନମଣ୍ଡଳୀରୁ ପ୍ରାୟ ୫୦,୦୦୦ ଭୋଟ୍ର ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

୩୫ ବର୍ଷୀୟ ବାଲେନ ୬୮,୩୪୮ ଭୋଟ ପାଇଥିବା ବେଳେ ୭୪ ବର୍ଷୀୟ ଓଲି ୧୮,୭୩୪ ଭୋଟ ପାଇଛନ୍ତି। ଏହି ବିଜୟ ନେପାଳରେ ପରବର୍ତ୍ତୀ ସରକାର ଗଠନ କରିବାର RSPର ସମ୍ଭାବନା ବଢ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସଫଳ ନିର୍ବାଚନ ଏବଂ ଶାନ୍ତିପୂର୍ଣ୍ଣ ପରିଚାଳନା ପାଇଁ ନେପାଳର ଜନତା ଏବଂ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

୧୬୫ ଆସନ ପାଇଁ ଲଢ଼େଇ ହେଉଥିବାବେଳେ ଏପର୍ଯ୍ୟନ୍ତ ଘୋଷଣା ହୋଇଥିବା ୭୮ ଆସନରୁ ୬୨ଟିରେ ଆରଏସପି ବିଜୟୀ ହୋଇଛି। ସେହିଭଳି ଏବେବି ୬୦ଟିରେ ଆଗୁଆ ଅଛି ଦଳ। ବାଲେନ୍ ଶାହ ପୂର୍ବରୁ ୨୦୨୨ରେ କାଠମାଣ୍ଡୁର ସ୍ୱାଧୀନ ମେୟର ଭାବରେ ନିର୍ବାଚିତ ହୋଇଥିଲେ। ସେ ଯୁବପିଢ଼ିଙ୍କ ମଧ୍ୟରେ ଯଥେଷ୍ଟ ଲୋକପ୍ରିୟ ପାରମ୍ପରିକ ରାଜନୈତିକ ଦଳଗୁଡ଼ିକ ଅପେକ୍ଷା ରାଜନୀତିର ନୂଆ ମୁହଁ ଭାବରେ ପରିଚିତ।

ସୂଚନାଥାଉକି, ଗତ ବର୍ଷ ସେପ୍ଟେମ୍ବରରେ ଦୁର୍ନୀତି ଏବଂ ସୋସିଆଲ ମିଡିଆ ପ୍ରତିବନ୍ଧକ ବିରୁଦ୍ଧରେ ନେପାଳରେ ଦୁଇ ଦିନିଆ ହିଂସା ଓ ପ୍ରତିବାଦ ଦେଖାଦେଇଥିଲା। ଏହି ପ୍ରତିବାଦରେ ଜେନ ଜି ବିକ୍ଷୋଭକାରୀ ଓଲିଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରକୁ ଭାଙ୍ଗି ଦେଇଥିଲେ। ସେତେବେଳେ ବାଲେନ୍ ଶାହଙ୍କୁ ଏକ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପଦ ପ୍ରଦାନ କରାଯାଇଥିଲା। କିନ୍ତୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ବାଲେ କହିଥିଲେ ଯେ, ସେ ନିର୍ବାଚନ ଜିତିବା ପରେ ସରକାର ଚଳାଇବାକୁ ଚାହାଁନ୍ତି।

ଏହା ପରେ ୨୦୨୬ ଜାନୁଆରୀରେ, ବାଲେନ୍ ଶାହ ରବି ଲାମିଛାନେଙ୍କ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି (RSP)ରେ ଯୋଗ ଦେଇଥିଲେ। ଏହାର କିଛି ସମୟ ପରେ ଦଳ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା। କାଠମାଣ୍ଡୁର ମେୟର ଭାବରେ, ବାଲେନ୍ ଶାହ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ସହର ସଫାସୁତୁରା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସହର ବିକାଶ ଉପରେ ତାଙ୍କ କାର୍ଯ୍ୟ ପାଇଁ ବ୍ୟାପକ ପ୍ରଶଂସା ପାଇଥିଲେ।

ବାଲେନ ଶାହ କିଏ ?

