ନୂଆଦିଲ୍ଲୀ: ରାଜ ଶମାନି, ଏବେ ଏହା ବେଶ୍‌ ପରିଚିତ ନାଁ । ୫ ବର୍ଷ ପୂର୍ବରୁ ହୁଏତ ସେ ନିଜକୁ ନିଜେ ଭଲରେ ଚିହ୍ନିପାରିନଥିଲେ । ୨୦୨୧ରେ ଇନ୍ଦୋରର ଏକ କୋଠରୀରେ ବସି କଣ କରିବେ ବୋଲି ଭାବୁଥିଲେ ସେ । କିନ୍ତୁ ୨୦୨୬ ଶେଷ ହେବା ବେଳକୁ ସେ ଦୁନିଆର କେତେ ବଡ଼ ବଡ଼ ହସ୍ତିଙ୍କୁ ପଛରେ ପକାଇ ଏକ ନମ୍ବର ହୋଇଯାଇଛନ୍ତି । ପଡକାଷ୍ଟିଂ ଦୁନିଆର ବାଦଶାହ ରାଜ୍‌ ଶମାନି । କେବଳ ଭାରତ ନୁହେଁ, ସାରା ବିଶ୍ବରେ ସେ ଏକ ନମ୍ବର । ତାଙ୍କର ଶୋ’ ‘Figuring Out With RaJ Shamani’ ବିଶ୍ବ ମଞ୍ଚରେ ଚର୍ଚ୍ଚିତ । ତାଙ୍କର ଏହି ଶୋକୁ ଲୋକେ ଖୁବ ପସନ୍ଦ କରୁଥିବା ବେଳେ, ୟୁଟ୍ୟବରେ ସବସ୍କ୍ରାଇବର ୨୨ ମିଲିୟନ୍‌ ଟପିଯାଇଛି । କିଛି ମାସ ପୂର୍ବରୁ ସେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଆଗରେ ଯେଉଁ ଦାବି କରିଥିଲେ, ତାହା ପୂରଣ କରିଛନ୍ତି ରାଜ୍‌ । ସେ ତାଙ୍କୁ କହିଥିଲେ, ‘ମୁଁ ଏବେ ବିଶ୍ବର ୧୩ ନମ୍ବର ପଡକାଷ୍ଟର, କିନ୍ତୁ ଖୁବଶୀଘ୍ର ଏକ ନମ୍ବର ହେବି’। ଏହା ଶୁଣି ମାକ୍ରନ ଆଶ୍ବର୍ଯ୍ୟ ହୋଇଥିଲେ ଏବଂ ତାଙ୍କୁ ଓ୍ବିସ୍‌ ବି କରିଥିଲେ । ସତକୁ ସତ ଆଜି ସେ ବିଶ୍ବର ଏକ ନମ୍ବର ପଡକାଷ୍ଟର ।

ସଫଳତା ମିଳିବ, କିନ୍ତୁ ଏହା ପଛରେ ସଂଘର୍ଷ ନଥିବ, ଏହା ସମ୍ଭବ ନୁହେଁ । ରାଜ ଶାମନିଙ୍କ ଏହି ସଫଳତା ପଛରେ ରହିଛି ଅକ୍ଲାନ୍ତ ପରିଶ୍ରମ, ଧୈର୍ଯ୍ୟ ଏବଂ ଅସଫଳତାରୁ ଶିଖିବାର ଏକ ନିଆରା କାହାଣୀ। ପିଲାଦିନୁ ଆର୍ଥିକ ସଙ୍କଟ ଓ ପାରିବାରିକ ସମସ୍ୟା ଦେଇ ଗତି କରିଥିବା ରାଜ ମାତ୍ର ୧୬ ବର୍ଷ ବୟସରେ ପରିବାର ବ୍ୟବସାୟରେ ହାତ ବଢ଼ାଇଥିଲେ। କୌଣସି ବଡ଼ ଷ୍ଟୁଡିଓ କିମ୍ବା ନେଟୱାର୍କ ବିନା ସେ ନିଜ ଯାତ୍ରା ଆରମ୍ଭ କରିଥିଲେ। ପ୍ରଥମ ୫୩ଟି ଏପିସୋଡ୍ ମାତ୍ର ୫୩ ଜଣ ଲୋକଙ୍କ ପାଖରେ ପହଞ୍ଚିଥିଲା ଏବଂ ଭିଡିଓ ରେକର୍ଡିଂ ସମୟରେ ଥରେ ନିଜ କ୍ୟାମେରା ଅନ୍ କରିବା ଭୁଲିଯାଇ ସମ୍ପୂର୍ଣ୍ଣ ଏପିସୋଡ୍ ରେକର୍ଡ କରିଦେଇଥିଲେ। କିନ୍ତୁ ହାର ନ ମାନି ସେ ସଫଳ ବ୍ୟକ୍ତିମାନଙ୍କ ଚିନ୍ତାଧାରାକୁ ବୁଝିବା ଏବଂ ତାହାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ ଜାରି ରଖିଥିଲେ।

