ତିରୁଅନନ୍ତପୁରମ: ଦକ୍ଷିଣ ଭାରତରେ ଭୀଷଣ ବର୍ଷା ଏବେ ବିତ୍ପାତ ରଚିଛି। କେରଳରେ ବର୍ଷା ସମ୍ପର୍କିତ ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହଶହ ଲୋକଙ୍କୁ ବିସ୍ଥାପନର ସମ୍ମୁଖୀନ ହେବାକୁ ପଡିଛି। ସେହିପରି ପଡୋଶୀ ରାଜ୍ୟ କର୍ଣ୍ଣାଟକର ଶିବମୋଗାରେ ହୋଇଥିବା ଭୂ-ସ୍ଖଳନରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। କେରଳରେ ଲଗାତାର ବର୍ଷା ଓ ବନ୍ୟା ଯୋଗୁ ୮ ଜଣ ଲୋକେ ନିଖୋଜ ଅଛନ୍ତି। ପରିସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ବିଭିନ୍ନ ଅଞ୍ଚଳରୁ ୫,୭୯୨ ଜଣ ଲୋକଙ୍କୁ ଉଦ୍ଧାର କରି ୨୦୯ଟି ରିଲିଫ କେନ୍ଦ୍ରରେ ରଖାଇଛନ୍ତି।

ସରକାରୀ ବିଜ୍ଞପ୍ତି ଅନୁସାର ମୁଖ୍ୟମନ୍ତ୍ରୀ ଭି.ଡି.ସତୀଶନ ରାଜ୍ୟର ବର୍ଷା ସ୍ଥିତିକୁ ନେଇ ବିଭିନ୍ନ ଜିଲ୍ଲା ପ୍ରଭାରୀ, ପ୍ରଶାସନ ଓ ମନ୍ତ୍ରୀଙ୍କ ସହ ଲଗାତାର ସମ୍ପର୍କରେ ଅଛନ୍ତି। ତେବେ ଗତ ଦିନ ମାନଙ୍କ ତୁଳନାରେ ବର୍ଷା ସାମାନ୍ୟ ହ୍ରାସ ହୋଇଛି। ଏଣୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳରେ ସଫେଇ ଓ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଦିଆଯାଇଛି। ବର୍ଷାରେ ୨୭ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୧୯୬ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି।

ସରକାର ରାଜ୍ୟର ପାର୍ବତ୍ୟାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କରହିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ତ୍ରାଭାନକୋର ଦେବସୋମ ବୋର୍ଡ ୨ ଓ ୩ ଅଗଷ୍ଟରେ ନିରପୁଥରୀ ଅବସରରେ ସାବରୀମାଲା ଯିବା ପାଇଁ ଯୋଜନାରେ ଥିବା ଲୋକଙ୍କୁ ସେମାନଙ୍କ ଯାତ୍ରାର ପୁନର୍ବିଚାର କରିବାକୁ ନିବେଦନ କରିଛନ୍ତି। ଭୀଷଣ ବର୍ଷା ଓ ପମ୍ପା ନଦୀରେ ବନ୍ୟା ଯୋଗୁ ଭୂ-ସ୍ଖଳନ ଆଶଙ୍କାରେ ଅଞ୍ଚଳରେ ସୁରକ୍ଷା ଆଲର୍ଟ ଜାରି କରାଯାଇଛି।

କର୍ଣ୍ଣାଟକର ମଲନାଡ ଅଞ୍ଚଳରେ ଜାରି ବର୍ଷା ଯୋଗୁ ଶିବମୋଗା ଜିଲ୍ଲା ଇନ୍ଦିରା ନଗର ଅଞ୍ଚଳରେ ରବିବାର ଭୋର ସମୟରେ ଭୂ-ସ୍ଖଳନ ହୋଇଛି। ଏହି ଘଟଣାରେ ଏକ ଅସ୍ଥାୟୀ ସେଡ୍ ଧସି ପଡିଛି। ଫଳରେ ଏଥିରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପରିବାରର ସମସ୍ତ ସଦସ୍ୟ ପ୍ରାଣ ହରାଇଛନ୍ତି। ମୃତକଙ୍କୁ ମଲ୍ଲିକାର୍ଜୁନ (୩୫), ତାଙ୍କ ପତ୍ନୀ ନାଗଭେଣୀ (୨୮) ଓ ସେମାନଙ୍କର ୩ବର୍ଷର ପୁଅ ଭାବେ ଚିହ୍ନଟ କରାଯାଇଛି। ଏହି ପରିବାର କୋପ୍ପଲ ଜିଲ୍ଲାର ଗଙ୍ଗାବତୀ କୋକ୍କରେଗାରୁ ଗାଁର ବାସିନ୍ଦା। ତେବେ ଗତ ୨ ବର୍ଷ ହେଲା ଏଠାରେ ସେମାନେ ଅସ୍ଥାୟୀ ସେଡ୍ ରେ ରହୁଥିଲେ।