ବାଲେନଙ୍କ ଜନ୍ମ କାଠମାଣ୍ଡୁରେ ହୋଇଥିଲା। ତାଙ୍କ ପରିବାର ମୂଳତଃ ମାଧେଶ ପ୍ରଦେଶର। ତାଙ୍କ ବାପା ରାମ ନାରାୟଣ ଶାହ ଜଣେ ଆୟୁର୍ବେଦିକ ଡାକ୍ତର ଏବଂ ତାଙ୍କ ମାଆ ଧ୍ରୁବଦେବୀ ଶାହ ଜଣେ ଗୃହିଣୀ। ବାଲେନ ପିଲାଦିନରୁ ସଙ୍ଗୀତ ଏବଂ କବିତାରେ ଆଗ୍ରହୀ ଥିଲେ। ସେ ତାଙ୍କ ପାଠପଢ଼ା ସମୟରେ ରାପ୍ କରିବା ଆରମ୍ଭ କରିଥିଲେ। କାଠମାଣ୍ଡୁରେ ସିଭିଲ୍ ଇଞ୍ଜିନିୟରିଂ ପଢ଼ିଥିଲେ ଏବଂ ପରେ କର୍ଣ୍ଣାଟକର ବିଶ୍ୱେଶ୍ୱରାୟ ଟେକ୍ନୋଲୋଜିକାଲ ୟୁନିଭରସିଟି (VTU)ରୁ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ୨୦୧୮ରେ ସେ ସାବିନା କାଫଲେଙ୍କୁ ବିବାହ କରିଥିଲେ। ୨୦୨୩ରେ ଉଭୟଙ୍କ ଏକ କନ୍ୟା ସନ୍ତାନ ପ୍ରାପ୍ତ ହୋଇଥିଲା।

YouTubeରେ ୧ ନିୟୁତ ସବସ୍କ୍ରାଇବର୍

ବାଲେନ୍ ସଙ୍ଗୀତ ଜଗତରେ ମଧ୍ୟ ବହୁତ ଲୋକପ୍ରିୟ। ତାଙ୍କର YouTube ଚ୍ୟାନେଲରେ ପ୍ରାୟ ୧ ନିୟୁତ ସବସ୍କ୍ରାଇବର୍ ଅଛନ୍ତି। ସେ ୨୦୧୨ରେ ତାଙ୍କର ପ୍ରଥମ ଗୀତ "Sadak Balak" ମୁକ୍ତିଲାଭ କରିଥିଲେ। ପରବର୍ତ୍ତୀ ବର୍ଷ, ସେ ଏକ YouTube ଯୁଦ୍ଧ ରାପ୍ ସିରିଜରେ ଅଂଶଗ୍ରହଣ କରିଥିଲେ ଏବଂ ନେପାଳରେ ଯଥେଷ୍ଟ ପରିଚିତି ହାସଲ କରିଥିଲେ। ତାଙ୍କର ଗୀତଗୁଡ଼ିକ ସାଧାରଣ ଲୋକଙ୍କ ସମସ୍ୟା, ଦୁର୍ନୀତି ଏବଂ ଅସମାନତା ଭଳି ସମସ୍ୟାଗୁଡ଼ିକୁ ସମ୍ବୋଧିତ କରିଥାଏ। ୨୦୨୩ରେ, ଟାଇମ୍ ପତ୍ରିକା ତାଙ୍କୁ ଶ୍ରେଷ୍ଠ ୧୦୦ ଉଦୀୟମାନ ନେତାଙ୍କ ତାଲିକାରେ ସାମିଲ କରିଥିଲା।

ବିରୋଧୀଙ୍କୁ ଚେତାବନୀ ଦେବା ପାଇଁ ସେ ରାଜନୈତିକ ରାଲିରେ ତାଙ୍କ ଦଳର ନିର୍ବାଚନ ଚିହ୍ନ, ଘଣ୍ଟି ବଜାଇବା ପାଇଁ ମଧ୍ୟ ଜଣାଶୁଣା। RSPର ୧୦୦-ସୂତ୍ରୀ ଘୋଷଣାପତ୍ରରେ ଜନସାଧାରଣଙ୍କୁ ଅନଲାଇନ୍ ସରକାରୀ ସେବା ଯୋଗାଇବା ଏବଂ ପ୍ରଶାସନକୁ ରାଜନୀତିରୁ ପୃଥକ କରି ଏକ ନିରପେକ୍ଷ ଏବଂ ଉତ୍ତରଦାୟୀ ବ୍ୟବସ୍ଥା ସୃଷ୍ଟି କରିବାର ପ୍ରତିଶ୍ରୁତି ଦିଆଯାଇଛି।