ନୂଆଦିଲ୍ଲୀ: ଫିଲିପାଇନ୍ସର ଦୁଇଟି ସାମରିକ ବିମାନ ମଝି ଆକାଶାରେ ପରସ୍ପର ସହ ଧକ୍କା ହେବାରୁ ୪ ପାଇଲଟଙ୍କର ମୃତ୍ୟୁ ଘଟିଛି। ଅକ୍ଟୋବର ୨୩ ତାରିଖ ଫିଲିପାଇନ୍ସ ଫର୍ଣ୍ଣାଡୋ ଏୟାର ବେସ୍‌ରେ ବିମାନ ଉଡ଼ାଣ ଟ୍ରେନିଂ ବେଳେ ଏହି ଦୁର୍ଘଟଣା ଘଟିଥିଲା। ଶନିବାର ଫିଲିପାଇନ୍ସର ଏୟାର ଫୋର୍ସ(PAF) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପିଏଏଫ୍‌ର ସୂଚନା ଅନୁସାରେ ଦୁଇଟି ଏସଏଫ୍-୨୬୦ ବିମାନ ଟ୍ରେନିଂ ଉଡ଼ାଣ ବେଳେ ମଝି ଆକାଶରେ ପରସ୍ପର ସହ ଧକ୍କା ହୋଇଥିଲା। ସ୍ଥାନୀୟ ସମୟ ଅପରାହ୍ନ ୩.୫୧ ମିନିଟରେ ଏହି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣାରେ ୪ ସେନା ପାଇଲଟଙ୍କ ମୃତ୍ୟୁରେ ପିଏଏଫ୍‌ ଶୋକ ପ୍ରକାଶ କରିବା ସହିତ ଫିଲିପାଇନ୍ସ ବାୟୁ ସେନାର ସେମାନଙ୍କ ଯୋଗଦାନ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ତେବେ କାହିଁକି ଦୁଇଟି ବିମାନ ପରସ୍ପର ସହ ଧକ୍କା ହେଲା ? ସେ ନେଇ ପ୍ରକୃତ କାରଣ ଜଣାପଡ଼ି ନାହିଁ। ତେବେ ସୁରକ୍ଷା ଦୃଷ୍ଟିରୁ ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ କରି ସମସ୍ତ SF-260 ବିମାନର ଉଡ଼ାଣକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ବିମାନଗୁଡ଼ିକ ଫର୍ଣ୍ଣାଡୋ ଏୟାର ବେସ୍‌ରେ ଲ୍ୟାଣ୍ଡିଂ କରାଯାଇଛି।

Also Read- ୨୦୩୦ରୁ କାରରେ ଅଟୋମେଟିକ ଏମାର୍ଜେନ୍ସି ବ୍ରେକ୍ ବାଧ୍ୟତାମୂଳକ: ଡ୍ରାଇଭରକୁ ନିଦ ଆସିଲେ ବାଜିବ ଆଲାର୍ମ

ଦୁର୍ଘଟଣା ବେଳରେ ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭାଇରାଲ ଭିଡିଓ ଅନୁସାରେ ଦୁଇଟି ବିମାନ ପରସ୍ପର ସହ ଧକ୍କା ହେବା ପରେ ଖଣ୍ଡିବିଖଣ୍ଡିତ ହୋଇ ତଳେ ପଡ଼ୁଥିବାର ଦେଖାଯାଉଛି। ତେବେ ବାୟୁସେନା ପକ୍ଷରୁ ନେଇ କୌଣସି ଅତିରିକ୍ତ ସୂଚନା ଜାରି କରାଯାଇ ନାହିଁ। ଘଟଣାର ତଦନ୍ତ ଜାରି ରହିଛି ବୋଲି ଫିଲିପାଇନ୍ସ ବାୟୁସେନା କହିଛି।

SF-260 ହେଉଛି ଏକ ହାଲୁକା ପ୍ରଶିକ୍ଷଣ ବିମାନ। ଟ୍ରେନିଂ ଉଡ଼ାଣ ପାଇଁ ଫିଲିପାଇନ୍ସ ବାୟୁ ସେନା ଏହି ବିମାନକୁ ବ୍ୟବହାର କରିଥାଏ। ଦୁର୍ଘଟଣା ଘଟିବା ସମୟରେ ଉଭୟ ବିମାନ ପ୍ରଶିକ୍ଷଣ ନେଉଥିଲେ।। ତେବେ ପିଏଏଫ୍ ପକ୍ଷରୁ ଏପର୍ଯ୍ୟନ୍ତ ମୃତ ପାଇଲଟମାନଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ। ପାଇଲଟଙ୍କ ବ୍ୟକ୍ତିଗତ ସ୍ୱାଧୀନତାକୁ ସମ୍ମାନ ଦେବା ପାଇଁ ସେନା ଲୋକମାନଙ୍କୁ ଅନୁରୋଧ କରିଛି।