ନୂଆଦିଲ୍ଲୀ: ପାକିସ୍ତାନୀ ସେନା ଏବଂ ବଲୁଚ୍‌ ଲିବରେସନ ଫ୍ରଣ୍ଟ (ବିଏଲ୍‌ଏଫ) ମଧ୍ୟରେ ଜୋରଦାର ଲଢ଼େଇ ହୋଇଛି । ତେବେ ପାକିସ୍ତାନୀ ସେନା ଉପରେ ଆକ୍ରମଣ କରିଥିବା ନେଇ ବିଏଲଏଫ୍‌ ସ୍ବୀକାର କରିଛି ।  ଏହି ଆକ୍ରମଣରେ ପାକିସ୍ତାନୀ ସେନାର ଜଣେ ମିଲିଟାରୀ ଇଣ୍ଟେଲିଜେନ୍ସ କ୍ୟାପଟେନ୍ ଏବଂ ସ୍ପେଶାଲ ସର୍ଭିସେସ୍ ଗ୍ରୁପର ଯବାନ ନିହତ ହୋଇଥିବା ବିଏଲଏଫ୍‌ ଦାବି କରିଛି ।

BLFର ମୁଖପାତ୍ର ମେଜର ଗୱାହ୍ରାମ ବଲୁଚ୍ ଏକ ପ୍ରେସ୍ ବିବୃତ୍ତି ଜରିଆରେ କହିଛନ୍ତି ଯେ, ସେମାନଙ୍କ ଆକ୍ରମଣରେ ପାକିସ୍ତାନୀ ସେନା ବ୍ୟାପକ କ୍ଷତି ସହିଛି । ତିଷ୍ଠି ନପାରି ପାକିସ୍ତାନୀ ସୈନ୍ୟମାନେ ପଛକୁ ହଟିବାକୁ ବାଧ୍ୟ ହୋଇଛନ୍ତି। ଏହି ଅଭିଯାନ ବିଭିନ୍ନ ମୋର୍ଚ୍ଚାରେ ଜାରି ରହିଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଘଟଣାସ୍ଥଳରୁ କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।  ଗୋଟିଏ ଭିଡିଓରେ ଜଣେ ମହିଳା କହିଛନ୍ତି, ପାକିସ୍ତାନ ଏବେ ପରାସ୍ତ ହୋଇସାରିଛି ଏବଂ ଆମ ସହ ଲଢ଼ିବାକୁ ସକ୍ଷମ ନୁହେଁ।

 ଅନ୍ୟ ଏକ ଭିଡିଓରେ ଜଣେ ମହିଳା ଅଟୋମେଟିକ୍ ରାଇଫଲରେ ଗୁଳି ମାଡ଼ କରୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ବିଦ୍ରୋହୀମାନେ ଦାବି କରିଛନ୍ତି ଯେ, ସେମାନେ 'ଫ୍ରଣ୍ଟିୟର୍ ୱାର୍କ୍ସ ଅର୍ଗାନାଇଜେସନ୍' ର ମୁଖ୍ୟ ଶିବିରକୁ କବଜା କରିଛନ୍ତି ଏବଂ ସେଠାରେ ନିଜର ପତାକା ଉଡ଼ାଇଛନ୍ତି। ଏହାସହିତ ମୁଝାନୀ ପୋଲିସ ଷ୍ଟେସନକୁ ଅକ୍ତିଆର କରି ସେଠାରୁ ସରକାରୀ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ଏହି ଲଢ଼େଇରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ପ୍ରାଣ ହରାଇଛନ୍ତି।

ଅନ୍ୟ ଏକ ଘଟଣାରେ, ଗୁବ୍ଦ ଅଞ୍ଚଳରେ ପାକିସ୍ତାନୀ ସୁରକ୍ଷା ବାହିନୀର ଏକ କାରକେଡ୍‌ ଉପରେ ଜୋରଦାର ଆକ୍ରମଣ ହୋଇଛି। ଏଥିରେ ସେନାର ଗାଡ଼ି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ସୁରକ୍ଷା ବାହିନୀର ବହୁ ଯବାନ ନିହତ କିମ୍ବା ଆହତ ହୋଇଥିବା ଜଣାପଡ଼ିଛି । ବଲୁଚ୍‌ ଲିଭେରେସନ୍‌ ଫ୍ରଣ୍ଟ ଏବଂ ପାକିସ୍ତାନୀ ସେନା ମଧ୍ୟରେ ଲଢ଼େଇ ଜାରି ରହିଛି । ବିଭିନ୍ନ ସମୟରେ ପାକିସ୍ତାନର ଯବାନ ନିହତ ହେଉଛନ୍ତି।