ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିର୍ଦ୍ଦେଶ ମାନିଲା ରେଳବାଇ। ଅକ୍ଟୋବର ୨୭ ତାରିଖ ଠାରୁ ଟିକେଟ କାଉଣ୍ଟରେ ରିଜର୍ଭ ଟିକେଟ କଲେ ଯାତ୍ରୀଙ୍କୁ ମିଳିବ ବୀମା ସୁବିଧା। ଏନେଇ ଶନିବାର ରେଳବାଇ ବୋର୍ଡ ପକ୍ଷରୁ ସମସ୍ତ ଆଞ୍ଚଳିକ ରେଳବାଇକୁ ନିର୍ଦ୍ଦେଶ ଦିଆଯାଇଛି। ଟିକେଟ କାଉଣ୍ଟରରେ ପାସେଞ୍ଜର ରିଜର୍ଭେସନ ସିଷ୍ଟମ(ପିଆରଏସ୍) ମାଧ୍ୟମରେ ରିଜର୍ଭେସନ ଟିକେଟ କରୁଥିବା ଯାତ୍ରୀଙ୍କୁ ଅପସନାଲ ଟ୍ରାଭେଲ ଇନ୍ସୁରାନ୍ସ ସ୍କିମର ସୁବିଧା ଦେବା ପାଇଁ ବ୍ୟବସ୍ଥା କରିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି।

ବୀମା ଯୋଜନାରେ ଯାତ୍ରୀଙ୍କୁ କେତେ ଟଙ୍କା ମିଳିବ ?

'ୟୁନିଅନ୍ ଅଫ୍ ଇଣ୍ଡିଆ ବନାମ ରାଧା ଯାଦବ' ମାମଲାରେ ସୁପ୍ରିମକୋର୍ଟ ଅକ୍ଟୋବର ୬ ତାରିଖର ରେଳବାଇକୁ ବୀମା ଯୋଜନା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଯୋଜନାରେ ଯାତ୍ରୀ ରିଜର୍ଭେସନ ଟିକେଟ କଲା ବେଳେ ମାତ୍ର ୪୫ ପଇସା ପ୍ରିମିୟମ ଦେଇ ବୀମା କଭର ନେଇପାରିବେ। ଏହା ସମ୍ପୂର୍ଣ୍ଣ ଇଚ୍ଛାଧୀନ ରହିବ। ବୀମା ଯୋଜନା ଅଧୀନରେ ଯଦି ରେଳ ଦୁର୍ଘଟଣା କିମ୍ବା କୌଣସି ଅପ୍ରିତିକର ପରିସ୍ଥିତି ଯୋଗୁ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ କିମ୍ବା ସେ ସମ୍ପୂର୍ଣ୍ଣ ଅକ୍ଷମ ହୋଇ ଯାଆନ୍ତି, ତେବେ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯିବ।

କେବଳ ସେତିକି ନୁହେଁ, ଆଂଶିକ ଅକ୍ଷମତା ପାଇଁ ୭.୫ ଲକ୍ଷ ଟଙ୍କା, ଦୁର୍ଘଟଣା ପରେ ଚିକିତ୍ସା ଖର୍ଚ୍ଚ ପାଇଁ ୨ ଲକ୍ଷ ଟଙ୍କା ଓ ମୃତଦେହ ପରିବହନ ପାଇଁ ୧୦,୦୦୦ ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ରେଳବାଇର ସୂଚନା ଅନୁସାରେ ଏହି ଇନ୍ସୁରାନ୍ସ ସମ୍ପୂର୍ଣ୍ଣ ଇଚ୍ଛାଧୀନ ରହିବ। ଯାତ୍ରୀ ଇଚ୍ଛା କଲେ ୪୫ ପଇସା ଦେଇ ବୀମା କଭର ନେଇପାରିବେ, ନହେଲେ ନାହିଁ। ତେବେ ଟିକେଟ ବୁକ୍ କଲା ବେଳେ ଯାତ୍ରୀଙ୍କୁ ଏହି ସୁବିଧା ବିଷୟରେ ସୂଚନା ଦେବାକୁ ରେଳବାଇ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କେମିତି ବୀମା କଭର ନେବେ ଯାତ୍ରୀ ?