ତାଙ୍କ ଲୋକପ୍ରିୟ ପଡକାଷ୍ଟ ଶୋ’ ‘ଫିଗରିଂ ଆଉଟ୍’ଧୀରେ ଧୀରେ ବ୍ୟବସାୟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ସମ୍ପର୍କ ଏବଂ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଗକୁ ବଢ଼ିଥିଲା। ଏହି ଶୋ’ରେ ବିଲ୍ ଗେଟ୍ସ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍, ଓପନ୍‌ଏଆଇ ସିଇଓ ସାମ ଅଲ୍ଟମ୍ୟାନ, ସୁନୀତା ୱିଲିୟମ୍ସ, ମାଇକେଲ ଫେଲ୍ପସ୍ ଏବଂ ଆଣ୍ଡ୍ରୁ ହ୍ୟୁବରମ୍ୟାନଙ୍କ ଭଳି ଅନ୍ତର୍ଜାତୀୟ ବ୍ୟକ୍ତିତ୍ୱଙ୍କ ସହ ଆମୀର ଖାନ, ଏମ୍ଏସ୍ ଧୋନି, ଶ୍ରେୟା ଘୋଷାଲ ଓ ସୌରଭ ଗାଙ୍ଗୁଲିଙ୍କ ଭଳି ଅନେକ ଭାରତୀୟ ସେଲିବ୍ରିଟି ମଧ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। କେବଳ ସେତିକି ନୁହେଁ, ଦୀର୍ଘବର୍ଷ ଧରି ଭାରତରୁ ପଳାୟନ କରିଥିବା ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ସେ ପ୍ରାୟ ୪ ଘଣ୍ଟାର ଏକ ପଡକାଷ୍ଟ ରିଲିଜ୍‌ କରିଥିଲେ । ଏହା ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ଦେଇଥିଲା । ରାଜ୍‌ ଶମାନି, ନିଜ ପଡକାଷ୍ଟରେ ଯେଉଁ ଅତଥିଙ୍କୁ ଆଣନ୍ତି, ହୁଏତ ଆଉ କେବେ କେହି ସେଭଳି କଳ୍ପନା କରିନଥିବେ । 

ଆଜି ‘ଫିଗରିଂ ଆଉଟ୍’ ପ୍ଲାଟଫର୍ମରେ ୨୦୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି ।  ଭାରତ, ଆମେରିକା ଓ ୟୁଏଇରେ ଏହାର କାର୍ଯ୍ୟ ପରିଚାଳିତ ହେଉଛି। ବିଭିନ୍ନ ପ୍ଲାଟଫର୍ମରେ ପ୍ରତି ମାସରେ ପ୍ରାୟ ୧.୪ ବିଲିୟନ ଭ୍ୟୁଜ୍ ପାଉଥିବା ଏହି ଶୋ’ର ସବସ୍କ୍ରାଇବରଙ୍କ ମଧ୍ୟରେ ୨୨ ପ୍ରତିଶତ ବିଦେଶୀ ଦର୍ଶକ ରହିଛନ୍ତି। ବାପାଙ୍କଠାରୁ ୧୦,୦୦୦ ଟଙ୍କା ଧାର ନେଇ ୟୁଟ୍ୟୁବ୍ ଭିଡିଓ ଦେଖି ସାବୁନ ତିଆରି ଶିଖିଥିବା ରାଜ, ପରବର୍ତ୍ତୀ ସମୟରେ ‘ଜାଦୁଗର ଡ୍ରପ୍’ ଭଳି ଡିଶୱାଶିଂ ବ୍ରାଣ୍ଡ ଆରମ୍ଭ କରିଥିଲେ । ସ୍ଥାନୀୟ ଉତ୍ପାଦନରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଡିଜିଟାଲ୍ ମିଡିଆ ଏବଂ ଷ୍ଟାର୍ଟଅପ୍ ଦୁନିଆରେ ଏକ ବଡ଼ ସଫଳତାର କାହାଣୀ ପାଲଟିଛି।

