ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁଖ ଅବଦୁଲ୍ଲା ନିକଟରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ବାରାମୂଲାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ପାକିସ୍ତାନକୁ ଉଚ୍ଚ ପ୍ରଶଂସା କରିଥିବା ବେଳେ ଦିଲ୍ଲୀ ବିରୋଧରେ ଅବିଶ୍ୱାସ ଆଣିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀ ଅନ୍ତର୍ଜାତୀୟ ଚାପରେ ଚୁପ ରହିଛି। ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ‘ଦିଲ୍ଲୀର ସମ୍ନା କରିବାକୁ ସାହାସ ସଂଗ୍ରହ କର’। ଅବଦୁଲ୍ଲା ଏହା ବି କହିଛନ୍ତି ଯେ ଜମ୍ମୁ-କାଶ୍ମୀର ଦିନେ ନା ଦିନେ ପୁଣି ଥରେ ତାର ସ୍ୱତନ୍ତ୍ର ମାନ୍ୟତା ହାସଲ କରି ରହିବ।

ଫାରୁଖ ଅବଦୁଲ୍ଲାଙ୍କ ଏହି ଭାଷଣ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ କହୁଛନ୍ତି ‘ଆପଣ କ’ଣ ଦିଲ୍ଲୀ ଉପରେ ଭରସା କରିପାରିବେ ଯେ ସେମାନେ ତୁମ ସହ ନ୍ୟାୟ କରିବେ?ଏଣୁ ଦିଲ୍ଲୀର ସାମ୍ନା କରିବାକୁ ସାହସ କର ଓ ଏପରି ନକଲେ ତୁମର ଅସ୍ତିତ୍ୱ ନିଶ୍ଚିନ୍ନ ହୋଇଯିବ’। ସେ ଏହା ବି କହିଛନ୍ତି ଯେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଭାରତ ବିରୋଧରେ ସକ୍ରିୟ ରହିଛି ଓ ଆଶା ବ୍ୟକ୍ତ କରିଛନ୍ତି ଯେ ପଡୋଶୀ ଦେଶ ତାଙ୍କୁ ସହଯୋଗ କରିବ।

ସେହିପରି ଅନୁଚ୍ଛେଦ ୩୭୦ ଉପରେ ନିଜର ପ୍ରତିକ୍ରିୟା ରଖି ଅବଦୁଲ୍ଲା କହିଛନ୍ତି ଯେ ଏହାକୁ ଦିନେ ନା ଦିନେ ପୁଣି ଲାଗୁ କରାଯିବ। ଅବଦୁଲ୍ଲା କହିଛନ୍ତି ଯେ ସେ ଏବେ ଚୁପ ଅଛନ୍ତି କାରଣ ବିଶ୍ୱ ଏବେ ଚାପରେ ଅଛି। କିନ୍ତୁ ଆମ ପଡୋଶୀ ସେମାନଙ୍କ ପଛରେ ଲାଗିପଡିଛନ୍ତି। ନିଜ ଭାଷଣରେ ଅବଦୁଲ୍ଲା କହିଛନ୍ତି ଯେ ଜମ୍ମୁ-କାଶ୍ମୀରରେ ବାହାରର ଏମବିବିଏସ୍, ଏମଡି ଅଥବା ଏମଏସ କୋର୍ସ କରିଥିବା ଛାତ୍ରଛାତ୍ରୀଙ୍କୁ ଏଠାରେ ଦୁଇ ବର୍ଷ ସେବା ଦେବାକୁ ହୋଇଥାଏ। ଏପରି ନ କଲେ ସେମାନଙ୍କୁ ୫୦ ଲକ୍ଷ ଟଙ୍କା ଜରିମନା ହୁଏ। ଏଠାକାର ପରିସ୍ଥିତି ଏପରି ଯେ ସେହି ଫାଇଲ ଗତ ବର୍ଷେ ହେଲା ଲେଫ୍ଟନାଣ୍ଟ ଗଭର୍ଣ୍ଣର ଙ୍କ ପାଖରେ ପଡିଛି। ଏଥିରୁ ଦିଲ୍ଲୀ ଆମ ସହ ନ୍ୟାୟ କରିବ ଏ କଥା ଆମେ କିପରି ବିଶ୍ୱାସ କରିବା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ତେବେ ବିଜେପି ଅବଦୁଲ୍ଲାଙ୍କ ଏହି ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛି। ବିଜେପି ନେତା ରବିନ୍ଦର ରୈନା କହିଛନ୍ତି ଯେ ଫାରୁଖ ଅବଦୁଲ୍ଲାଙ୍କ ପାକିସ୍ତାନ ଓ କାଶ୍ମୀର ବୟାନ ନିନ୍ଦନୀୟ। ସେ ଦେଶ ଦ୍ରୋହ ଆଚରଣ କରିଛନ୍ତି। ପାକିସ୍ତାନ ଜମ୍ମୁ-କାଶ୍ମୀର ଲୋକଙ୍କ ଶତ୍ରୁ, ଗତ ୩୫ ବର୍ଷରେ ପାକିସ୍ତାନ ଜମ୍ମୁ-କାଶ୍ମୀରକୁ ଧ୍ୱଂସ କରିବାରେ ଲାଗିଛି। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ କିପରି ଜମ୍ମୁ-କାଶ୍ମୀର ଲୋକଙ୍କ ଶୁଭ ଚିନ୍ତକ ହୋଇ ପାରେ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିପରି ବିଜେପି ନେତା ଅଲତାଫ ଠାକୁର ଅବଦୁଲ୍ଲାଙ୍କ ବୟାନ ଦେଶ ବିରୋଧରେ ଖୋଲା ବିଦ୍ରୋହ ବୋଲି କହିଛନ୍ତି। ତାଙ୍କର ଏପରି ବୟାନବାଜୀ ଦେଶର ଏକତା ଓ ଅଖଣ୍ଡତା ଲାଗି ଏକ ଆହ୍ୱାନ ବୋଲି ସେ କହିଛନ୍ତି। ନ୍ୟାସନାଲ କନଫରେନ୍ସ ସର୍ବଦା ଏକ ଦେଶ ବିରୋଧୀ ଦଳ ଥିଲା ରହିଛି ଓ ଆଗକୁ ବି ରହିବ ବୋଲି କହିଥିବା ବେଳେ ଅବଦୁଲ୍ଲାଙ୍କ ବିରୋଧରେ ସେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।