ଯେଉଁ ଯାତ୍ରୀମାନେ ଏହି ବୀମା କଭର ନେବାକୁ ଚାହିଁବେ ସେମାନଙ୍କୁ ତାଙ୍କ ମୋବାଇଲ ନମ୍ବର ଦେବାକୁ ପଡ଼ିବ। ଏବଂ ରିଜର୍ଭେସନ ଭଡ଼ା ସହ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ୪୫ ପଇସା ବୀମା ପ୍ରିମିୟମ ଦେବାକୁ ପଡ଼ିବ। ଯାତ୍ରୀଙ୍କୁ ବୀମା କଭର ବିଷୟରେ ସେମାନଙ୍କ ମୋବାଇଲ ନମ୍ବରରେ ସମସ୍ତ ସୂଚନା ଦିଆଯିବ।

ବୋର୍ଡ ସ୍ପଷ୍ଟ କରିଛି ଯେ, IRCTC ଇ-ଟିକେଟ୍ ବୀମା ପାଇଁ ଲାଗୁ ହେଉଥିବା ବର୍ତ୍ତମାନର ସର୍ତ୍ତାବଳୀ, ରିଜର୍ଭେସନ୍ କାଉଣ୍ଟରରୁ କିଣାଯାଇଥିବା ଟିକେଟ୍ଗୁଡ଼ିକ ପାଇଁ ମଧ୍ୟ ଲାଗୁ ହେବ। ବ୍ୟବସ୍ଥାର କାର୍ଯ୍ୟକାରୀ ନେଇ ତଦାରଖ କରିବାକୁ ଡିଭିଜନାଲ ରେଳ ପରିଚାଳକ ଏବଂ ବାଣିଜ୍ୟିକ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପଟେ ଜୋନାଲ ରେଳବାଇଗୁଡ଼ିକୁ ଯୋଜନାର କାର୍ଯ୍ୟକ୍ଷମ ପ୍ରସ୍ତୁତି ନିଶ୍ଚିତ କରି ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ପଡିବ।

କେଉଁସବୁ କ୍ଷେତ୍ରରେ କେତେ ମିଳିବ ବୀମା ରାଶି ?

ଟ୍ରେନ ଲାଇନଚ୍ୟୁତ ହେଲେ, ଦୁଇଟି ଟ୍ରେନ ପରସ୍ପର ଧକ୍କା, ଆତଙ୍କବାଦୀ ଆକ୍ରମଣ, କୌଣସି ଅପ୍ରିୟ ଘଟଣାରେ ଯାତ୍ରୀଙ୍କ ମୃତ୍ୟୁ, ଅଙ୍ଗ ନଷ୍ଟ ହେବା କିମ୍ବା ଗଭୀର ଆଘାତ ଲାଗିବାଦ୍ୱାରା ଯାତ୍ରୀଙ୍କୁ ଏହି ବୀମା ରାଶି ମିଳିବ। ତେବେ ଯଦି ଯାତ୍ରୀ ଆତ୍ମହତ୍ୟା କରୁଛନ୍ତି, ନିଜକୁ କ୍ଷତି ପହଞ୍ଚାଉଛନ୍ତି କିମ୍ବା ମାନସିକ ସନ୍ତୁଳନ ଠିକ ନଥିବାରୁ ଦୁର୍ଘଟଣାର ଶିକାର ହେଉଛନ୍ତି, ତେବେ ଏକ୍ଷେତ୍ରରେ କ୍ଷତିପୂରଣ କିମ୍ବା ବୀମା ରାଶି ମିଳିବ ନାହିଁ। କ୍ଷତି କେତେ ମାତ୍ରାରେ ହୋଇଛି ସେହି ଅନୁସାରେ ଇନ୍ସୁରାନ୍ସ ରାଶି ନିର୍ଦ୍ଧାରିତ କରାଯିବ। ଯଦି ଯାତ୍ରୀଙ୍କର ମୃତ୍ୟୁ ହୋଇଯାଏ କିମ୍ବା ସମ୍ପୂର୍ଣ୍ଣ ବିକଳାଙ୍ଗ ହୋଇଯାଆନ୍ତି ତେବେ ସର୍ବାଧିକ ୧୦ ଲକ୍ଷ ଟଙ୍କାର ବୀମା ରାଶି ମିଳିବ ଓ ଆହତ ହେଲେ ଚିକିତ୍ସା ଖର୍ଚ୍ଚ ମିଳିବ।

କେଉଁ ଶ୍ରେଣୀର ଯାତ୍ରୀଙ୍କୁ ମିଳିବ ଟ୍ରାଭେଲ ଇନ୍ସୁରାନ୍ସ , କେମିତି କରିବେ କ୍ଲେମ ?