କେତେ ଧନୀ ରାଜ୍‌ ଶମାନି ?
ବିଭିନ୍ନ ରିପୋର୍ଟ ଅନୁଯାୟୀ, ରାଜ ଶାମନିଙ୍କ ମୋଟ ସମ୍ପତ୍ତି  ପ୍ରାୟ ୧୧ ନିୟୁତ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୯୧ କୋଟିରୁ ୧୧୦ କୋଟି ଟଙ୍କା । ସେ ମାସକୁ ପ୍ରାୟ ୧ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା କୁହାଯାଏ । ପଡକାଷ୍ଟ ଶୋ’ ‘ଫିଗରିଂ ଆଉଟ୍’ରୁ ଆୟ ସମେତ ସ୍ପନସରସିପ୍, ବଡ଼ ବଡ଼ ବ୍ରାଣ୍ଡ ପାର୍ଟନରସିପ୍, କର୍ପୋରେଟ୍ ସ୍ପିକିଂ ଫିସ୍ ଏବଂ ଶାମନି ଇଣ୍ଡଷ୍ଟ୍ରିଜ୍‌ରୁ ମଧ୍ୟ ରାଜ୍‌ ଆୟ କରନ୍ତି । ଏହା ସହିତ କେବଳ ୟୁଟ୍ୟୁବ୍ ଆଡସେନ୍ସରୁ ସେ ବାର୍ଷିକ ୨୦ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରନ୍ତି।  କ୍ରିଏଟର ବ୍ରାଣ୍ଡ ନିର୍ମାଣ କରୁଥିବା ଭେଞ୍ଚର ଷ୍ଟୁଡିଓ ‘ହାଉସ୍ ଅଫ୍ ଏକ୍ସ’ର ସହ-ପ୍ରତିଷ୍ଠାତା ଭାବାର ମଧ୍ୟ ସେ ବେଶ୍ ସକ୍ରିୟ ଅଛନ୍ତି।   

କେବଳ କଣ୍ଟେଣ୍ଟ କ୍ରିଏସନ୍ କିମ୍ବା ବ୍ୟବସାୟ ନୁହେଁ, ବରଂ ଷ୍ଟାର୍ଟଅପ୍ ନିବେଶ କ୍ଷେତ୍ରରେ ମଧ୍ୟ ରାଜ ଶାମନି ଏକ ପରିଚିତ ନାଁ। ରିପୋର୍ଟ ମୁତାବକ, ସେ ଫିନଟେକ୍, କଞ୍ଜ୍ୟୁମର ଟେକ୍ ଏବଂ ଡି୨ସି କ୍ଷେତ୍ରର ୨୦ରୁ ଅଧିକ ପ୍ରାରମ୍ଭିକ ପର୍ଯ୍ୟାୟ ଭାରତୀୟ ଷ୍ଟାର୍ଟଅପ୍‌ରେ ନିବେଶ କରିଛନ୍ତି। ରାଜ ଶାମନୀଙ୍କ ଜୀବନଶୈଳୀ ଦେଖିବାକୁ ଗଲେ, ସେ ସରଳ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି। ସେ ବ୍ୟବସାୟିକ ନିବେଶ, ଉଚ୍ଚମାନର ଯାତ୍ରା ଏବଂ ପ୍ରିମିୟମ୍ ଗାଡ଼ିକୁ ଅଧିକ ଗୁରୁତ୍ୱ ଦିଅନ୍ତି। ତାଙ୍କ କାର ସଂଗ୍ରହରେ ମର୍ସିଡିଜ୍-ବେଞ୍ଜ  ଏବଂ ହୁଣ୍ଡାଇ ଭର୍ଣ୍ଣା ଭଳି ଗାଡ଼ି ସାମିଲ । ଇନ୍ଦୋରର ଏକ ସାଧାରଣ ପରିବାରରୁ ଆସି ନିଜ ପରିଶ୍ରମ ଓ ବୁଦ୍ଧିବଳରେ ଏତେ ବଡ଼ ସାମ୍ରାଜ୍ୟ ଛିଡ଼ା କରିଥିବା ରାଜ ଶମାନି ଆଜି ଅନେକ ଯୁବ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।