ଛତ୍ରପୁର ୬।୯: ଦେଶର ୧ ନମ୍ବର ଥାନା ହେବା ପାଇଁ ଦୌଡ଼ରେ ରହିଛି ଗଞ୍ଜାମ ପୋଲିସ ଜିଲ୍ଲାର ରମ୍ଭା ଥାନା । ଗତ କିଛି ଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ରିସର୍ଚ୍ଚ ଟିମ୍ ରମ୍ଭା ଥାନା ପରିଦର୍ଶନ କରି ଖୁସି ବ୍ୟକ୍ତ କରିବା ସହିତ ମୂଲ୍ୟାୟନ କରିଥିଲେ । ଥାନାର ସାମଗ୍ରିକ ବିକାଶ ଓ ପୋଲିସର କାର୍ଯ୍ୟ ଦକ୍ଷତା ଦେଖି ଟିମ୍ ମୁଗ୍ଧ ହୋଇଥିଲେ ।

ପ୍ରତିବର୍ଷ କେନ୍ଦ୍ର ସରକାର ଦେଶର ସମସ୍ତ ଥାନା ମଧ୍ୟରୁ ଶ୍ରେଷ୍ଠ ଥାନା ଭାବେ ୧୦ଟି ଥାନାକୁ ଚୟନ କରି ପୁରସ୍କାର କରିଥାନ୍ତି । ଚଳିତ ବର୍ଷ ୧୦ଟି ଥାନା ମଧ୍ୟରୁ ଗଞ୍ଜାମ ପୋଲିସ ଜିଲ୍ଲାର ପୋଲସରା ଓ ରମ୍ଭା ଥାନା ଏହି ଦୌଡରେ ସାମିଲ ହୋଇଛନ୍ତି । ଏଥିରେ ସ୍ୱଚ୍ଛତା, ସିସିଟିଏନଏସରେ ମାମଲା ପଞ୍ଜୀକରଣ, ଅପରାଧ ନିୟନ୍ତ୍ରଣ ସହ ଚୋରି, ଡକାୟତି ରୋକିବା, ଜନସାଧାରଣଙ୍କ ମତାମତ ଓ ବହୁ ମାନଦଣ୍ଡକୁ ନେଇ ଏହି ସର୍ଭେ ହୋଇଥାଏ ବୋଲି ଛତ୍ରପୁର ଏସଡିପିଓ ଚନ୍ଦନ କୁମାର ଘଡେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଦିଲ୍ଲୀ ରିସର୍ଚ୍ଚ ଟିମ୍ ରମ୍ଭା ଥାନାରେ କେସ୍ ଡାଏରୀ, ଏଫଆଇଆର ରେଜିଷ୍ଟର, ଚାର୍ଜସିଟ ଫାଇଲ ଓ ତଦନ୍ତ ପ୍ରକ୍ରିୟାକୁ ଯାଞ୍ଚ କରିଥିଲେ ।

ରମ୍ଭା ଥାନା ପକ୍ଷରୁ ଲୋକଙ୍କୁ ଦିଆଯାଉଥିବା ସୁବିଧା, ଅଭିଯୋଗକାରୀଙ୍କ ପ୍ରତି ପୋଲିସର ବ୍ୟବହାର, ମହିଳା, ବୟସ୍କ ନାଗରିକ ଓ ଶିଶୁ ମାନଙ୍କୁ ଦିଆଯାଉଥିବା ସମ୍ମାନ ଆଦିର ଯାଞ୍ଚ କରିଥିଲେ । ଏପରିକି, ଥାନା ପରିସରର ସୌନ୍ଦର୍ଯ୍ୟକରଣ ଦେଖି ଖୁସି ପ୍ରକଟ କରିଥିଲେ । ରମ୍ଭା ଥାନା ପରିସରକୁ ଏକ ପାର୍କ ପରି ସଜ୍ଜା ଯାଇଥିବା ବେଳେ ଥାନା ପରିସରରେ ସୁନ୍ଦର ଫୁଲ ବଗିଚା, ରଙ୍ଗ ବେରଙ୍ଗର ଆଲୋକସଜ୍ଜା, ପାଠାଗାର, ପିଲାଙ୍କ ମନୋରଞ୍ଜନ ପାଇଁ ଚିଲଡ୍ରେନ ପାର୍କ, ଯୁବକଙ୍କ ପାଇଁ ଖେଳ ପଡିଆ, କର୍ମଚାରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଓପେନ ଜିମ୍, ଥାନା ପରିସରରେ ସୁନ୍ଦର ମନ୍ଦିର, ଗାଡି ପାର୍କିଂ ସ୍ଥଳ ଓ ପରିଷ୍କାର ପରିଚ୍ଛନ୍ନତା ଦେଖି ଟିମ୍ ଖୁସି ପ୍ରକଟ କରିବା ସହିତ ମୂଲ୍ୟାୟନ କରିଥିଲେ ।

Also Read:- ସାଙ୍ଗଙ୍କ ସହ ବସି ମଦ ପିଇଲେ, ଛାତିରେ ଗୋଇଠା ମାଡ଼ରେ ୱାର୍ଡମେମ୍ବରଙ୍କ ମୃତ୍ୟୁ ଅଭିଯୋଗ

ରମ୍ଭା ଥାନାଧିକାରୀ କୁମାର ମୁଦୁଲିଙ୍କ ଚେଷ୍ଟାରେ ଥାନା ପକ୍ଷରୁ ନିୟମିତ ପାଟ୍ରୋଲିଂ, ବେଆଇନ ମଦ କାରାବାର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ନିଶା କାରାବାର ରୋକାଯାଇପାରଥିବା ମଧ୍ୟ ଏସଡିପିଓ ଚନ୍ଦନ କୁମାର ଘଡେଇ କହିଛନ୍ତି । ଦିଲ୍ଲୀ ରିସର୍ଚ୍ଚ ଟିମ୍ର ପରିଦର୍ଶନ ରିପୋର୍ଟ ଗୃହ ମନ୍ତ୍ରଣାଳୟକୁ ଯିବା ପରେ ରମ୍ଭା ଥାନା ଦେଶର ୧ ନମ୍ବର ଥାନା ହୋଇପାରିବ ବୋଲି ସମସ୍ତେ ଆଶା ରଖିଛନ୍ତି ।

Watch Video: