ନୂଆଦିଲ୍ଲୀ ୧୦।୦୭; ସାଉଥର ସୁନ୍ଦରୀ ସାଇ ପଲ୍ଲବୀ । ସୁନ୍ଦରତା ଓ ଅଭିନୟରେ ଖୁବ୍ ଆଗରେ ଅଭିନେତ୍ରୀ । ହେଲେ ଅଭିନୟ ଜଗତରେ ସଫଳତା ପାଇବା ପାଇଁ ଅନେକ କଳାକାର ସମୟ ସହିତ ନିଜର ନିୟମ ବଦଳାଇ ଦିଅନ୍ତି । କିନ୍ତୁ ସାଇ ପଲ୍ଲବୀ ଏଥିରେ ସମ୍ପୂର୍ଣ୍ଣ ଭିନ୍ନ । କ୍ୟାରିୟରର ଆରମ୍ଭରୁ ସେ ଏକ ସର୍ତ୍ତ ନିୟମ ରଖିଛନ୍ତି। ପରଦାରେ ସେ କୌଣସି କିସିଂ ସିନ୍ କିମ୍ବା ଇଣ୍ଟିମେଣ୍ଟ ସିନ୍‌ରେ ସେ ଅଭିନୟ କରିବେ ନାହିଁ । ତାଙ୍କ ପାଇଁ ଚରିତ୍ରର ଗଭୀରତା ଓ କାହାଣୀର ଶକ୍ତି ହିଁ ସବୁଠାରୁ ବଡ଼ କଥା ।

ସାଇ ପଲ୍ଲବୀଙ୍କ କହିବା ଅନୁସାରେ, ଭଲ କାହାଣୀ ଓ ଦୃଢ଼ ଚରିତ୍ର ଥିଲେ ଦର୍ଶକଙ୍କ ହୃଦୟ ଜିତିବା ପାଇଁ କିସିଂ ସିନ୍ କିମ୍ବା ଅନ୍ତରଙ୍ଗ ଦୃଶ୍ୟର ଆବଶ୍ୟକତା ନାହିଁ । ସେ ନିଜ ବ୍ୟକ୍ତିଗତ ନୀତି ଓ ମୂଲ୍ୟବୋଧ ସହ କୌଣସି ପ୍ରକାର ସାଲିସ କରିବାକୁ ପ୍ରସ୍ତୁତ ନୁହନ୍ତି । ଏପରିକି ଯଦି କୌଣସି ଫିଲ୍ମରେ ଏଭଳି ଦୃଶ୍ୟ ଅନିବାର୍ଯ୍ୟ ହୁଏ, ତେବେ ସେ ସେହି ଫିଲ୍ମ ଛାଡ଼ିଦେବାକୁ ମଧ୍ୟ ପ୍ରସ୍ତୁତ ବୋଲି ସେ ପୂର୍ବରୁ କହିଛନ୍ତି । ଏହି ନୀତିକୁ ସେ ତାଙ୍କ କ୍ୟାରିୟରର ପ୍ରତ୍ୟେକ ପର୍ଯ୍ୟାୟରେ ପାଳନ କରିଆସୁଛନ୍ତି । ୨୦୨୧ ମସିହାର ଲୋକପ୍ରିୟ ଫିଲ୍ମ 'ଲଭ୍ ଷ୍ଟୋରି'ରେ ନାଗା ଚୈତନ୍ୟଙ୍କ ସହ ତାଙ୍କର ରୋମାଣ୍ଟିକ୍ କେମିଷ୍ଟ୍ରିକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଫିଲ୍ମର କିଛି ଦୃଶ୍ୟ ଦେଖି ଅନେକଙ୍କୁ ଲାଗିଥିଲା ଯେ ସାଇ ପଲ୍ଲବୀ ତାଙ୍କ ନିୟମ ଭାଙ୍ଗିଛନ୍ତି । କିନ୍ତୁ ପରେ ସେ ସ୍ପଷ୍ଟ କରିଥିଲେ ଯେ ବାସ୍ତବରେ କୌଣସି କିସିଂ ସିନ୍ ହୋଇନଥିଲା । କ୍ୟାମେରାର ଆଙ୍ଗଲ୍ ଓ ସିନେମାଟୋଗ୍ରାଫି ଯୋଗୁଁ ସେପରି ଲାଗିଥିଲା ।

ସାଇ ପଲ୍ଲବୀ କହିଛନ୍ତି, ନିର୍ଦ୍ଦେଶକମାନଙ୍କୁ ସେ ଆଗରୁ ହିଁ ନିଜର ଏହି ସର୍ତ୍ତ ବିଷୟରେ ଜଣାଇ ଦିଅନ୍ତି । ଯେଉଁ ନିର୍ଦ୍ଦେଶକ ତାଙ୍କ ସହ କାମ କରନ୍ତି, ସେମାନେ ମଧ୍ୟ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତି । ତାଙ୍କ ମତରେ, ଜଣେ ଅଭିନେତାଙ୍କ ପ୍ରକୃତ କ୍ଷମତା ତାଙ୍କ ଅଭିନୟରେ ଥାଏ, ଅନ୍ତରଙ୍ଗ ଦୃଶ୍ୟରେ ନୁହେଁ । ଏହି ଆଭିମୁଖ୍ୟ ହିଁ ସାଇ ପଲ୍ଲବୀଙ୍କୁ ଅନ୍ୟ ଅଭିନେତ୍ରୀଙ୍କଠାରୁ ଅଲଗା ପରିଚୟ ଦେଇଛି । ସରଳ ଜୀବନଶୈଳୀ, ମେକଅପ୍ ବିନା ସ୍ୱାଭାବିକ ଲୁକ୍, ଚୟନକୃତ ଚରିତ୍ର ଓ ଅଭିନୟ ପ୍ରତି ସମର୍ପଣ ପାଇଁ ସେ ଦେଶବ୍ୟାପୀ ଦର୍ଶକଙ୍କ ଭଲପାଇବା ହାସଲ କରିଛନ୍ତି । ବର୍ତ୍ତମାନ ସାଇ ପଲ୍ଲବୀ ତାଙ୍କ ଆଗାମୀ ବଡ଼ ପ୍ରକଳ୍ପଗୁଡ଼ିକୁ ନେଇ ଚର୍ଚ୍ଚାରେ ଅଛନ୍ତି କିନ୍ତୁ ସଫଳତାର ଶୀର୍ଷରେ ଥାଇ ମଧ୍ୟ ନିଜ ନୀତିରୁ ଗୋଟିଏ ପାଦ ମଧ୍ୟ ପଛକୁ ନଫେରିବାର ତାଙ୍କ ନିଷ୍ପତ୍ତି ଆଜି ମଧ୍ୟ ତାଙ୍କୁ ଅନେକଙ୍କ ପାଇଁ ପ୍ରେରଣାର ଉଦାହରଣ କରିଛି ।+