ମୁମ୍ବାଇ : ଗୁରୁବାର ବହୁ ପ୍ରତୀକ୍ଷିତ ବଲିଉଡ୍ ଫିଲ୍ମ 'ରାମାୟଣ'ର ଦମଦାର ଝଲକ ସାମ୍ନାକୁ ଆସିଛି । ନିର୍ମାତାଙ୍କ ପକ୍ଷରୁ ରିଲିଜ ହୋଇଛି 'ରାମାୟଣ'ର ପ୍ରଥମ ଟ୍ରେଲର୍ । ଫିଲ୍ମର ଜବରଦସ୍ତ ଟ୍ରେଲର୍ ପ୍ରତ୍ୟେକ ଦର୍ଶକଙ୍କ ମନରେ ଗଭୀର ପ୍ରଭାବ ପକାଇଛି ।  ଏହାକୁ ଦେଖିବା ପରେ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି ।

ଏଥିରେ ଦେଖାଯାଇଥିବା ଝଲକ, ଉଚ୍ଚମାନର VFX ଓ ଆକର୍ଷଣୀୟ ସଙ୍ଗୀତ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଛି। ସେହିପରି ରଣବୀର କପୁର, ସାଇ ପଲ୍ଲବୀ ଓ ୟଶଙ୍କ ଚରିତ୍ର ଏବଂ ଲୁକ ମଧ୍ୟ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ 'ରାମାୟଣ'କୁ ନେଇ ଅନେକ ଦିନରୁ ଚର୍ଚ୍ଚା ହୋଇଆସୁଥିଲା । ଏହା ଏକ ବଡ଼ ବଜେଟର ଫିଲ୍ମ ଯାହା ୪୦୦୦ କୋଟି ଟଙ୍କାରେ ନିର୍ମିତ ହୋଇଛି । ଟ୍ରେଲରରେ ପୌରାଣିକ କାହାଣୀକୁ VFX ଭିଜୁଆଲ୍ ସହ ଉପସ୍ଥାପନ କରାଯାଇଛି । ଯାହା ବେଶ ଆକର୍ଷଣୀୟ ଲାଗୁଛି ।

ହିନ୍ଦୁ ମହାକାବ୍ୟ ରାମାୟଣ ଉପରେ ଆଧାରିତ ଏହି ଫିଲ୍ମରେ ପ୍ରତ୍ୟେକ ଦୃଶ୍ୟକୁ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଭାବରେ ଉପସ୍ଥାପନ କରାଯାଇଛି। ଟ୍ରେଲରରେ ଫିଲ୍ମର ଅନେକ ପ୍ରମୁଖ ଚରିତ୍ରର ଝଲକ ଦେଖିବାକୁ ମିଳିଛି, ଯାହା ଦର୍ଶକଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି । ପ୍ରତ୍ୟେକ ଅଭିନେତା ନିଜ ନିଜ ଚରିତ୍ରକୁ ଦକ୍ଷତାର ସହିତ ଜୀବନ୍ତ କରିଛନ୍ତି ଏବଂ ଟ୍ରେଲରରେ ସେମାନଙ୍କର ଅଭିନୟ ଦର୍ଶକଙ୍କୁ ବେଶ ପ୍ରଭାବଶାଳୀ ଲାଗିଛି।

ଯଦି ଫିଲ୍ମରେ ଥିବା ଚରିତ୍ର କଥା କହିବା ତେବେ ରଣବୀର କପୁର ଏଥିରେ ଭଗବାନ ରାମଙ୍କ ଭୂମିକାରେ ନଜର ଆସିଛନ୍ତି। ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀ ମା' ସୀତାଙ୍କ ଚରିତ୍ରରେ ଥିବାବେଳେ , ୟଶ 'ରାବଣ' ଭୂମିକାରେ ଅଭିନୟ କରୁଛନ୍ତି। ତିନିଜଣ ଷ୍ଟାରଙ୍କ ଝଲକ ଦର୍ଶକଙ୍କୁ ମତୁଆଲା କରିଛି । ଅନ୍ୟାନ୍ୟ ଅଭିନେତାମାନଙ୍କ ମଧ୍ୟରେ, ରବି ଦୁବେ ଲକ୍ଷ୍ମଣ ଭୂମିକାରେ ଏବଂ ଲାରା ଦତ୍ତ କୈକେୟୀ ଭୂମିକାରେ ଅଭିନୟ କରିଛନ୍ତି । ଟ୍ରେଲରରେ ବ୍ୟବହୃତ VFXକୁ ସୋସିଆଲ୍ ମିଡିଆରେ ପଜିଟିଭ୍ ରେସପନ୍ସ ମିଳୁଛି ।

Also Read :- ବନ୍ୟା ସ୍ଥିତିକୁ ଦେଖି ସବୁ ଅଧିକାରୀଙ୍କ ଛୁଟି ବାତିଲ, ୨୪ ଘଣ୍ଟିଆ ସତର୍କ ରହିବାକୁ ନିର୍ଦ୍ଦେଶ

ସେହିପରି ଟ୍ରେଲର ଦେଖିଲା ପରେ ସୋସିଆଲ ମିଡିଆରେ ଅନେକ ଦର୍ଶକ ଏହାକୁ ଭାରତୀୟ ସିନେମାର ସବୁଠାରୁ ଦମଦାର୍ ପୌରାଣିକ ଫିଲ୍ମମାନଙ୍କ ମଧ୍ୟରୁ ଗୋଟିଏ ବୋଲି କହୁଛନ୍ତି । ଏହି ଫିଲ୍ମ ଦ୍ୱାରା ନିର୍ମାତା ଭାରତୀୟଙ୍କୁ ସେମାନଙ୍କ ସଂସ୍କୃତି ସହିତ ଯୋଡ଼ିବା ଏବଂ ଏକ ଉଦାହରଣ ସୃଷ୍ଟି କରିବା ଦିଗରେ କାମ କରିଛନ୍ତି । ଟ୍ରେଲର ରିଲିଜ୍ ପରେ ଫିଲ୍ମର ରିଲିଜ୍ ତାରିଖକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ଦେଖିବାକୁ ମିଳିଛି । ଫିଲ୍ମଟି ଚଳିତବର୍ଷ ଦୀପାବଳିରେ ସମସ୍ତ ସିନେମା ହଲରେ ରିଲିଜ୍ ହୋଇପାରେ। ଫିଲ୍ମ ଡିରେକ୍ଟର ଏବଂ ପ୍ରଡ୍ୟୁସର ଏହାକୁ ବଡ଼ ବଜେଟରେ ପ୍ରସ୍ତୁତ କରୁଥିବାରୁ ବକ୍ସ ଅଫିସରେ ଫିଲ୍ମଟି ନୂଆ ରେକର୍ଡ ସୃଷ୍ଟି କରିପାରେ ବୋଲି ଆଶା କରାଯାଉଛି।