ଜାମନଗର: ଜନ୍ମ ପରେ ପରେ ଜଂଘର ହାଡ ଭାଙ୍ଗିବା ଓ ଅନ୍ୟ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇ ଜୀବନ ମରଣ ସହ ସଂଘର୍ଷ କରୁଥିବା ସାତ ସପ୍ତାହର ହାତୀ ଛୁଆ ରାଜାକୁ ଶୁକ୍ରବାର ଏୟାରଲିଫ୍ଟ କରି ଅନନ୍ତ ଅମ୍ବାନୀଙ୍କ ଜାମନଗରସ୍ଥିତ ବନତାରାକୁ ଅଣାଯାଇଛି। ଏଠାରେ ତାର ସ୍ୱତନ୍ତ୍ର ଚିକିତ୍ସା କରାଯିବ। ଅନନ୍ତ ଅମ୍ବାନୀଙ୍କ ଉଦ୍ୟମ ଯୋଗୁ ରାଜାକୁ ଜରୁରୀକାଳୀନ ଚିକିତ୍ସା ନିମନ୍ତେ ଆସାମରୁ ବନତାରା ଅଣାଯାଇଛି। କାରଣ ଏତେ ଛୋଟ ଓ ଅସୁସ୍ଥ ହାତୀ ଛୁଆ ଲାଗି ୨୫୦୦ କିଲୋମିଟରରୁ ଅଧିକ ସଡ଼କ ଯାତ୍ରା ସମ୍ଭବ ନଥିଲା।

ରାଜାର ଜନ୍ମ ୨ ଅକ୍ଟୋବର ୨୦୨୬ରେ ଆସାମର ଗୋମୁଖରେ ହୋଇଥିଲା। ତାର ମା ମାତ୍ର ୧୧ ବର୍ଷ ବୟସର। କମ ବୟସ ଓ ଅଭିଜ୍ଞତା ନଥିବାରୁ ସେ ପିଲାକୁ ଲାତ ମାରିଦେଇଥିଲା। ଫଳରେ ରାଜାର ଡାହାଣ ଜଂଘର ହାଡ଼ (ଫିମର) ଭାଙ୍ଗି ଯାଇଛି। ଏହି ଘଟଣା ଯୋଗୁ ରାଜା ତା ମାର କୋଲୋଷ୍ଟ୍ରମ (ପ୍ରଥମ ଦୁଗ୍ଧ) ମଧ୍ୟ ପାନ କରିପାରି ନାହିଁ। ରାଜାର ମାଲିକ ଓ ତାର ଦେଖାଶୁଣା କରୁଥିବା ଲୋକେ ତାକୁ ସ୍ୱତନ୍ତ୍ର ସହାୟତାର ଆବଶ୍ୟକତା ଅନୁଭବ କରି ବନତାରାକୁ ସହଯୋଗର ହାତ ବଢାଇବାକୁ ନିବେଦନ କରିଥିଲେ। ବନତାରାର ରାପିଡ ରେସ୍ପନ୍ସ ଟିମ୍ ୮ ଅକ୍ଟୋବରରେ ରାଜା ପାଖକୁ ପହଞ୍ଚିଥିଲେ।

ଏକ୍ସ-ରେ ରେ ଏକ ‘କମ୍ପ୍ଲିଟ୍ ଓଭର ରାଇଡିଂ ଫ୍ରାକ୍ଚର’ ପୁଷ୍ଟି ହୋଇଛି। ଟିମ୍ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ ଓ ବିଶେଷ ରୂପେ ପ୍ରସ୍ତୁତ କରାଯାଇଥିବା ଦୁଗ୍ଧ ବିକଳ୍ପ (ମିଲ୍କ ସପ୍ଲିମେଣ୍ଟ) ଦେବା ଆରମ୍ଭ କରିଥିଲେ। ଏଥି ପାଇଁ ଫିଡିଂ ବୋତଲ ଦିଆଯିବା ସହ ତାର ଦେଖାଶୁଣା କରୁଥିବା ଲୋକଙ୍କୁ ଜରୁରି ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା। ଜନ୍ମରୁ ମା ଦୁଗ୍ଧ ନ ମିଳିବା ଓ ସେ ଚାଲି ଫେରି ପାରୁନଥିବାରୁ ଜନ୍ମ ପରେ ତାକୁ ଗୋଟିଏ ପରେ ଗୋଟିଏ ଜଟିଳତାର ସମ୍ମୁଖୀନ ହେବାକୁ ପଡିଲା।

ଦୀର୍ଘ ସମୟ ଧରି ଶୋଇ ରହିବା ଯୋଗୁ ତା ମୁଣ୍ଡରେ ଘା ହୋଇଯାଇଥିବା ବେଳେ ତାର ନାଭି ହାର୍ଣ୍ଣିଆ ଓ ସାଧାରଣ ଦୁର୍ବଳତା ମଧ୍ୟ ରହିଛି। ବନତାରା ବିଶେଷଜ୍ଞ ଟିମ୍ ୭ ସପ୍ତାହ ଧରି ତାର ଚିକିତ୍ସା କରିଛନ୍ତି। ଏହା ସତ୍ତ୍ୱେ ତାର ସ୍ୱାସ୍ଥ୍ୟାବସ୍ଥା ଏବେବି ଜଟିଳ ରହିଛି। ଏବେ ତାକୁ ଆଇସିୟୁ ର ଆବଶ୍ୟକତା ପଡୁଛି। ବନତାରା ସିଇଓ ବିଭାନ କରାନୀ କହିଛନ୍ତି ଯେ ରାଜା ଗତ ୭ ସପ୍ତାହ ହେଲା ତାର ଛୋଟ ଶରୀର ସତ୍ତ୍ୱେ ବେଶ୍ ସଂଘର୍ଷ କରିଛି। ଏବେ ତାକୁ ସାହାରା ଦେବା ଆମ କାମ।

ଅନନ୍ତ ଅମ୍ବାନୀଙ୍କ ସହଯୋଗ କାରଣରୁ ଯେଉଁ ସଡ଼କ ମାର୍ଗକୁ ତାକୁ ଅନେକ ଦିନରେ ପାର କରିବାକୁ ପଡିଥାନ୍ତା ତାକୁ ଆକାଶ ମାର୍ଗରେ ମାତ୍ର କିଛି ଘଣ୍ଟାରେ ପୁରା କରାଯାଇଛି। ଅମ୍ବାନୀଙ୍କ ସହାୟତାରେ ଏହା ଏହି ଧରଣର ତୃତୀୟ ଏୟାର ଲିଫ୍ଟ। ଯେଉଁ ଥିରେ ରାଜାକୁ ନଭେମ୍ବର ୨୦ ତାରିଖରେ ଗୌହାଟୀରୁ ଜାମନଗର ସ୍ଥାନାନ୍ତରିତ କରାଯାଇଛି।