ନୂଆଦିଲ୍ଲୀ: ଆମେରିକାର ପ୍ରମୁଖ ଚିପ୍ ନିର୍ମାତା କମ୍ପାନୀ ଏନଭିଡିଆର ଅଡ଼ୁଆ କମ୍‌ ହେବାର ନାଁ ଧରୁନାହିଁ । କମ୍ପାନୀର ସହ-ପ୍ରତିଷ୍ଠାତା ଜେନସେନ୍ ହୁଆଙ୍ଗ ସିଇଓ ପଦରୁ ଇସ୍ତଫା ଦେବା ପରେ କମ୍ପାନୀରେ ଅସ୍ଥିରତା ଜାରି ରହିଛି । ଏହାରି ମଧ୍ୟରେ କମ୍ପାନୀ ପ୍ରତି ଆଉ ଏକ ବଡ଼ ବିପଦ ସୃଷ୍ଟି ହୋଇଛି । ‘ଦ ଜେଣ୍ଟଲମେନ୍’ନାମକ ଏକ କୁଖ୍ୟାତ ରାନସମୱେୟାର ଗୋଷ୍ଠୀ ଏନଭିଡିଆର ସିଷ୍ଟମ୍ ହ୍ୟାକ୍ କରିଥିବା ଦାବି କରିଛି । ଏହା ସହ ଆସନ୍ତା ୧୦ ଦିନ ମଧ୍ୟରେ ଚୋରି ହୋଇଥିବା ତଥ୍ୟକୁ ଡାର୍କ ୱେବ୍‌ରେ ପ୍ରଘଟ କରିଦେବାକୁ ଧମକ ଦେଇଛି। ନଭେମ୍ବର ୧୨ରେ ଜଣେ ସନ୍ଦିଗ୍ଧ ଚୀନ୍ ଗୁପ୍ତଚର ଏଲିସ୍ ହୁଆଙ୍ଗଙ୍କ ସମେତ ଅନ୍ୟ କିଛି ବ୍ୟକ୍ତିଗତ ସମ୍ପର୍କକୁ ନେଇ ବିବାଦ ଉପୁଜିବା ପରେ ଜେନସେନ୍ ହୁଆଙ୍ଗ ନିଜ ପଦରୁ ଇସ୍ତଫା ଦେଇଥିଲେ।   

ନଭେମ୍ବର ୧୮ ରେ ‘ଦ ଜେଣ୍ଟଲମେନ୍’ ଗୋଷ୍ଠୀ ନିଜର ଡାର୍କ ୱେବ୍ ସାଇଟ୍‌ରେ ଏନଭିଡିଆର ନାମ ଯୋଡ଼ିବା ସହ ପ୍ରାୟ ୧୦ ଦିନର ଏକ କାଉଣ୍ଟଡାଉନ୍ ଟାଇମର ଲଗାଇଛି। ଏହାର ଅର୍ଥ ହେଉଛି, ଯଦି ଦାବି ପୂରଣ ନହୁଏ, ତେବେ ଆସନ୍ତା ନଭେମ୍ବର ୨୮ ତାରିଖରେ ଏହି ତଥ୍ୟ ସାର୍ବଜନୀନ ହୋଇପାରେ। ତେବେ ଏହି ହ୍ୟାକର ଗୋଷ୍ଠୀ ଏପର୍ଯ୍ୟନ୍ତ କୌଣସି ଚୋରି ତଥ୍ୟର ପ୍ରମାଣ ପ୍ରକାଶ କରିନାହିଁ । କେଉଁ ସମୟରେ ଏହି ହ୍ୟାକିଂ ହୋଇଛି ଏବଂ କମ୍ପାନୀର କେଉଁ ବିଭାଗର ତଥ୍ୟ ଚୋରି ହୋଇଛି, ସେ ନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।   ଅନ୍ୟପକ୍ଷରେ, ଏନଭିଡିଆ ପକ୍ଷରୁ ଏପର୍ଯ୍ୟନ୍ତ ନିଜସ୍ୱ ସିଷ୍ଟମ୍ ହ୍ୟାକ୍ ହୋଇଥିବା କଥାକୁ ସ୍ୱୀକାର କରାଯାଇ ନାହିଁ। 

Also Read: Nvidia Conflict : କର୍ମଚାରୀଙ୍କୁ କ୍ଷମା ମାଗିଲେ ଏନଭିଡିଆ CEO : କହିଲେ 'ମୋ ଭୁଲର କ୍ଷମା ନାହିଁ'

ଗୁରୁବାର କମ୍ପାନୀର ଜଣେ ମୁଖପାତ୍ର ସ୍ପଷ୍ଟ କରିଛନ୍ତି ଯେ, ଏନଭିଡିଆର କୌଣସି ସିଷ୍ଟମ୍ କିମ୍ବା ନେଟୱାର୍କ ପ୍ରଭାବିତ ହୋଇଥିବାର କୌଣସି ସଙ୍କେତ ମିଳିନାହିଁ ।  କମ୍ପାନୀର ଜଣେ ତୃତୀୟ ପକ୍ଷ ସହଯୋଗୀଙ୍କ ଉପରେ ହୋଇଥିବା ଏକ ସାଇବର ଘଟଣାର ତଦନ୍ତ ଚାଲିଛି। ଉଲ୍ଲେଖଯୋଗ୍ୟ ଯେ, ‘ଦ ଜେଣ୍ଟଲମେନ୍’ ଗୋଷ୍ଠୀ ପୂର୍ବରୁ ଅକ୍ଟୋବର ମାସରେ ଏନଭିଡିଆ ସହ ବ୍ୟବସାୟିକ ସମ୍ପର୍କ ରଖିଥିବା ତାଇୱାନର ଜେନଟେକ୍ ପ୍ରିସିସନ୍ ଏବଂ ଏଫପିଟି ସଫ୍ଟୱେୟାର ଉପରେ ରାନସମୱେୟାର ଆକ୍ରମଣ କରିଥିଲା।   ୨୦୨୫ ମଧ୍ୟଭାଗରେ ସକ୍ରିୟ ହୋଇଥିବା ଏହି ରାନସମୱେୟାର ଗୋଷ୍ଠୀକୁ ଜଣେ ଋଷୀୟ ହ୍ୟାକର ପରିଚାଳନା କରୁଥିବା କୁହାଯାଏ। ପୂର୍ବରୁ ମଧ୍ୟ ଏନଭିଡିଆ ସାଇବର ଆକ୍ରମଣର ସାମ୍ନା କରିସାରିଛି । ଚଳିତ ବର୍ଷ ମେ ମାସରେ ଏହାର ଆର୍ମେନିଆ ସ୍ଥିତ ସହଯୋଗୀ GFN.am ରୁ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍ ହୋଇଥିଲା ।