ଏହି ଇନ୍ସୁରାନ୍ସ ସମସ୍ତ କ୍ୟାଟେଗୋରୀ କିମ୍ବା କ୍ଲାସ୍ ଯଥା ଏସି, ସେକେଣ୍ଡ ଏସି, ଥାର୍ଡ ଏସି, ସ୍ଲିପର କିମ୍ବା ଚେୟାର କାର କନଫର୍ମ ଓ ରାକ(ରିଜର୍ଭେସନ ଆଗେନଷ୍ଟ କ୍ୟାନ୍ସଲେସନ) ଟିକେଟ ଉପରେ ମିଳେ। ତେବେ କାଉଣ୍ଟରେ ଟିକେଟ କିଣିଲେ ଏହି ସୁବିଧା ମିଳେ ନାହିଁ। ଏବେ ନିକଟରେ ହୋଇଥିବା ନୂଆ ପରିବର୍ତ୍ତନରେ ପିଲାମାନଙ୍କ ପାଇଁ ହାପ୍ ଟିକେଟ ଉପରେ କିନ୍ତୁ ବୀମା ବିକଳ୍ପ ମିଳିବ ନାହିଁ। ଫୁଲ ଟିକେଟ୍‌ରେ ହିଁ ଏହି ପଲିସି ମିଳିବ।

ଟ୍ରେନ ଦୁର୍ଘଟଣାର ୪ ମାସ ଭିତରେ ବୀମା ପାଇଁ କ୍ଲେମ କରିପାରିବେ। ଆହତ ବ୍ୟକ୍ତି, ନମିନି କିମ୍ବା ଉତ୍ତରାଧିକାରୀ ବୀମା କ୍ଲେମ କରିପାରିବେ। ଏଥିପାଇଁ ଇନ୍ସୁରାନ୍ସ କମ୍ପାନୀର ଅଫିସରେ ଆପ୍ଲିକେସନ ଦେବା ସହ ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ। ସବୁଠାରୁ ବଡ଼ କଥା ହେଲା ଏହି ବୀମା ସୁବିଧା ଏବେ କେବଳ ରିଜର୍ଭେସନ ଟିକେଟଧାରୀଙ୍କୁ ମିଳୁଛି। ସାଧାରଣ ଯାତ୍ରୀ ଦୁର୍ଘଟଣାର ଶିକାର ହେଲେ କେବଳ ସରକାରୀ କ୍ଷତିପୂରଣ ପାଇପାରିବେ।

କେବେ ଆରମ୍ଭ ହୋଇଥିଲା ବୀମା ସୁବିଧା ?

ସୂଚନା ଥାଉକି ଯାତ୍ରୀଙ୍କ ସୁବିଧା ପାଇଁ, ରେଳବାଇ ସେପ୍ଟେମ୍ବର ୨୦୧୬ରେ ଅପସନାଲ ଯାତ୍ରା ବୀମା ପ୍ରଚଳନ କରିଥିଲା। ସେତେବେଳେ ପ୍ରତି ଯାତ୍ରୀଙ୍କ ପାଇଁ ବୀମା ପ୍ରିମିୟମ ୯୨ ପଇସା ଥିଲା, ଯାହା ସରକାର ପ୍ରଦାନ କରୁଥିଲେ। କିନ୍ତୁ, ଅଗଷ୍ଟ ୨୦୧୮ରେ ପ୍ରିମିୟମକୁ ପ୍ରତି ଯାତ୍ରୀଙ୍କ ପାଇଁ ୪୨ ପଇସାକୁ ହ୍ରାସ କରାଯାଇଥିଲା। ଏହାପରେ ପୁଣିଥରେ ୩୫ ପଇସାକୁ ହ୍ରାସ କରାଯାଇଥିଲା। ବର୍ତ୍ତମାନ, ନିକଟରେ ହୋଇଥିବା ଏକ ପରିବର୍ତ୍ତନ ପରେ, ରେଳବାଇ ପ୍ରିମିୟମକୁ ୪୫ ପଇସାକୁ ବୃଦ୍ଧି କରିଛି। ଯାତ୍ରୀମାନଙ୍କୁ ଟିକେଟ ବୁକିଂ କରିବା ସମୟରେ ଏହି ରାଶି ଦେବାକୁ ପଡିବ।