ମୁମ୍ବାଇ : ବଲିଉଡ ଅଭିନେତା ରଣବୀର କପୁର ଏବେ ନିଜ ଫିଲ୍ମ 'ରାମାୟଣ'କୁ ନେଇ ଚର୍ଚ୍ଚାରେ ରହିଥିଵାବେଳେ ପୁଣି ଥରେ ଟ୍ରୋଲର ଶିକାର ହୋଇଛନ୍ତି । ଏକ କାର୍ଯ୍ୟକ୍ରମରେ ପୁଷ୍ପକ ବିମାନକୁ ନେଇ ତାଙ୍କର ଏକ ମନ୍ତବ୍ୟ ତାଙ୍କୁ ବିବାଦ ଘେରକୁ ଟାଣିଛି । ଟ୍ରୋଲର୍ ଏହି ବୟାନକୁ ନେଇ ଅଭିନେତାଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଭାରତର ପ୍ରାଚୀନ ପୌରାଣିକ ଇତିହାସ ଓ ଆଧୁନିକ ବିଜ୍ଞାନକୁ ତୁଳନା କରିବାକୁ ଯାଇ ସେ ଏଭଳି ମନ୍ତବ୍ୟ ଦେଇଥିବା ନେଇ ଟିମ ପକ୍ଷରୁ କୁହାଯାଇଛି।

ସୂଚନା ଥାଉ କି , ଚଳିତ ବର୍ଷ ଦୀପାବଳି ଅବସରରେ ନଭେମ୍ବର ୫ ତାରିଖରେ ରଣବୀର କପୁର ଓ ସାଇ ପଲ୍ଲବୀଙ୍କ ଅଭିନୀତ ପୌରାଣିକ ଫିଲ୍ମ 'ରାମାୟଣ ପାର୍ଟ-୧' ରିଲିଜ ହେବାକୁ ଯାଉଛି | ଏହାକୁ ନେଇ ଏବେ ମେକର୍ସ ଟିମଙ୍କ ସହ ଏକ ପ୍ରମୋସନ ଇଭେଣ୍ଟରେ ସେ ଯୋଗଦେଇଥିଲେ । ସେଠାରେ ରଣବୀର ରାମାୟଣର ପୁଷ୍ପକ ବିମାନର ଉଦାହରଣ ଦେଇ କହିଥିଲେ ଯେ, ଭାରତ ପାଖରେ ପ୍ରାୟ ୫୦୦୦ ବର୍ଷ ପୂର୍ବରୁ ହିଁ ଉଡ଼ନ୍ତା ଯାନର ଧାରଣା ଥିଲା। ଏହି ପ୍ରସଙ୍ଗରେ ସେ ନିକଟରେ ଲଞ୍ଚ ହୋଇଥିବା ଏଲନ୍ ମସ୍କଙ୍କ 'ଫ୍ଲାଇଂ କାର୍' ସହ ରାବଣର ପୁଷ୍ପକ ବିମାନକୁ ତୁଳନା କରିଥିଲେ। ଯାହା ୟୁଜର୍ସଙ୍କୁ ପସନ୍ଦ ଆସିନଥିଲା । ଆଉ ତାଙ୍କର ଏହି ମନ୍ତବ୍ୟକୁ ନେଇ ଟ୍ରୋଲ କରିବା ଆରମ୍ଭ କରିଥିଲେ ଲୋକେ । ଏହାକୁ ନେଇ ଇଣ୍ଟରନେଟ୍ରେ ଆରମ୍ଭ ହୋଇଛି ଚର୍ଚ୍ଚା ଓ ସମାଲୋଚନା । ଅନେକ ସୋସିଆଲ ମିଡିଆ ୟୁଜର୍ସ ତାଙ୍କ କଥାକୁ ନେଇ ମଜାଳିଆ ମିମ୍ସ ଏବଂ କମେଣ୍ଟ କରିଛନ୍ତି । କିଛି ୟୁଜର୍ସ ପ୍ରାଚୀନ ପୌରାଣିକ କାହାଣୀକୁ ଆଧୁନିକ ବିଜ୍ଞାନ ସହ ତୁଳନା କରିବା ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।

ଅନ୍ୟପଟେ, ଭାରତୀୟ ପୁରାଣ ଓ ସଂସ୍କୃତିରେ ବର୍ଣ୍ଣିତ ପୁଷ୍ପକ ବିମାନକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଆଲୋଚନା ଜୋର୍ ଧରିଛି। ରଣବୀରଙ୍କ ଏହି ମନ୍ତବ୍ୟ ଯୋଗୁଁ ତାଙ୍କୁ ଟ୍ରୋଲ୍ କରାଯାଉଥିବା ବେଳେ ପୁଷ୍ପକ ବିମାନ ଓ ଆଧୁନିକ ବିଜ୍ଞାନକୁ ନେଇ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ନୂଆ ବିତର୍କ । ତେବେ ଆଗକୁ ଦେଖିବା ବାକି ରହିଲା ରଣବୀରଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା କେଉଁ ମୋଡ଼ ନେଉଛି ।